ବାର୍ସେଲୋନା: ବାର୍ସେଲୋନାର ଷ୍ଟ୍ରାଇକର୍ ସର୍ଜିଓ ଏଗୁଏରୋ ବୁଧବାର ଅନାଚନ ଫୁଟ୍ବଲ୍ରୁ ସନ୍ନ୍ୟାସ ନେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଏକ ପ୍ରେସ୍ କନ୍ଫରେନ୍ସରେ କହିଛନ୍ତି । ୩୩ ବର୍ଷୀୟ ଆର୍ଜେଣ୍ଟିନା ଫୁଟ୍ବଲ୍ ଷ୍ଟାର୍ ଅକ୍ଟୋବର ୩୦ ତାରିଖରେ ଅଲାଭେସ୍ ବିପକ୍ଷ ବାର୍ସେଲୋନାର ଏକ ମ୍ୟାଚ୍ ଅବସରରେ ଯନ୍ତ୍ରଣା ଯୋଗୁଁ ଛାତିରେ ହାତରଖି ପଡ଼ିଆ ଛାଡ଼ି ବାହାରକୁ ଚାଲିଯାଇଥିଲେ । ଏହାପରେ ସେ ହାର୍ଟର କେତେକ ଟେଷ୍ଟ ମଧ୍ୟ କରାଯାଇଥିଲେ । ବିଶ୍ୱର ସବୁଠୁ ଲୋକପ୍ରିୟ ଫୁଟ୍ବଲର୍ଙ୍କ ମଧ୍ୟରୁ ଅନ୍ୟତମ ଏଗୁଏରୋ ଦଶବର୍ଷ ପର୍ଯ୍ୟନ୍ତ ମାଞ୍ଚେଷ୍ଟର୍ ସିଟି ପକ୍ଷରୁ ଖେଳିବା ପରେ ଅଫ୍ ସିଜନ୍ରେ ବାର୍ସେଲୋନା ସହିତ ଯୋଡ଼ି ହୋଇଥିଲେ ।
ଏଫ୍ସି ବାର୍ସେଲୋନା ପକ୍ଷରୁ ବୁଧବାର ଆୟୋଜିତ ଏକ ପ୍ରେସ୍ କନ୍ଫରେନ୍ସରେ ଏଗୁଏରୋ କହିଥିଲେ, ମୁଁ ଫୁଟ୍ବଲ୍ ଖେଳିବା ବନ୍ଦ ପାଇଁ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ଏହି କନ୍ଫରେନ୍ସ ଆୟୋଜିତ ହୋଇଛି । ସେ କହିଥିଲେ, ଏହା ଏକ ବହୁତ କଠିନ ମୁହୂର୍ତ୍ତ । ନିଜ ସ୍ୱାସ୍ଥ୍ୟ ପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି । ପ୍ରଥମେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମୋ ନିକଟରେ ଦେଢ଼ମାସ ସମୟ ଥିଲା ।
ମୋର ଚିକିତ୍ସା କରୁଥିବା ମେଡିକାଲ୍ ଷ୍ଟାଫ୍ ନିଜର ସର୍ବଶ୍ରେଷ୍ଠ ସେବା ଯୋଗାଇଥିଲେ ଏବଂ ଖେଳିବା ବନ୍ଦ କରିବା ସବୁଠୁ ଭଲ ହେବ ବୋଲି କହିଥିଲେ । ପୂର୍ବ କ୍ଲବ୍ ମାଞ୍ଚେଷ୍ଟର ସିଟି ଓ ଆଥ୍ଲେଟିକୋ ମାଦ୍ରିଦ୍ ସହ ଉନ୍ନତ ପ୍ରଦର୍ଶନ କରିଥିବା ଏହି ଷ୍ଟାର୍ ଫରୱାର୍ଡ କହିଥିଲେ, ଏହା ଏକ କଠିନ୍ ନିଷ୍ପତ୍ତି ଥିଲା । ବିଶେଷକରି ଦୁଇ ସପ୍ତାହ ତଳେ ଯେତେବେଳେ ମୋତେ ଫୁଟ୍ବଲ୍ ଜାରି ରଖିବା ସମ୍ଭବ ହେବ ନାହିଁ ବୋଲି କୁହାଯାଇଥିଲା ।