ନୂଆଦିଲ୍ଲୀ: ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଏଣିକି ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ବୟସରେ ବିବାହ କରିବେ ଝିଅ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି । ଉଭୟ ପୁଅ ଓ ଝିଅଙ୍କ ପାଇଁ ବିବାହ ବୟସ ୨୧ ବର୍ଷ ହୋଇଯାଇଛି । ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ରୁ ମଞ୍ଜୁରି ପ୍ରଦାନ କରାଯାଇଛି। ତେବେ ସବୁ ଧର୍ମ ଓ ବର୍ଗ ଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି ।
ଏହା ପୂର୍ବରୁ ୧୯୭୮ ମସିହାରେ ବିବାହ ଆଇନରେ ସଂଶୋଧନ ଅଣାଯାଇଥିଲା । ସେ ସମୟରେ ଝିଅଙ୍କ ବିବାହ ବୟସ ୧୫ ବର୍ଷରୁ ୧୮ ବର୍ଷ ହୋଇଥିଲା । ଝିଅଙ୍କ ସର୍ବନିମ୍ନ ବାହା ହେବା ବୟସ ସୀମା ୧୮ ବର୍ଷ ହୋଇଥିବା ସତ୍ତ୍ୱେ ଅନେକ ସମୟରେ ନାବାଳିକା ବିବାହର ଖବର ଆସୁଛି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ପ୍ରଚେଷ୍ଟା ସତ୍ତ୍ୱେ ସମାଧାନ ହୋଇପାରୁ ନାହିଁ।
୧୮ ବର୍ଷ ବୟସ ସତ୍ତ୍ୱେ ଅନେକ କ୍ଷେତ୍ରରେ ଝିଅମାନେ ବାହା ହେବା ପରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସେମାନେ ପରିପକ୍ୱ ନ ଥିବା ଜଣାପଡୁଛି। ତେଣୁ କେନ୍ଦ୍ର ସରକାର ଝିଅଙ୍କ ବାହା ହେବାର ସର୍ବନିମ୍ନ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।