ନୂଆଦିଲ୍ଲୀ: ଦେହଜୀବୀଙ୍କୁ ତୁରନ୍ତ ଭୋଟର କାର୍ଡ, ଆଧାର କାର୍ଡ ଓ ରାସନ୍ କାର୍ଡ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଫଳରେ ସେମାନେ ମଧ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ସବୁ କଲ୍ୟାଣକର ଯୋଜନାର ସୁଫଳ ପାଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦେଶର ପ୍ର୍ରତ୍ୟେକ ନାଗରିକଙ୍କୁ ସର୍ବନିମ୍ନ ସରକାରୀ ସୁବିଧା ପ୍ରଦାନ କରିବା ଏବଂ ସେମାନଙ୍କର ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ବୋଲି ଜଷ୍ଟିସ ଏଲ.ନାଗେଶ୍ୱରା ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି । ଦେହଜୀବୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଏଡ୍ସ କଣ୍ଟ୍ରୋଲ ସୋସାଇଟୀର ସହାୟତା ଲୋଡିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।