ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ସ୍ତରରେ ଶୁକ୍ରବାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ(ଜିଏ ଏବଂ ପିଜି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଏ ଏବଂ ପିଜି ବିଭାଗ ଅଧିନସ୍ଥ ଇଷ୍ଟେଟ୍ର ଅତିରିକ୍ତ ନିର୍ଦ୍ଦେଶକ ଥିବା ଓଏଏସ୍ ଅଧିକାରୀ ସୁଶାନ୍ତ କୁମାରଙ୍କୁ ବଦଳି କରାଯାଇ କପଡ଼ା ବିଭାଗର ନିର୍ଦ୍ଦେଶ କ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଥିବା ଓଏଏସ୍ ଅଧିକାରୀ ଶ୍ୟାମଭକ୍ତ ମିଶ୍ରଙ୍କୁ ବଦଳି କରାଯାଇ ଭୁବନେଶ୍ୱର ବୟନିକାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।
ଅନ୍ୟପଟେ ଜିଏ ଏବଂ ପିଜି ବିଭାଗରେ ରେଣ୍ଟ୍ ଅଫିସର ଥିବା ଓଏଏସ୍ ସଂଗ୍ରାମ କୁମାର ରାୟ ସର୍ଦ୍ଦାରଙ୍କୁ ବଦଳି କରାଯାଇ ସମାନ ବିଭାଗ ଅଧିନରେ ଇଷ୍ଟେଟ୍ର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଏହାସହ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ବିଡିଓ ଥିବା ଓଏଏସ୍ ବେଦବର ପ୍ରଧାନଙ୍କୁ ବଦଳି କରାଯାଇ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ମିଳିଛି । ସେ ଉପଖଣ୍ଡ ମାଜିଷ୍ଟ୍ରେଟ୍ ଭାବେ ମଧ୍ୟ କାର୍ଯ୍ୟ କରିବେ ।