ଭୁବନେଶ୍ୱର: ଏୟାରପୋର୍ଟ ଥାନା ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି । ମୃତକ ଜଣକ ହେଲେ ଝାଡ଼ଖଣ୍ଡର ଅମିନ୍ଦର ସିଂହ(୨୨) । ସେ ଏୟାରପୋର୍ଟରେ ଟ୍ରାଭେଲ୍ ଫୁଡ୍ ସର୍ଭିସରେ ଫୁଡ୍ ଡିଲିଂ ଆସିଷ୍ଟାଣ୍ଟ୍ ଭାବେ କାମ କରୁଥିଲେ । ସୂଚନା ଅନୁଯାୟୀ, ଅମିନ୍ଦର ସଂସ୍ଥା ପକ୍ଷରୁ ଦିଆଯାଇଥିବା ଏକ ଘରେ ଅନ୍ୟ ୩ ସହକର୍ମୀଙ୍କ ସହ ରହୁଥିଲେ । ସୋମବାର ତାଙ୍କ ୩ ସହର୍କମୀ କାମକୁ ଯାଇଥିବା ବେଳେ ଅମିନ୍ଦର ଯାଇନଥିଲେ । ରାତିରେ ଜଣେ ସହକର୍ମୀ ଫେରି କବାଟ ବାଡ଼େଇବାରୁ ଅମିନ୍ଦର ଖୋଲିନଥିଲେ । ତେଣୁ ସେ ଝରକା ବାଟ ଦେଇ ଦେଖିବା ବେଳକୁ ଅମିନ୍ଦରଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିଲା । ଖବରପାଇ ଏୟାରପୋର୍ଟ ଥାନା ପୁଲିସ ପହଞ୍ଚିି ଅମିନ୍ଦରଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଅମିନ୍ଦରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ମଙ୍ଗଳବାର ପରିବାରଲୋକେ ପହଞ୍ଚିବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ସେମାନଙ୍କୁ ହସ୍ତାନ୍ତର କରିଛି । ତେବେ କେଉଁ କାରଣକୁ ନେଇ ଅମିନ୍ଦର ଆତ୍ମହତ୍ୟା କଲେ, ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ପୁଲିସ ଅଧିକ ତଦନ୍ତ କରୁଛି ।