20.1 C
Bhubaneswar
Sunday, November 17, 2024
Homeଓଡିଶା****ଡିମିରିଗଛ****

****ଡିମିରିଗଛ****

#ଅରବିନ୍ଦଦାସ
“ଅପୁଷ୍ପ ଅଥଚ ବର୍ଷ ତମାମ ଫଳରେ ଭର୍ତ୍ତି ଡିମିରିଗଛ ଶାପଗ୍ରସ୍ତ କି ବରପ୍ରାପ୍ତ ?”ଏଇ ପ୍ରଶ୍ନଟି ପିଲାଟି ଦିନରୁ ମନକୁ ଆନ୍ଦୋଳିତ କରେ।ଆଜି ଏତେବର୍ଷ ପରେ ମୋ ସାମ୍ନା ରେ ଡିମିରିଗଛ।
ଆମ କମ୍ପାନୀ ଗେଷ୍ଟ ହାଉସରେ ଥିବା ଡିମିରି ଗଛକୁ ମୁଁ ଦେଖୁଥିଲି।
ଭୁବନେଶ୍ବରରେ କମ୍ପାନୀ ଗେଷ୍ଟହାଉସଟା ମୋ ମନକୁ ବହୁତ ପାଇଥିଲା। ସହରର ହୋହାଲ୍ଲା ଠାରୁ ଟିକେ ଦୂରରେ ତଥା ସହରର ଉପକଣ୍ଠରେ ଥିବା ଦୁଇମହଲା ଘରଟା ବହୁତ ଆକର୍ଷଣୀୟ ଥିଲା ।
ଘର ସାମ୍ନାରେ ସୁନ୍ଦର ବଗିଚା ଓ ବାଡ଼ କଡ଼ରେ ଗୋଟେ ଡିମିରି ଗଛ।
ଗାଁ କଥା ମନେପଡୁଥିଲା। ଗେଷ୍ଟ ହାଉସ ବିଲଡିଂ
ତଳ ମହଲାରେ ଘରମାଲିକ ରହୁଥିଲେ ଏବଂ ଉପର ମହଲାରେ ତିନି ବେଡରୁମ୍ ବାଲା ଘରଟା ଆମ କମ୍ପାନୀ ଲିଜ୍ ସୂତ୍ରରେ ନେଇଥିଲା ।କମ୍ପାନୀ ତରଫରୁ ରହିଥିବା କେଆରଟେକର ରନ୍ଧାବଢା କରି ଦେବ।
ମନେମନେ ଖୁସି ହେଉଥିଲି ଯେ,ଏଣିକି ଆଗୁଆ ହୋଟେଲ ବୁକିଂର ଚିନ୍ତା ନାହିଁ କି ହୋଟେଲର ଚିରାଚରିତ ବ୍ୟବସାୟିକ ପରିବେଶ ଅପେକ୍ଷା ଘରୁଆ ପରିବେଶ ଏବଂ ସର୍ବୋପରି କେୟାରଟେକର ହାତରନ୍ଧା ଖାଦ୍ୟ ହୋଟେଲର ଖାଦ୍ୟ ଅପେକ୍ଷା ଶତଗୁଣେ ଭଲ ବୋଲି ମୋର ହୃଦବୋଧ ହେଉଥିଲା।
ଦୁଇଦିନ ପାଇଁ ଦିଲ୍ଲୀରୁ ଅଡିଟ୍ କାମରେ ଆସିଥିଲି ମୁଁ। ଅନ୍ୟ ରୁମ୍ ଦୁଇଟାରେ କେହି ନ ଥିଲେ ବୋଲି ଏକୁଟିଆ ବୋର୍ ଲାଗୁଥିଲା । ସକାଳୁ କଲିଂ ବେଲ୍‌ ଶବ୍ଦ ଶୁଣି କବାଟ ଖୋଲି ଦେଖଲି ଜଣେ ସ୍ତ୍ରୀ ଲୋକ ହାତରେ ଚା କପ୍ ଧରି ଠିଆ ହୋଇଛି।ଧୀର ସ୍ୱରରେ କହିଲା,
-ଆପଣଙ୍କ କମ୍ପାନୀର କେୟାରଟେକର ମଧୁ’ର ବାପାଙ୍କ ଦେହ ଭାରୀ ସିରିୟସ୍ । ଭୋରରୁ ଖବର ପାଇ ମଧୁ ଗଲାବେଳେ ମା’ଙ୍କୁ ଜଣାଇଦେଇ ଗଲା । ଆପଣ ଶୋଇଥିବେ ବୋଲି ଡିଷ୍ଟର୍ବ କଲାନି, ମା ଆପଣଙ୍କ ପାଇଁ ଚା ପଠାଇଛନ୍ତି।”
ଚା କପ୍‌ଟା ହାତକୁ ନେଇ ପରରିଲି
-“କେଉଁ ମା ? ତମେ କିଏ ?ଆମ କେଆର ଟେକର ର ସ୍ତ୍ରୀ ?”
