କାବୁଲ: ଆଫ୍ଗାନିସ୍ତାନରେ ନୂତନ ସରକାର ଏପର୍ଯ୍ୟନ୍ତ ଶପଥଗ୍ରହଣ କରିନଥିବାବେଳେ ତାଲିବାନୀ ନେତାଙ୍କ ସମେତ କର୍ମୀମାନେ ବର୍ତ୍ତମାନ ହାତବାନ୍ଧି ବସିଛନ୍ତି । ତାଲିବାନ ଯୋଦ୍ଧାମାନେ କାବୁଲ ସମେତ ବିଭିନ୍ନ ସହରରେ ଥିବା ସରକାରୀ କାର୍ଯ୍ୟାଳୟକୁ କବ୍ଜା କରିଛନ୍ତି । ତେବେ ସମୟ କେମିତି କାଟିବେ, ତାହା ସେମାନଙ୍କୁ ଚିନ୍ତାରେ ପକାଇଛି । ତେଣୁ କେତେକ ତାଲିବାନୀ ଯୋଦ୍ଧା ଅଫିସରେ ବସି ଗୁଲିଖଟି କରୁଥିବାବେଳେ ଆଉ କେତେକ ସେଲ୍ଫି ନେବାରେ ଦ୍ୱିଧା କରୁନାହାନ୍ତି ।
ଏହା ନଜରକୁ ଆସିବାପରେ ଆଫ୍ଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ମହମ୍ମଦ ୟାକୁବ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ବ୍ୟକ୍ତିଙ୍କୁ ତୁରନ୍ତ କାର୍ଯ୍ୟାଳୟ ପରିସରରୁ ବିଦା କରାନଗଲେ, ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କଡଶ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟାକୁବ ଧମକ ଦେଇଛନ୍ତି । ଏହାବ୍ୟତୀତ ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକଙ୍କୁ ତାଲିବାନୀମାନେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିବାରୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାର ପୁନରାବୃତ୍ତି ଘଟିଲେ, ସଂପୃକ୍ତ ତାଲିବାନୀ ଯୋଦ୍ଧାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟାକୁବ ସ୍ପଷ୍ଟ କରିଛନ୍ତି ।