ଢାକା: ଆଜିଠାରୁ ବାଂଲାଦେଶ ରାଜଧାନୀ ଢାକାଠାରେ ହିରୋ ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଆରମ୍ଭ ହେଉଛି । ଏଥିରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଭାରତ କୋରିଆ ବିପକ୍ଷ ମୁକାବିଲାରୁ ତା’ର ଅଭିଯାନ ଆରମ୍ଭ କରିବ । ଦଳର ଟାଇଟଲ୍ ବଜାୟ ରଖିବା ଭାର ଅଧିନାୟକ ମନପ୍ରୀତ୍ ସିଂହ ଓ ଉପଅଧିନାୟକ ହରମନପ୍ରୀତ୍ ସିଂହଙ୍କ ଉପରେ ରହିବ । ଏହି ପ୍ରତିଯୋଗିତା ଗତ ୨୦୧୧ରୁ ଆରମ୍ଭ ହେବା ପରେ ଅଦ୍ୟାବଧି ଭାରତ ୩ ଥର ଚାମ୍ପିଅନ୍ ହୋଇପାରିଛି । ଏଥି ମଧ୍ୟରୁ ଗତ ଦୁଇଟି ସଂସ୍କରଣରେ କ୍ରମାଗତ ଭାବେ ଟାଇଟଲ୍ ଜିତିଥିବା ଭାରତ ଏଥର ହ୍ୟାଟ୍ରିକ୍ ଅର୍ଜନ କରିବା ଲକ୍ଷ୍ୟ ନେଇ ଢାକାରେ ପହଞ୍ଚିଛି ।
ଏଥିସକାଶେ ଦଳକୁ ସକାରାତ୍ମକ ପ୍ରାରମ୍ଭ କରିବାକୁ ପଡ଼ିବ । ଏନେଇ କୋରିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ମନପ୍ରୀତ୍ କହିଛନ୍ତି ଯେ କୋରିଆ ଏକ ଶକ୍ତିଶାଳୀ ଟିମ୍ ଓ ଏହା ଆମର ଅଭିଯାନକୁ ମନ୍ଥର କରିବା ପାଇଁ ନିଶ୍ଚିତ ଉଦ୍ୟମ କରିବ । ଗତ ୨୦୧୭ ଏସିଆ କପ୍ରେ କୋରିଆ ବିପକ୍ଷରେ ସମାନ ଭେନ୍ୟୁରେ ଅନୁଷ୍ଠିତ ମ୍ୟାଚ୍ଟି ଆମେ ୧-୧ରେ ଡ୍ର’ ରଖିଥିଲୁ । ତେଣୁ କୋରିଆ ବିପକ୍ଷରେ ଆମେ କଦାପି ହାଲକା ମନୋଭାବ ପୋଷଣ କରିବୁ ନାହିଁ ଓ ଆମର ପ୍ରଦର୍ଶନ ସ୍ତରକୁ ଉନ୍ନତ କରିବା ସକାଶେ ପ୍ରୟାସ କରିବୁ ବୋଲି ମନପ୍ରୀତ୍ କହିଛନ୍ତି ।
ସେହିପରି ଟୋକିଓରେ ଐତିହାସିକ ବ୍ରୋଞ୍ଜ୍ ପଦକ ଜିତିବା ପରେ ଏହା ଦଳ ପାଇଁ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ହୋଇଥିବାରୁ ଏହାକୁ ସକାରାତ୍ମକ ଭାବେ ଆରମ୍ଭ କରିବାର ଯଥେଷ୍ଟ ଗୁରୁତ୍ୱ ରହିଛି । ଏଠାରେ ଭଲ ପ୍ରଦର୍ଶନ କଲେ, ଆଗକୁ ଖେଳାଳିଙ୍କ ଆତ୍ମବିଶ୍ୱାସ ବହୁଗୁଣିତ ହୋଇପାରିବ ବୋଲି ମନପ୍ରୀତ୍ କହିଛନ୍ତି । ସେହିପରି ଏହି ଟୁର୍ଣ୍ଣାମେଣ୍ଟ୍ରେ ସଂଖ୍ୟାଧିକ ଯୁବ ଖେଳାଳିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ ଏବଂ ସେମାନେ ଏହାର ଫାଇଦା ଉଠାଇବେ ବୋଲି ମଧ୍ୟ ମନପ୍ରୀତ୍ ଆଶା କରିଛନ୍ତି ।