ଲାଜକୁଳୀ ଲତାରେ ହାତ ବାଜିଯାଇ ପତ୍ର ବୁଜି ହୋଇଗଲା ପରି, ସେହି ସ୍ତ୍ରୀଲୋକଟି ଶାଢୀ କାନିକୁ ନିଜ ମୁହଁ ପାଖକୁ ନେଇ ଲାଜେଇ ହୋଇ କହିଲା,
-ନାଇଁ,ନାଇଁ, ମୁଁ କୁସୁମ, ତଳ ଘରେ କାମ କରେ। ମା ହେଉଛନ୍ତି ଏଇ ଘରର ମାଲିକାଣୀ, ତଳ ଘରେ ରୁହନ୍ତି ।”
ହଠାତ୍ ଏମିତି ଅଯାଚିତ ଆତିଥ୍ୟତା ଗ୍ରହଣ କରିବାକୁ ଯଦିଓ ମନ ବିରୋଧ କରୁଥିଲ, ତଥାପି ସକାଳୁ ସକାଳୁ ଚା ପିଇବାର ଲୋଭକୁ ସମ୍ଭାଳି ହେଉନଥିଲା । ହାଲ୍‌କା ଅଦା ଓ ତେଜପତ୍ରର ଫେଣ୍ଟା ଫେଣ୍ଟି ବାସ୍ନା ମୋ ନାସିକା ରନ୍ଧ୍ରକୁ ଉତ୍ତେଜିତ କରୁଥାଏ, ସୋଫାରେ ବସିପଡି ଚା’ର ଆନନ୍ଦ ନେଲି।
– ବାଥରୁମରେ ଗିଜର ଅଛି, ଯଦି ପାଣି ସରିଯାଏ, କହିଦେଲେ ମୋଟର ଅନ୍ କରାଯିବ, ସକାଳ ୮ଟାରୁ ୧୦ଟା ପାୱାର କଟ୍ ହେଉଛି, ଇନ୍‌ଭର୍ଟର
ଅଛି, କିନ୍ତୁ ଟିଭି, ଏସି ଚାଲିବନି। ଆପଣ ବାହାରକୁ ଗଲାବେଳେ ନିଜ ରୁମ୍ ଲକ୍ କରିଦେବେ।”
କୁସୁମ ଟିଭି ସମ୍ବାଦ ପାଠିକା ପରି ଅନର୍ଗଳ ଭାବେ କହିବା ଢଙ୍ଗରେ କଥା କହୁଥିଲା। କିନ୍ତୁ ଅନ୍ୟ ଜଣେ ମହିଳାଙ୍କ ଆବିର୍ଭାବ ମୋତେ ଟିକେ ଅପ୍ରତିଭ କରିପକାଇଥିଲା । ଘର ମାଲିକାଣୀ ହୋଇଥିବେ ନିଶ୍ଚୟ । ସେଇ ମହିଳାଙ୍କ ବେଶପାଟୀରୁ ଅନୁମାନ କରୁଥିଲି ମୁଁ । ସକାଳୁ ସାମ୍ନା ଲନ୍‌ରେ ୟାଙ୍କୁ ବୁଲୁଥିବାର ଏବଂବଗଚାରୁ ଫୁଲ ତୋଳିବାର କଥା ମନେପଡିଗଲା ମୋର ।
-ଆପଣ ଓଡ଼ିଆ ଲୋକ ବୋଲି ମୋତେ ମଧୁ ଜଣାଇଥିଲା । ଖବରକାଗଜବାଲା ଆପଣଙ୍କ ଗେଷ୍ଟହାଉସ୍ ପାଇଁ ଦିଇଟା ପେପର୍ ବାଲକୋନୀରେ
ପକାଇଦିଏ ।କୁସୁମ, ପେପରଟା ନେଇ ଆସି ଘରଟା ଓଳାଇ ଦେ। ଆପଣଙ୍କ ନାଁ କ’ଣ ? ଓଡିଶାରେ ଘର କେଉଁଠି ? ଦିଲ୍ଲୀର କେଉଁ ଏରିଆରେ ରହନ୍ତି ?”
ଟିକେ ଆଶ୍ଚର୍ୟ୍ଯ ହୋଇଗଲି।
ଆରେ ବାପା ଏକାବେଳେ ଏତେଗୁଡାକ ପ୍ରଶ୍ନ ? ସତେ ଯେମିତି ପ୍ରଶ୍ନ ନୁହେଁ ତୀର ଗୁଚ୍ଛ । ତଥାପି ମହିଳାଙ୍କ ମୁହଁରେ ଥିଲା ଏକ ଆତ୍ମୀୟତାଭରା
ହସ । ସେଇ ମୁହଁଟା ମୋତେ ଅନ୍ୟକଣଙ୍କ ଚେହେରା ମନେ ପକାଇ ଦେଉଥିଲା ।
ମୋ ବୋଉର….. ଦୀର୍ଘ ନିଶ୍ବାସଟିଏ ମୋ ଛାତିରୁ ବାହାରି ଆସିଲା ।ଚା କପଟା ଟିପୟ ଉପରେ ଥୋଇ କହିଲି,
-ମୁଁ ରୋହିତ ମହାନ୍ତି ।ଆମ ଘର ଯାଜପୁର ଜିଲ୍ଲାର ମଙ୍ଗଳପୁର। ଦିଲ୍ଲୀ ଦ୍ଵାରକା ଏରିଆରେ ମୁଁ ରହେ ।” କାମବାଲୀ ସେତେବେଳକୁ ନିଉଜ୍ ପେପଟା ଟିପୟ ଉପରେ ରଖିଦେଇ ଓଳାଇବା ଆରମ୍ଭ କରିଦେଇଥିଲା । ଡ୍ରଇଂରୁମ୍ ଭିତରକୁ ପଶି ଆସି ଘର ମାଲିକାଣୀ ମୋ ସାମ୍ନା ସୋଫାରେ ବସି କହିଲେ,
-ଆରେ ବାଃ, ଆପଣ ତ ଆମରି ଆଡଲୋକ । ଆମ ଗାଁ ଦଶରଥପୁର। ମୋ ଶୁଶୁରଙ୍କ ଘର ବିଞ୍ଝାରପୁର । ଦୁଇ ବର୍ଷ ହେଲାଣି ଇୟେ ରିଟାୟାର୍ଡ କଲେଣି ବୋଲି ଆମେ ନିଜ ଘରେ ରହୁଛୁ । ନ ହେଲେ ସବୁବେଳେ ଟ୍ରାନ୍ସଫର ଚାକିରୀ ଯୋଗୁ ଭାରତ ସାରା ବୁଲିଛୁ । ଓଡିଆ ଲୋକଟେ ଦେଖିଲେ ନିଜକୁ ରୋକି ପାରେନା। ତମେ ମୋ ପୁଅ ବୟସର ହେବ। ମୋର ଉପରେ ପଡି ଏଇ ବକରବକର ହେବା ଅଭ୍ୟାସ ଯୋଗୁଁ ଇୟେ ମୋତେ ଚିଡ଼ନ୍ତି । ତମକୁ ମୁଁ ଡିଷ୍ଟର୍ବ କରୁନାହିଁତ ?”
