ମାହାଙ୍ଗା : କଥାରେ ଅଛି ଜୋର ଯାର୍ ମୁଲକ ତାର। ଗାଁ ଦାଣ୍ଡରେ ଇଲେକ୍ଟ୍ରି ପୋଲରେ ମା’ ଝିଅଙ୍କୁ ବାନ୍ଧି ମାଡ ମାରିଲେ କିଛି ଗାଁ ଲୋକେ । ଆଉ ସବୁ ଘଟୁଥିବା ସମୟରେ କିଏ ଅଟକାଇବ କ’ଣ ଓଲଟି ଦର୍ଶକ ସାଜିଲେ ଦେଖଣାହାରୀ। ପାରିବାରିକ କଳହକୁ ନେଇ ଏପରି ଆଇନ୍ କୁ ହାତକୁ ନେଲେ କିଛି ଗାଁ ଲୋକେ । ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବାନ୍ଧି ରଖିବା ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ସେମାନଙ୍କୁ ଉଦ୍ଧାର କରିଥିଲା। ଆଉ ୧୧ ଜଣ ଅଭିଯୁକ୍ତ ନାଁ ରେ ଖାଲି ମାମଲା କରି ଛାଡ଼ି ଦେଇଛି ପୋଲିସ। ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧିନସ୍ଥ ଓରତି ଗାଁ ରେ ଘଟିଛି ।
ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଓରତି ଗାଁ ର ମିନତୀ ଖୁଣ୍ଟିଆ ଓ ତାଙ୍କର ୨୪ ବର୍ଷର ବଢିଲା ଝିଅ ଉର୍ମିଳା ଖୁଣ୍ଟିଆ । ଯାହାଙ୍କୁ ଗାଁ ଦାଣ୍ଡରେ ବାନ୍ଧି ଦେବା ସହ ସର୍ବ ସମ୍ମୁଖରେ ମାଡ଼ ମାରିଥିବା ନେଇ ଗତ ୮ ତାରିଖରେ ନେମାଳ ଥାନା ରେ ଅଭିଯୋଗ ହୋଇଥିଲା। ହେଲେ ଏଯାଏ ସେମାନଙ୍କୁ ମିଳିପାରିନି ନ୍ଯାୟ। ଅନ୍ଯପଟେ ୧୧ ଜଣ ଅଭିଯୁକ୍ତଙ୍କୁ ନେମାଳ ପୋଲିସ ବେଲ୍ ରେ ଛାଡିଦେଇଥିବା ଜଣାପଡିଛି। ଆଉ ଅଭିଯୁକ୍ତ ମାନେ ବେଲ୍ ରେ ଆସି ଖୁଲମଖୁଲା ମା’-ଝିଅ ଙ୍କୁ ଅସଭ୍ଯ ଭାଷାରେ ଗାଳିଗୁଲଜ କରୁଥିବା ନରେନ୍ଦ୍ରପୁର ଫାଣ୍ଡିରେ ପୀଡିତା ମହିଳା ପୁଣି ଅଭିଯୋଗ କରିଛନ୍ତି।