ଭୁବନେଶ୍ୱର: ପୁରସ୍କାର ବିଜେତା ଆଳ ଦେଖାଇ ସାଇବର ଠକ ଜଣେ ମହିଳାଙ୍କଠୁ ୨ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ସାଇବର ଠକଙ୍କ ଶିକାର ହୋଇଥିବା ମହିଳା ଜଣକ ହେଲେ କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍-୬ଅଞ୍ଚଳର ମଧୁସ୍ମିତା ଦାସ । ଏନେଇ ସେ ଭୁବନେଶ୍ୱର ସାଇବର ହେଲ୍ସ ଡେସ୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଟଙ୍କା ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ମଧୁସ୍ମିତାଙ୍କ ଫୋନ୍ ନମ୍ବରକୁ ଏକ ମେସେଜ୍ ଆସିଥିଲା । ତାଙ୍କୁ ଏକ ସଂସ୍ଥା ପକ୍ଷରୁ ୨୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇବାକୁ ହେଲେ ୨୪ ଘଣ୍ଟା ଭିତରେ ଅଫିସ୍ ସହ ଯୋଗାଯୋଗ କରିବାକୁ ମେସେଜ୍ରେ କୁହାଯାଇଥିଲା ।
ଏହାପରେ ମଧୁସ୍ମିତା ଦିଆଯାଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିଥିଲେ । ଏହି ଟଙ୍କା ପାଇବାକୁ ହେଲେ ପ୍ରଥମେ ୨୦ହଜାର ଟଙ୍କା ପ୍ରୋସେସିଙ୍ଗ୍ ଫିସ୍ ପାଇଁ ଜମା କରିବାକୁ ଠକ ଜଣକ କହିଥିଲା । ଏହି ଟଙ୍କା ଜମା କରିବା ପରେ ତୁମ ଆକାଉଣ୍ଟକୁ ଟଙ୍କା ଯିବା ବୋଲି କୁହାଯାଇଥିଲା । ଲୋଭରେ ପଡ଼ି ମଧୁସ୍ମିତା ପ୍ରଥମେ ୨୦ହଜାର ଟଙ୍କା ଜମା କରିଥିଲେ । ଟଙ୍କା ଜମା ହେବା ପରେ ଠକ ତାଙ୍କୁ ପୁଣି ୧୦ହଜାର ମାଗିଥିଲା । ଏହାପରେ ମଧୁସ୍ମିତା ପୁଣି ୧୦ହଜାର ଦେଇଥିଲେ । ୩୦ହଜାର ଟଙ୍କା ନେଇସାରିବା ପରେ ଠକ ଜଣକ ମହିଳାଙ୍କୁ ତାଙ୍କର ଆକାଉଣ୍ଟ ଡିଟେଲ୍ସ ମାଗିଥିଲା ।
ପୁରସ୍କାର ପାଇବା ଆଶାରେ ମଧୁସ୍ମିତା ଆକାଉଣ୍ଟ ସମ୍ପର୍କିତ ସମସ୍ତ ତଥ୍ୟ ଠକକୁ ଦେଇଥିଲେ । ପରେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୭୦ହଜାର ଟଙ୍କା କଟି ଯାଇଥିଲା । ଏହିଭଳି ଭାବେ ସମୁଦାୟ ୨ଲକ୍ଷ ଟଙ୍କା ସାଇବର ଠକ ଲୁଟିନେଇଥିଲା । ଟଙ୍କା କଟିବା ନେଇ ମଧୁସ୍ମିତାଙ୍କ ମୋବାଇଲ୍କୁ ମେସେଜ ଆସିବାରୁ ସେ ଠକର ଫୋନ୍ ନମ୍ବରକୁ କଲ୍ କରିଥିଲେ । ହେଲେ ତାହା ସ୍ୱିଚ୍ଅଫ ଥିବାରୁ ସାଇବରଠକଙ୍କ ଶିକାର ହୋଇଥିବା ମହିଳା ଜାଣିପାରିଥିଲେ । ଏନେଇ ସେ ତୁରନ୍ତ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିବାକୁ କୁହାଯାଇଥିଲା ।