ଏମିତିକା ପ୍ରଶ୍ନର ଉତ୍ତର ବୋଧେ ମୋ ପାଖରେ ନ ଥିଲା । ତେବେ ଭଦ୍ରାମୀ ଖାତିରରେ ମୁଣ୍ଡ ହଲାଇ ମନା କଲା ଭଙ୍ଗୀରେ କହିଲି,
-ଆରେ ନା, ନା; ଏଥିରେ ଖରାପ ଭାବିବାର କ’ଣ ଅଛି ? ଆଳିକାଲି ଯୁଗରେ ଅନ୍ୟକୁ ଆପଣାର ବୋଲି କେତେଜଣ ଭାବୁଛନ୍ତି ?”
-ଭଗବାନ ତମକୁ କୋଟି ପରମାୟୁ ଦେଇଥାନ୍ତୁ । ମୋ ପୁଅ ବି ଦିଲ୍ଲୀର ଦ୍ଵାରକା ଏରିଆରେ ରହୁଛି। ତମ ଘରଟା… ଭଦ୍ର ମହିଳା ଜଣଙ୍କ କଥା ସଂପୂର୍ଣ୍ଣ
କରିବା ପୂର୍ବରୁ ତଳ ବଖରାରୁ ପାଟି ଶୁଭିଲା,
-“ଲତା କୁଆଡେ ଗଲ ? ରୋଷେଇ ଘରେ କ’ଣ ବସେଇଛ କି ?”
ଧଡ଼କିନା ସୋଫାରୁ ଉଠି ଯାଉ ଯାଉ ଲତା ନାମ୍ନୀ ସେଇ ମହିଳା କହିଉଠିଲେ,
-“ଦେଖୁଛୁ କୁସୁମ ? ଗ୍ୟାସରେ ଛେନା ଡେକ୍‌ଚି ବସାଇଦେଇଆସିଛି। ଆମ ବାବୁ କ’ଣ ଗ୍ୟାସ୍‌ ଅଫ୍ କରିଦେଇ ପାରିବେନି ? ସବୁ କାମକୁ ଖାଲି ହୁକୁମ । ମୁଁ ଆସୁଛି ବାପା, ସନ୍ଧ୍ୟାବେଳକୁ କଥା ହେବା ।” ଝଡ ଭଳି ବାହାରିଯିବା ଆଗରୁ ମହିଳାଜଣକ ମୋ ମନରେ ଏକ ଛାପ ଛାଡି ଯାଇଥିଲେ । ମମତାମୟୀ, ସ୍ନେହର ଗନ୍ତାଘର ସ୍ଵରୂପ ଗୋଟେ ଓଡିଆ ମା’ ମନଟା ମୋର ଚହଲିଗଲା ବୋଉ କଥା ବାରମ୍ବାର ମନେ ପଡ଼ୁଥିଲା ମୋର ସାଢେ ଆଠଟା ବେଳକୁ ଗାଧେଇ ସାରି ଅଫିସ୍ ଯିବାକୁ ବାହାରିଲାବେଳକୁ ହାତରେ ଉପମା ପ୍ଲେଟ୍‌ଟେ ଧରି ହାଜର ହୋଇଥିଲେ ଘର ମାଲିକାଣୀ ।
-ଆରେ ମ୍ୟାଡମ୍, ଆପଣ କାହିଁକି କଷ୍ଟ କଲେ ? ମୁଁ ବାଟରେ ଖାଇଦେବି ।”
– ଆମ ଗାଁ ପାଖ ପୁଅ ତମେ । ନିଜର ଭାବି ତମ ପାଇଁ ନେଇ ଆସିଲି । ମ୍ୟାଡମ୍ ନୁହେଁ, ଲତା ମାଉସୀ ବୋଲି କହିଲେ ମୋତେ ଭଲ ଲାଗିବ ।”
ମୋତେ ଟିକେ ବ୍ୟସ୍ତ ଲାଗୁଥିଲା । ହଠାତ୍ ଏମିତି ସ୍ୱଳ୍ପ ପରିଚୟରେ ଜଣେ କ’ଣ ସତରେ ଏମିତି ନିଜର ହୋଇଯାଏ ? ତେବେ ସମ୍ପର୍କ ଟା ହିଁ ଏମିତି ।ନିଜ ଲୋକ ପର କରିଦେଲା ବେଳେ ଅଜଣା ଲୋକଟେ ନିଜଠାରୁ ବଳି ଆପଣାର ହୋଇଯାଏ।ତା ଛଡାଜଣେ ମହିଳାଙ୍କ ମନକୁ ପଢିବା ସତରେ ଭାରି କଷ୍ଟ । କେଉଁଠି ମା’ ଠାରୁ ବଳି ଆତ୍ମୀୟତା ତ କେଉଁଠି ସହକର୍ମୀ ମହିଳାର ୠକିରୀ କ୍ଷେତ୍ରରେ ସେକସୁଆଲ ହାରାସମେଣ୍ଟର ଅଭିଯୋଗ। ନାରୀର ବିଭିନ୍ନ ରୂପ, ବିଭିନ୍ନ ଦିଗ।ମାଉସୀ ପୁଣି କହିଲେ,
– “ଏଇଟା ଡୁପ୍ଲିକେଟ୍ ଚାବି, ଡାହାଣପଟେ ଥିବା ସିଡି ଘର ଏବଂ ଗେଟ୍ ତାଲାର ଡୁପ୍ଲିକେଟ୍ ଚାବି ଏଥରେ ଅଛି । ରାତିରେ ୱାଚମ୍ୟାନ ପାଖରେ ଏଇଟା ଥାଏ। ତମର ଫେରିବା ଡେରି ହେଲେ ସିଏ କବାଟ ଖୋଲିଦେବ। ଉପମା ଖାଇକି ଦେଖିଲ ଲୁଣ ଠିକ୍ ଅଛି ନା ନାହିଁ ?”
