ଭୁବନେଶ୍ୱର: ଝାରପଡ଼ା ଜେଲ୍ରେ ମାଓବାଦୀ ଦୁବାସି ଶଙ୍କରଙ୍କୁ ଏନ୍ଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା) ଟିମ୍ ଗୁରୁବାର ଜେରା କରିବେ । ଦୁବାସିଙ୍କ ଆତଙ୍କବାଦୀ ଲିଙ୍କ୍ ଥିବା ନେଇ ସୁରାକ୍ ମିଳିଛି । ଏହି ସଂକ୍ରାନ୍ତରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି । ଦୁବାସି ଶଙ୍କରର ୭ଟି ଆକ୍ରମଣରେ ୧୫ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣ ସହ ବିଏସ୍ଏଫ୍ କମାଣ୍ଡାଣ୍ଟ୍ ଓ ୩ଯବାନଙ୍କ ମୃତ୍ୟୁ ମାମଲାରେ ମଧ୍ୟ ତାଙ୍କର ହାତ ରହିଛି ।
ଏହି ସବୁ ମାମଲାରେ ତାଙ୍କୁ ଗତ ସେପ୍ଟେମ୍ବର ୯ ତାରିଖରେ କୋରାପୁଟରୁ ପୁଲିସ ଗିରଫ କରିଥିଲା । ସେବେଠାରୁ ସେ ଝାରପଡ଼ା ଜେଲ୍ରେ ଅଛନ୍ତି । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ମାଓ ହିଂସାକାଣ୍ଡରେ ତା’ର ସମ୍ପୃକ୍ତ ରହିଛି । ପୂର୍ବରୁ ଦୁବାସିଙ୍କୁ ଧରିବାକୁ ଓଡ଼ିଶା ପୁଲିସ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ସେହିପରି ୨୦୦୯ରେ ଦାମନଯାଡି ସିଆଇଏସ୍ଏଫ୍ ଆକ୍ରମଣରେ ଦୁବାସିର ହାତ ଥିଲା । ଯେଉଁଥିରେ ୧୦ ଜଣ ଯବାନ ସହିଦ ହୋଇଥିଲେ ।