କଟକ: ଚାକିରୀର ଲୋଭ ଦେଖାଇ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରିବା ଘଟଣାରେ ଜଗତପୁର ପୁଲିସ ଜଣେ ଯୁବକକୁ ଥାନାରେ ଅଟକ ରଖିଛି । ସ୍ଥାନୀୟ ଭୀମରାଜପୁର ପଞ୍ଚାୟତର ଜନୈକା ମହିଳା ବୈବାହିକ ବିବାଦ ଘଟିବାରୁ ସେ ବାପଘରେ ରୁହନ୍ତି । ଚଳିବା ପାଇଁ ତାଙ୍କ ପକ୍ଷେ କଷ୍ଟକର ହେବାରୁ ସେ ଚାକିରୀ ଖୋଜୁଥିଲା ବେଳେ ଗୋପୀନାଥପୁର ପଞ୍ଚାୟତର ଜଣେ ଯୁବକ ଉକ୍ତ ମହିଳାଙ୍କୁ ଚାକିରୀ କରାଇ ଦେବାକୁ କହି ୨୭ ହଜାର ଟଙ୍କା ଠକି ନେଇଥିଲେ ।
ପରେ ସେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ତେବେ ମହିଳାଙ୍କ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ କରାଇଦେବାର ଧମକଦେଇ ୧ଲକ୍ଷ ଟଙ୍କା ମାଗିଥିଲା । ଏଥିରେ ମହିଳା ଜଣକ ଭୟଭୀତ ହୋଇ ଧାର କରି ବିଭିନ୍ନ ସମୟରେ ୯୬ ହଜାର ଟଙ୍କା ଯୁବକକୁ ଦେଇଥିଲେ । କିନ୍ତୁ ପୁନର୍ବାର ଭାଇରାଲ ଧମକ ଦେଇ ୫୦ହଜାର ଟଙ୍କା ମହିଳାଙ୍କୁ ମାଗିଥିଲା । ଫଳରେ ମହିଳା ଥାନାରେ ଅଭିଯୋଗ କରିବେ ବୋଲି କହିବାରୁ ଯୁବକ ଜଣକ ଏକୁଟିଆ ବେଳେ ମହିଳାଙ୍କୁ ବଳାତ୍କାର କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା ଚଳାଇଛି ।