ମନେ ମନେ ଭାବୁଥିଲି କି ଜବରଦସ୍ତିଆ ମହିଳା ? ନଖୋଇ ଛାଡିବେନି ଆଜି। ବାଧ୍ୟ ହୋଇ ଖାଇବାକୁ ଆରମ୍ଭ କଲି । ଜବରଦସ୍ତି ନୁହେଁ, ବରଂ ଏକ ମା’ର ସ୍ନେହଭରା ବାଧ୍ୟକତା ଥିଲା ବୋଧେ। ଉପମା ବହୁତ ସ୍ଵାଦିଷ୍ଟ ହୋଇଥିଲା। ଚୂନାଚୂନା ହୋଇ କଟା ହୋଇଥିବା ଫୁଲ କୋବି, ଗାଜର ଓ ବିନ୍ ସାଙ୍ଗକୁ ମଟର ଦାନା, ଉପମାର ସ୍ଵାଦକୁ ଦ୍ବିଗୁଣିତ କରୁଥିଲା । ତା ସାଙ୍ଗକୁ ଖାଣ୍ଟି ଗୁଆଘିଅର ବାସ୍ନା ଭୋକକୁ ବଢାଇ ଦେଉଥିଲା ।
– “ ବହୁତ ବଢିଆ ହୋଇଛି । ଘିଅ ବାସ୍ନା ମୋତେ ଭାରି ଭଲ ଲାଗେ ।”
-ଘର ଘିଅ ପରା । ଗାଈ ଗୋଟେ ରଖିଛି । ଆଜିକାଲି ଗଉଡ ବା କମ୍ପାନୀ କ୍ଷୀରରେ କ’ଣ କିଛି ଟେଷ୍ଟ ଅଛି ? ମୋ ପୁଅ ସୋନୁ ବି ଭାରି ଭଲପାଏ ଘର କ୍ଷୀର, ଦହି, ଛେନା ତିଆରି ଜିନିଷକୁ ।”
ବାଲକୋନି ବାହାରକୁ ଅନାଇ,ବାଡ଼ ପାଖରେ ଥିବା ଡିମିରି ଗଛକୁ ଦେଖାଇ ପଚାରିଲି,
-ବହୁତ ଦିନ ପରେ ଡିମିରି ଗଛ ଦେଖିଲି।ଫୁଲ ନଥାଇ ଫଳ କେମିତି ହୁଏ ତା ଆଶ୍ଚର୍ଯ୍ୟ ଲାଗେ।”
ଗମ୍ଭୀର ସ୍ୱରରେ ମାଉସୀ କହିଲେ,
-ଡିମିରି ଗଛର ଫୁଲକୁ ଅନ୍ୟମାନେ ନୁହେଁ,କେବଳ ଡିମିରି ଗଛ ଦେଖିପାରେ।ଗଛ ଟିଏ ବି ମା ;ସେ ବି ଚାହୁଁଥିବ ଫୁଲ ଫଳରେ ନଦି ହେଉ ବୋଲି, ହେଲେ ଭଗବାନଙ୍କ ଅଦ୍ଭୁତ ସୃଷ୍ଟି, ଫୁଲ ନହେଉ, ଫଳ ତ ଫଳୁଛି।”
ମୋ ମୋବାଇଲଟା ବାଜିଉଠିଲା ।
-ହଉ ତମେ ଖାଅ, ମୁଁ ଯାଉଛି ।” କହି ଉଠିଗଲେ ଲତା ମାଉସୀ । ଡିମିରିଗଛ ଆଜି ବି ମୋପାଇଁ ପ୍ରହେଳିକା ହୋଇ ରହିଗଲା।
ଅଳ୍ପ ସମୟରେ ଡ୍ରାଇଭର ଆସି ପହଁଚୁଛି ବୋଲି ଅଫିସ୍‌ରୁ ଫୋନ୍ ଆସିଥିଲା । ଦିନ ସାରା ଅଫିସ୍ କାମରେ ଏବଂ ସନ୍ଧ୍ୟାରେ ପାର୍ଟିରେ ବ୍ୟସ୍ତ ରହି ଲତା ମାଉସୀଙ୍କ କଥା ପୂରା ଭୁଲି ଯାଇଥିଲି। ଗେଷ୍ଟହାଉସ ଫେରିଲାବେଳକୁ ରାତି ଏଗାରଟା । ୱାଚ୍‌ମ୍ୟାନ୍‌ ତାଲା ଫିଟାଇଦେବାରୁ ଉପରକୁ ଯାଇ ରୁମ୍‌ରେ ଗଡିପଡିଲି।
ସକାଳୁ ପୁଣି କଲିଂ ବେଲ୍‌ ଶବ୍ଦରେ ଉଠିପଠି ଦେଖେ ତ ସକାଳ ଆଠଟା ବାଜିବ । ଧଡପଡ ହୋଇ ଉଠିପଡିଲି । କେୟାରଟେକର ଆସିଛି ବୋଧେ । କବାଟ ଖୋଲି ସାମ୍ନାରେ ଲତା ମାଉସୀଙ୍କୁ ଦେଖି କଥାଟା ବୁଝିବାକୁ ମୋତେ କଷ୍ଟ ହେଲାନି ଯେ ଆଜିବି କେୟାରଟେକର ଆସିବ ନାହିଁ ବୋଲି । -ରାତିରେ କାଲି ଡେରିରେ ଫେରିଲ ବୋଧେ ବାପା । ନିଅ ଚା ପିଇଦିଅ । ତମକୁ ଗୋଟେ ଅନୁରୋଧ କରିବି । ଖରାପ ଭାବିବ ନାହିଁ ତ ?”
ମନେମନେ ଭାବିଲି,ସକାଳୁ ସକାଳୁ କ’ଣ ଅନୁରୋଧ ହୋଇପାରେ ?
– ନାଇଁ, ନାଇଁ କୁହନ୍ତୁ ।”
– “ମୋ ପୁଅ ସୋନୁ ପାଇଁ କିଛି ଖାଇବା ଜିନିଷ ଦିଲ୍ଲୀ ପଠାଇବି ବୋଲି ଭାବୁଥିଲି । ସେଇ ଦ୍ଵାରକା ଏରିଆରେ ରହୁଛି ।ଭାରୀ ଲାଜକୁଳା ପିଲା । ମା’ର ହାତ ତିଆରି ଜିନିଷ ପାଇଁ ଭାରି ଲୋଭ, ହେଲେ ପରରିଲେ ସାଙ୍ଗେ ସାଙ୍ଗେ ମନା କରିଦେବ। ଆଜିକାଲିକା ପିଲା।ପୋଷ୍ଟ ବା କୁରିଅର ରେ କଣ ମା ହାତ ତିଆରି ପିଠା ପଠାଇ ହେବ ?ଫ୍ଲାଇଟରେ ତମେ ଯାଉଛ ବୋଲି ଅନୁରୋଧ କରୁଛି ବାପା।
ତମେ ଟିକେ ତା ପାଖରେ ପହଞ୍ଚାଇ ପାରିବ ?”
କଥାଟା ଶୁଣି ଆଶ୍ଵସ୍ତ ଲାଗିଲା।
-ଓ, ଏଇ କଥା! ଏଥିରେ ପୁଣି ଖରାପ ଭାବିବାର କ’ଣ ଅଛି ? ଆପଣ ମୋତେ ନିଜ ପୁଅ ବୋଲି ଭାବୁଛନ୍ତି, ଆଉ ଏତିକି କାମ ମୁଁ କରିପାରିବିନି ?
ଅନୁରୋଧ ନୁହେଁ,ଆଦେଶ ଦିଅନ୍ତୁ।”
ହସିଦେଇ ମାଉସୀ କହିଲେ,
-“ ଯାହା ହେଉ, ମୋର ଗୋଟେ ଚିନ୍ତା ଗଲା, ତମ ମଉସା ଜାଣିଲେ ମୋତେ ଗାଳି କରିବେ, କହିବେ ସମସ୍ତଙ୍କୁ କାମରେ ଲଗାଇଦେଉଛି ବୋଲି ।ଆଛା ତମେ ଦିଲ୍ଲୀରେ ଏକୁଟିଆ ରହୁଛ ନା ବାହାସାହା ହେଲଣି ? ଭୁବନେଶ୍ବର ଆସିଛ, ଗାଁ ଆଡେ ମୁଁହ ମାରିଦେଉ ଯାଉନ ?”
ଛେପ ଢ଼ୋକି କହିଲି,
-“ଘର ଲୋକଙ୍କ ସହ ଟିକେ ଝଗଡା ହୋଇଯାଇଛି ମୋର ଦୁଇବର୍ଷ ହେଲାଣି। ବାପା ମୋ ସହିତ ସମ୍ପର୍କ କାଟି ଦେଇଛନ୍ତି |”
ମୋ କାନ୍ଧ ଉପରେ ହାତ ରଖି ଲତା ମାଉସୀ ପଚାରିଲେ,
-ସମ୍ପର୍କ କାଟି ଦେଇଛନ୍ତି ? କ’ଣ ପାଇଁ ?”
କିଛିକ୍ଷଣ ଚୁପ୍ ରହି ମୁଁ କହିଲି
– “ମୋ ଅଫିସ୍‌ର ସହକର୍ମୀ ମୁସଲମାନ ଝିଅକୁ ମୁଁ ବାହାହେଲି ବୋଲି ବାପା ମୋତେ ତେଜ୍ୟପୁତ୍ର କରିଦେଇଛନ୍ତି |”
ମୋ ତଣ୍ଟିଟା କୋହରୁଦ୍ଧ ହୋଇଗଲା, ପୁରୁଣା କଥାଗୁଡାକ ମନେପଡିଯାଇ ମନଟା ଭାରିଭାରି ଲାଗୁଥିଲା ।ପୁଣି କହିଲି
-“ମୋ ବୋଉ ବି କଥା ହେଉନି ମୋ ସାଙ୍ଗରେ ।ମୁଁ ବି ସେଥିପାଇଁ କଥା ହେଉନି କି ଘରକୁ ଯାଉନି।”
ମୋ ଦୁଇ ହାତକୁ ନିଜ ହାତରେ ଚାପି ଧରି ଲତା ମାଉସୀ କହିଲେ,
-ତମ ଭଳି ଆଜିକାଲିକା ପିଲାଙ୍କୁ ବୁଝାଇବା ଭାରି କଷ୍ଟ।ମୋ କଥା ମାନିଲେ ଗୋଟେ କଥା କୁହନ୍ତି। ପୁରୁଣା କଥା ଭୁଲିଯା ବାପା ।ସେମାନେ ପରା ବାପା, ମା’; ନିଜ ପିଲା ଉପରେ ରାଗ, ଅଭିମାନ କରିବେନି ତ କାହା ଉପରେ କରିବେ ? କିଛି ଦିନ ଗଲା ପରେ ସବୁ ଥଣ୍ଡା ପଡିଯାଏ ।ବାପା ସିନା ପୁଅକୁ ତେଜ୍ୟପୁତ୍ର କରିଛନ୍ତି,ହେଲେ ତୁମ ମା ତ କରିନାହାନ୍ତି।ବାପା’ର ରାଗ ଉପର ଦେଖାଣିଆ ଏବଂ ମା’ର ରାଗ ଅଭିମାନ ପାଣିର ଗାର।ନିଜ ଜିଦି,ପୁରୁଷପଣିଆର ଅହମିକା,ଅହଙ୍କାର ଛାଡି ବାପା,ମାଙ୍କୁ ନିଜ ଆଡୁ କଥା ହୋଇ କ୍ଷମା ମାଗିବାରେ କିଛି ଅସୁବିଧା ନାହିଁ।ଦେଖିବ ସବୁ ଠିକ ହୋଇଯିବ।”
ଭାବପ୍ରବଣ ହୋଇପଡ଼ୁଥିଲି ମୁଁ । ମୋତେ ଲାଗୁଥିଲା ମୋ ବୋଉ ଯେମିତି ମୋ ସାମ୍ନାରେ ଠିଆ ହୋଇ ମୋ ମୁଣ୍ଡକୁ ଆଉଁଷୁଛି |
-“କାଲି ତମ ଫ୍ଲାଇଟ୍ କେତେବେଳେ ? ସକାଳେ ନା ସନ୍ଧ୍ୟାରେ ? ନିଜ ଆଖରେ ଜକାଇ ଆସିଥିବା ଲୁହକୁ ପୋଛିପକାଇ ଚଟ୍‌କିନା କହିଲି,
– “ସକାଳ ଆଠଟାରେ, ଅଫିସ୍ ଗାଡି ସକାଳ ୬ଟାରେ ଆସି ମୋତେ ଏଠାରୁ ନେଇଯିବ ।”
ସେଦିନ ଦିନ ସାରା କାମରେ ମୋର ମନ ଲାଗୁନଥିଲା ବାରମ୍ବାର କାହିଁକି କେଜାଣି ବାପା, ବୋଉ ଏବଂ ଲତା ମାଉସୀଙ୍କ ମୁହଁଟା ମୋ ଆଖି ଆଗରେ ନାଚୁଥିଲା । ଅଫିସ୍‌ରୁ ଫେରିଲାବେଳକୁ ରାତି ଦଶଟା ବାଜିଯାଇଥିଲା।
ଲତା ମାଉସୀ ବୋଧେ ମୋରି ପାଇଁ ଅପେକ୍ଷା କରିଥିଲେ । ହାତରେ ଗୋଟେ ପ୍ଲେଟରେ କିଛି ଏଣ୍ଡୁରୀ ଓ କାକରା ପିଠା ଏବଂ ଗୋଟେ ପ୍ୟାକେଟ୍ ନେଇ ମୋତେ ଦେଇ କହିଲେ,
– ମା ହାତ ତିଆରି ପିଠା ଅନେକ ଦିନ ହେବ ତମ ପାଟିରେ ବାଜିନଥିବ,ଏଇ ମାଉସୀ ହାତ ତିଆରି ପିଠା ଚାଖି କୁହ କେମିତି ହୋଇଛି।ନିଶ୍ଚେ ମା ମନେପଡିଯିବ।”
ଭାବପ୍ରବଣତାରେ ମୁଁ ଯେମିତି ଉବୁଟୁବୁ ହେଉଥିଲି।ଆଖି ଛଳ ଛଳ ହୋଇ ଆସୁଥିଲା ମୋର।
ଲତା ମାଉସୀ ପୁଣି କହିଲେ,
-ମାଉସୀ ଉପରେ ରାଗିବନି, ଏଇ ପ୍ୟାକେଟରେ କିଛି ଛେନା କାକରା ଓ ଏଣ୍ଡୁରି ପିଠା ଅଛି ସୋନୁ ପାଇଁ,ଏଇ ରୁମ ର ଫ୍ରିଜରେ ରଖି ଦେଉଛି।କାଲି ସକାଳୁ ତମ ବ୍ୟାଗରେ ମନେ କରି ନେଇଯିବ।ପ୍ୟାକେଟ ଉପରେ ସୋନୁ ଫ୍ଲାଟ ଠିକଣା ଅଛି।”
ପ୍ୟାକେଟ୍ ଉପେର ଆଖି ବୁଲାଇ ଆଣି ପଚାରିଲି
-ସୋନୁର ଫୋନ୍ ନମ୍ବର ନାହିଁ ?”
-ମୋ ପାଖରେ ନାହିଁ । ତମ ମଉସାଙ୍କୁ ମାଗିଲେ ଏଇନା ମହାଭାରତ ସୃଷ୍ଟି ହେବ । ମୋ ବାପାଟା ପରା, ଯେମିତି ହେଉ ତାକୁ ଦେଇଦେବ । ତମମାନଙ୍କ ପରି ଆଜିର ମଡର୍ଣ୍ଣ ପିଲାଙ୍କୁ କ’ଣ ଆମ ବୁଢାବୁଢୀଙ୍କ କଥା ଭଲ ଲାଗିବ ? ତଥାପି ମୁଁ ଭାବୁଛି ତମେ ତମ ବୋଉଙ୍କ ସହ ଟିକେ କଥାବାର୍ତ୍ତା କର । ମା’ ମନ ଜଲଦି ବଦଳିଯାଏ ବାପା ମନ ପରି ଟାଣ ନ ଥାଏ । ମୁଁ ଯାଉଛି ବାପା, ତୋ ମଉସା ପୁଣି ଡାକ ପକାଇବେ । ସୋନୁଟା ଭାରୀ ଲାଜକୁଳା । ତା’ ଘରେ ନେଇ ଦେଇଦେବ ବାପା। ପିଠା ଗୁଡ଼ାକୁ ଫ୍ରିଜ୍‌ରେ ରଖିଦେଇଛି, ନହେଲେ ଗନ୍ଧିଆ ହୋଇଯିବ।”
ଲତା ମାଉସୀ ଚାଲିଯାଇଥିଲେ । ଆଶ୍ଚର୍ଯ୍ୟ ହୋଇ ଅନାଇଥିଲି ମୁଁ ତାଙ୍କ ଯିବା ବାଟକୁ । ଡିନର ଖାଇ ଫେରିଥିଲେ ବି ଦୁଇଟା ପିଠା ନେଇ ଖାଇଲି । ସେଥିରେ ଭରି ରହିଥିଲା ଗୋଟେ ମା’ର ମମତାର ବାସ୍ନା ।ସୋନୁର ଠିକଣାଟା ପଢିଲି |
ସୁମିତ୍‌ ମହାପାତ୍ର, ଏସ୍.-୭, ରୋହିଣୀ ଜିଲ୍ଲା । ଆରେ, ଏଇ ଆପାର୍ଟମେଣ୍ଟ, ତ ମୋରି ଘର ପାଖରେ। ସୋନୁ ସହ ପରିଚୟ ହୋଇଯିବ ଏବଂ ମାଉସୀଙ୍କ ଆତିଥ୍ୟତା ପାଇଁ ଧନ୍ୟବାଦ ବି ଜଣାଇଦେବି।
ସକାଳୁ ଏୟାରପୋର୍ଟ ବାହାରିଲା ବେଳେ, ବଳିଥିବା ପିଠା ଖାଇଲି ଓ ସୋନୁ ପାଇଁ ମାଉସୀ ଦେଇଥିବା ପ୍ୟାକେଟ ବ୍ୟାଗରେ ରଖିଲି। ଗେଟ ପାଖରେ ଘର ମାଲିକ ମହାପାତ୍ର ମଉସାଙ୍କ ସହ ଦେଖା ହେଲା । ହାଟ କରିବା ପାଇଁ ବାହାରୁଥିଲେ ବୋଧେ ।
-କୁଆଡ଼େ ଯିବେ କି ମଉସା, ଆସନ୍ତୁ ମୁଁ ଆପଣଙ୍କୁ ଡ୍ରପ୍ କରିଦେବି ।”
ମୋ ଆଡ଼କୁ କ୍ଷଣେ ଅନାଇ ମଉସା କହିଲେ,
– “ନା, ନା, ଟିକେ ଆଗରେ ଥିବା ହାଟକୁ ମୁଁ ଅଟୋରେ ଚାଲିଯିବି।”
– ମୁଁ ତ ସେଇବାଟ ଦେଇ ଏୟାପୋର୍ଟ ଯାଉଛି । ଆସନ୍ତୁ, କିଛି ଅସୁବିଧା ହେବନି ।” ବାଧ୍ୟକରି ମଉସାଙ୍କୁ କାର ଭିତରକୁ ଡାକି ଆଣିଲି । ନିଜର ପରିଚୟ ଦେଇ କହିଲି
– ମୁଁ ରୋହିତ। ଦିଲ୍ଲୀରେ ରହେ।ଏଇ ଦୁଇଦିନ ହେଲାଣି ଗେଷ୍ଟହାଉସ୍‌ରେ ଅଛି । ଯେତେବେଳେ ବି ଆପଣ ସୋନୁ ପାଖକୁ ବୁଲିବାକୁ ଆସିବେ, ନିଶ୍ଚୟ ମୋ ଘରକୁ ଆସିବେ ।”
-କେଉଁ ସୋନୁ” ?
