ନୂଆଦିଲ୍ଲୀ: ବିଗତ ୩୧ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ୧୭୨୪ ଜଣଙ୍କୁ ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ୮୯ ଜଣ କଶ୍ମୀରୀ ପଣ୍ଡିତ ଥିବାବେଳେ ଅନ୍ୟ ମୃତକଙ୍କ ମଧ୍ୟରେ ହିନ୍ଦୁ, ମୁସଲମାନ ସାମିଲ ଅଛନ୍ତି । ସୂଚନା ଆଇନ ବଳରେ ମଗାଯାଇଥିବା ଏହି ତଥ୍ୟକୁ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ବୁଧବାର ସାର୍ବଜନୀନ କରାଯାଇଛି । ବିଗତ କିଛିମାସ ମଧ୍ୟରେ କଶ୍ମୀର ଘାଟୀରେ ଆତଙ୍କବାଦୀ ଆକ୍ରମଣରେ ସାଧାରଣ ଲୋକଙ୍କର ପ୍ରାଣହାନି ଘଟୁଥିବାରୁ ହରିୟାଣାର ଜଣେ ସୂଚନାକର୍ମୀ ପି.ପି.କପୁର କଶ୍ମୀର ପୁଲିସକୁ ଏହି ତଥ୍ୟ ମାଗିଥିଲେ । ଅପରପକ୍ଷରେ କଶ୍ମୀର ଘାଟିରେ ଆତଙ୍କବାଦର ଆବିର୍ଭାବ ପରଠାରୁ ୧.୫୪ ଲକ୍ଷ ହିନ୍ଦୁ ଘାଟୀ ଛାଡି ଅନ୍ୟତ୍ର ପଳାୟନ କରିଛନ୍ତି । ଏମାନଙ୍କ ମଧ୍ୟରୁ କଶ୍ମୀର ପଣ୍ଡିତଙ୍କ ସଂଖ୍ୟା ୧.୩୫ ଲକ୍ଷ ।
ଅପରପକ୍ଷରେ ୧୧୫ ପଣ୍ଡିତ ପରିବାର ଜମ୍ମୁ ପଳାଇଯାଇ ସେଠାରେ ଅବସ୍ଥାନ କରୁଥିବା କୁହାଯାଇଛି । ଏହାବ୍ୟତୀତ ୧୮,୭୩୫ ମୁସଲମାନ ବ୍ୟକ୍ତି ମଧ୍ୟ ଆତଙ୍କବାଦୀଙ୍କ କାର୍ଯ୍ୟକଳାପରେ ଭୟଭୀତ ହୋଇ ଘାଟୀ ଛାଡିଥିବା ଜଣାପଡିଛି । ତେବେ କଶ୍ମୀର ଘାଟିରୁ ପଳାୟନ କରିଥିବା କେତେ ସଂଖ୍ୟକ ପଣ୍ଡିତ ପରିବାରକୁ କଶ୍ମୀରରେ ପୁନଃ ଥଇଥାନ କରାଯାଇଛି, ସେ ସମ୍ପର୍କିତ ସୂଚନା ମିଳିପାରିନାହିଁ ବୋଲି ଶ୍ରୀ କପୁର ଅଭିଯୋଗ କରିଛନ୍ତି । ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ବିଭାଜନ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିବାବେଳେ ସେଠାରୁ ଧାରା ୩୭୦ ହଟାଇ ଦେଇଥିଲେ ।
ଏହାକୁ କେନ୍ଦ୍ରକରି ଜମ୍ମୁ-କଶ୍ମୀରର ସବୁ ଆଞ୍ଚଳିକ ରାଜନୈତିକ ଦଳ ଜମ୍ମୁ-କଶ୍ମୀରକୁ ରାଜ୍ୟପାହ୍ୟା ଫେରାଇବା ସହ ଧାରା ୩୭୦ର ପୁନଃପ୍ରଚଳନ ଦାବି କରିଆସୁଛନ୍ତି । ଚଳିତବର୍ଷ ମାର୍ଚ୍ଚରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି.କିଷାନ ରେଡ୍ଡି ସଂସଦକୁ ଜଣାଇଥିଲେ ଯେ କଶ୍ମୀର ବିଭାଜନ ପରେ ୩୮୦୦ ଲୋକ ପୁଣି ସେଠାକୁ ଫେରିଯାଇଛନ୍ତି । ସେମାନଙ୍କ ମଧ୍ୟରୁୁ ୧୬୭୮ ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି । ସୂଚନା ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ କଶ୍ମୀର ଘାଟିରୁ ପଳାଇ ଆସିଥିବା ୮୪ ହଜାର ଲୋକଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ ।
ଏମାନେ କଶ୍ମୀରୀ ଦେଶାନ୍ତର ହୋଇଥିବାରୁ ସେମାନଙ୍କୁ ଏହି ସୁଯୋଗରୁ ବଞ୍ଚିତ ହେବାକୁ ପଡିଛି । ଅପରପକ୍ଷରେ କଶ୍ମୀରରୁ ଆସିଥିବା ୫୪ ହଜାର ହିନ୍ଦୁ ଓ ୧୧ ହଜାର ମୁସଲମାନ ବ୍ୟକ୍ତିଙ୍କୁ ସରକାରୀ ସୁବିଧା ମିଳୁଛି । ଏମାନଙ୍କୁ ପ୍ରତିମାସରେ ନଗଦ ୩୨୫୦ ଟଙ୍କା, ମାସିକ ରାସନ୍ ଯଥା ୯ କିଲୋ ଚାଉଳ, ୫ କିଲୋ ଗହମ, ୨ କିଲୋ ଅଟା ଓ ୧ କିଲୋ ଚିନି ଇତ୍ୟାଦି ପ୍ରଦାନ କରାଯାଉଥିବା ଜଣାପଡିଛି । ପଞ୍ଜୀକୃତ ହୋଇନଥିବା ବ୍ୟକ୍ତିଙ୍କ ସ୍ଥିତାବସ୍ଥା ସମ୍ପର୍କରେ ଜମ୍ମୁ-କଶ୍ମୀର ସରକାରଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି କୁହାଯାଇଛି।