19.1 C
Bhubaneswar
Tuesday, November 19, 2024
Homeଖେଳ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍‌

୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍‌

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ଦେଶର ୪ଟି ସହରରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ପାଇଁ ସୋମବାରଠାରୁ ଅବଗଣନା ଆରମ୍ଭ ହୋଇଛି । ଅର୍ଥାତ୍ ଆଜିଠାରୁ ଠିକ୍ ବର୍ଷେ ପରେ ଏହି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ । ଏହି ବିଶ୍ୱକପ୍ ସକାଶେ ସୋମବାର ଅଫିସିଆଲ୍ ମାସ୍କଟ୍ ଉନ୍ମୋଚିତ ହୋଇଛି । ଏହି ମାସ୍କଟ୍‌ର ନାମ ରହିଛି “ଇଭା’ । ସୋମବାର ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଫିଫା ପକ୍ଷରୁ ଏହି ଏସୀୟ ସିଂହୀକୁ ମାସ୍କଟ୍ ଭାବେ ଉନ୍ମୋଚନ କରାଯାଇଛି । ଏହି ମାସ୍କଟ୍ “ମହିଳା ସଶକ୍ତୀକରଣ’ର ପ୍ରତିନିଧିତ୍ୱ କରିବା ସହ ଇଭା ଏକ ସଶକ୍ତ ଓ ସମସ୍ତଙ୍କୁ ରୋମାଞ୍ଚ ଦେବା ପାଇଁ ଉଦ୍ଦିଷ୍ଟ ଏସୀୟ ସିଂହୀ ମହିଳା ଓ ବାଳିକାମାନଙ୍କୁ ପ୍ରେରଣା ଦେବା ସହ ପ୍ରୋତ୍ସାହିତ କରିବ ବୋଲି ଆୟୋଜକ ଫିଫା ଆଶା ରଖିଛି ।

“ଇଭା’ ଶବ୍ଦର ଅର୍ଥ ଉତ୍ତମ ଲକ୍ଷ୍ୟ ଓ ବିଚାରଶକ୍ତି । ଏହି ଅଫିସିଆଲ୍ ମାସ୍କଟ୍ ଭାରତ ଓ ବିଶ୍ୱର ବାଳିକାମାନଙ୍କୁ ସେମାନଙ୍କ ଦକ୍ଷତାକୁ ଚିହ୍ନିବା ସହ ଠୋସ୍ ପଦକ୍ଷେପ ନେବାକୁ ପ୍ରୋତ୍ସାହିତ କରିବ । ଏହି ମାସ୍କଟ୍‌ର ଉନ୍ମୋଚନ ଅବସରରେ ଫିଫା ମୁଖ୍ୟ ମହିଳା ଫୁଟବଲ୍ ଅଧିକାରୀ ସରାଇ ବାରେମାନ୍ କହିଛନ୍ତି ଯେ ଇଭା ଏକ ଚମତ୍କାର ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଓ ଏହାକୁ ବିଶ୍ୱର ଯୁବପିଢ଼ି ବେଶ୍ ଉପଭୋଗ କରିବେ । ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍ ବିଶ୍ୱକପ୍‌କୁ ସମଗ୍ର ବିଶ୍ୱରେ ଅଧିକ ଲୋକପ୍ରିୟ କରାଇବାରେ ଇଭାର ପ୍ରମୁଖ ଭୂମିକା ରହିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୨ ମହିଳା ଫୁଟବଲ୍ ପାଇଁ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ । କାରଣ ଏହି ବର୍ଷ ଭାରତରେ ବିଶ୍ୱର ଯୁବ ଫୁଟବଲର୍ ତଥା ଭବିଷ୍ୟତର ତାରକାମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ ।

୨୦୨୩ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ରେ ମିଳିତ ଭାବେ ହେବାକୁ ଥିବା ଫିଫା ମହିଳା ବିଶ୍ୱକପ୍‌ର ପାଖାପାଖି ୯ ମାସ ପୂର୍ବରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଖେଳାଯିବାକୁ ଥିବାରୁ ବାଳିକାମାନେ ମାସ୍କଟ୍ ଓ ବିଶ୍ୱକପ୍ ମାଧ୍ୟମରେ ଫୁଟବଲ୍ ପ୍ରତି ବିଶେଷ ଭାବେ ଆକର୍ଷିତ ହେବେ ବୋଲି ବାରେମାନ୍ କହିଛନ୍ତି । ସେହିପରି ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ଅଧ୍ୟକ୍ଷ ତଥା ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ୍ଲ ପଟେଲ୍ କହିଛନ୍ତି ଯେ ୨୦୨୨ରେ ଭାରତରେ ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ ଆୟୋଜନ ପୂର୍ବରୁ ମାସ୍କଟ୍‌ର ଉନ୍ମୋଚନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଇଭା ସାହସ ଓ ଶକ୍ତିର ନିଦର୍ଶନ ଏବଂ ଏହା ପ୍ରତିଟି ମହିଳାଙ୍କ କ୍ଷେତ୍ରରେ ଜରୁରୀ । ବିଶେଷକରି ପୁରୁଷମାନଙ୍କ ସହ ମହିଳାମାନେ କାନ୍ଧକୁ କାନ୍ଧ ମିଳାଇ ଚାଲିବାକୁ ହେଲେ ସେମାନଙ୍କ ମନରେ ଦମ୍ଭ ଓ ଶରୀରରେ ଶକ୍ତି ରହିବା ନିହାତି ଦରକାର ।

ଏହାଛଡ଼ା ଇଭା ଏହି କ୍ରୀଡ଼ା ମହାକୁମ୍ଭର ସମ୍ପ୍ରସାରିତ ଲକ୍ଷ୍ୟ ପୂରଣ କରିବା ଦିଗରେ ମଧ୍ୟ ଫିଫା ଓ ଏଲ୍‌ଓସିକୁ ସହଯୋଗ କରିବ ବୋଲି ପଟେଲ୍ ଆଶା କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ପାଇଁ ଭେନ୍ୟୁ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସାମିଲ୍ ରହିଥିବା ବେଳେ ମାସ୍କଟ୍ ଉନ୍ମୋଚନ ଅବସରରେ ଜାରି ଭିଡିଓଟି ସମ୍ପୂର୍ଣ୍ଣ ଭାବେ କୋଣାର୍କ ମନ୍ଦିର ପରିସରରେ ଶୁଟ୍ ହୋଇଛି ଓ ଏଥିରେ ୫ ଜଣ ବାଳିକା ମାସ୍କଟ୍ ଇଭାକୁ ସ୍ୱାଗତ କରି ତା’ ସହ ଫୁଟବଲ୍ ଖେଳୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking