ଭୁବନେଶ୍ୱର: ‘ଓଡ଼ିଶା-ମୋ ପରିବାର’ ପୁଣି ସୁହୃଦୟତାର କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛି । ଦୂର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ହସ୍ପିଟାଲରେ ଚିକିତ୍ସା କରି ମୋ ପରିବାର’ସଦସ୍ୟମାନେ ସୋମନଙ୍କୁ ଆମ୍ବୁଲାନ୍ସ ଜରିଆରେ ଗଞ୍ଜାମ ପଠାଇଛନ୍ତି । ମିଳିଥିବା ସୂଚନାନୁସାରେ ଗତ ନଭେମ୍ବର ୨୬ରେ କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ସାରି ଏକ ମିନିବସ୍ରେ ଫେରୁଥିଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳର ୧୮ଜଣ ଯାତ୍ରୀ । ସେହିଦିନ ରାତି ସାଢେ ୨ଟା ସମୟରେ ବାଲୁଗାଁ ବାଇପାସ୍ ରାସ୍ତାକଡ଼ରେ ଗାଡ଼ି ରଖି ପରିଶ୍ରା କରିବାକୁ ୧୩ ଜଣ ବାହାରକୁ ଆସିଥିଲାବେଳେ ୫ ଯାତ୍ରୀ ଗାଡ଼ି ଭିତରେ ଥିଲେ । ଏହି ସମୟରେ ପଛରୁ ଏକ ଟ୍ରକ ଆସି ସେଠାରେ ଛିଡ଼ା ହୋଇଥିବା ଏହି ମିନିବସ୍କୁ ଜୋର୍ରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଆଉ ଦୁଇଜଣ ଯଥା ୫୦ ବର୍ଷିୟ ବାଲାଜୀ ପାତ୍ର ଏବଂ ୩୮ବର୍ଷିୟ ବାସୁଦେବ ସାହୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ହାଇଟେକ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ହାଇଟେକ୍ ହସ୍ପିଟାଲରୁ ଦୁଇଜଣ ଡିସ୍-ଚାର୍ଜ ହେବାପରେ ନିଜ ନିଜ ଗ୍ରାମକୁ ଯିବାପାଇଁ ତାଙ୍କ ପାଖରେ ଯଥେଷ୍ଟ ସମ୍ବଳ ନଥିଲା । ଏହି ବିଷୟରେ ଗୋପାଳପୁର ରଙ୍ଗେଇଲୁଣ୍ଡା ଜୋନ୍-୫୫ର ଜିଲ୍ଲା ପରିଷଦ ଶଶିଭୁଷଣ ମହାନ୍ତି ଓଡି଼ଶା-ମୋ ପରିବାରକୁ ଜଣାଇଥିଲେ । ଓଡ଼ିଶା-ମୋ ପରିବାର ସଦସ୍ୟମାନେ ତାଙ୍କ ପାଖରେ ପହଞ୍ଚି ସେମାନେ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଗ୍ରାମକୁ ଯିବାପାଇଁ ଦୁଇଟି ପୃଥକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇଦେଇ ସେମାନଙ୍କ ଗ୍ରାମକୁ ପଠାଇଦେଇଥିଲେ । ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସାଧୁବାଦ ଜଣାଯାଇଛି ।