ମହାପାତ୍ର ମଉସାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି ମୁଁ।
-“ସୋନୁ, ଆପଣଙ୍କ ପୁଅ ;ଦ୍ବାରକା ଏରିଆରେ ରହୁଛି ବୋଲି ମାଉସୀ କହୁଥିଲେ ।”
କାର କାଚ ବାଟେ ଥରେ ବାହାରକୁ ଅନାଇ, ମଉସା ପୁଣି ମୋ ଆଡ଼କୁ ଅନାଇ କହିଲେ,
– “ମୋ ମିସେସ୍‌ର ମାନସିକ ଅବସ୍ଥା ଠିକ୍ ନାହିଁ । ବର୍ଷେ ତଳେ ଆମ ପୁଅ ସୋନୁ ସୁଇସାଇଡ଼ କଲା ପରେ ତାର ଏମିତି ଅବସ୍ଥା ହୋଇଛି ।ସିଭିଅର ଡିପ୍ରେସନ।”
ମୋତେ ଲାଗିଲା ଆମ ଗାଡ଼ିଟା ଯେମିତି ହଠାତ୍ ଧକ୍କା ଖାଇଲା ଏବଂ ମୁଁ ବାହାରକୁ ଛିଟିକି ପଡୁଛି । ମଉସାଙ୍କ କଥା ପଦକ ମୋତେ ଯେମିତି ସ୍ତମ୍ଭୀଭୂତ କରି ଦେଇଥିଲା ।
– ଏକମାତ୍ର ପୁଅକୁ ହରାଇଲେ ଗୋଟେ ମା’ର ମନର ଅବସ୍ଥା କଣ ହୁଏ ତାହା ତମେ ବୁଝିପାରୁଥିବ । ଲତା ଏବେ ବି ବିଶ୍ଵାସ କରୁନି ଯେ ସୋନୁ ମରିଯାଇଛି ବୋଲି । ଶକ୍ତ ମାନସିକ ଧକ୍କା ଲାଗିଛି ତାକୁ । ଦିଲ୍ଲୀରେ ରହୁଥିବା କୌଣସି ଲୋକକୁ ଭେଟିଲେ ସୋନୁ କଥା ପଚାରେ। ଆଡ୍ରେସ୍ ଦିଏ ଏବଂ କିଛି ଜିନିଷ ଦେବାକୁ କହେ । ବୋଳେ ବେଳେ ପଇସା ବି ପଠାଏ ଅଜଣା ଲୋକଙ୍କ ହାତରେ ।”
-“ଡାକ୍ତରଙ୍କୁ ଦେଖାଇଛନ୍ତି ?” ମୋ ପାଟିରୁ ହଠାତ ବାହାରିଗଲା ।
ଦୀର୍ଘନିଶ୍ଵାସ ଛାଡ଼ି ମଉସା କହିଲେ,
-” ଡାକ୍ତର ଆଉ କଣ କହିବେ ? ଲତା ଗୋଟେ ଚଳପ୍ରଚଳ ହେଉଥିବା ଜୀଅନ୍ତାଲାସ୍ ।ବେଳେବେଳେ ମୋତେ ଦିଲ୍ଲୀ ଯାଇ ସୋନୁକୁ ଡକାଇ ଆଣିବାକୁ କହେ। ତମକୁ ସୋନୁକୁ କିଛି ଜିନିଷ ଦେବାକୁ କହିଛିକି ?”
– “ ନା’ ।କାହିଁକି କେଜାଣି ମିଛରେ କହିଦେଲି ମୁଁ ।
ଲତା ମାଉସୀଙ୍କ ପରି ଏତେ ସ୍ନେହୀ ଓ ଆପଣାର ମନେ ହେଉଥିବା ମାତୃପ୍ରତିମ ଲୋକଟାକୁ ପାଗଳୀ ବୋଲି ମୁଁ ବିଶ୍ବାସ କରିପାରୁନଥୁଲି । ବ୍ୟାଗଭିତରେ ଥିବା ସେଇ ପିଠା ପ୍ୟାକେଟ୍ ଟା କଥା ଭାବିଲାବେଳେ ଲତାମାଉସୀଙ୍କ ମୁଁହଟା ମୋ ଆଖିଆଗରେ ଭାସିଯାଉଥିଲା । ଗାଡ଼ିରୁ ଓହ୍ଲାଇଲା ପୂର୍ବରୁ ମଉସା କହିଲେ,
-“ ମାଉସୀ କଥାକୁ ଜମାରୁ ଗୁରୁତରଭାବେ ନେବନି। ତମେ ନୂଆ ମଣିଷ, ଆମ ପାଇଁ ଏ ସବୁ ଦେହସୁହା ହୋଇଗଲାଣି ।”
ମୋର ମନେପଡୁଥିଲା ପିଲାଦିନେ ପଢିଥିବା ଡିମିରିଫୁଲ ଗପ।ଓଃ,ଭଗବାନ କାହିଁକି ଏଭଳି ଦଣ୍ଡ ଭଲ ମଣିଷଙ୍କୁ ଦିଅନ୍ତି ?
ଫ୍ଲାଇଟ୍‌ରେ ଗୋଟିଏ ପ୍ରଶ୍ନ ବାରମ୍ବାର ମୋ ମନକୁ ଦେହଲାଇଦେଉଥିଲା,
– ମାଉସୀ ଯଦି ପାଗିଳୀ, ତେବେ ସୋନୁର ଆଡ୍ରେସ୍ କେମିତି ମନେରଖିଛନ୍ତି ? ମାନସିକ ଧକ୍କା ଖାଇଥିବା ଲୋକ କଣ ପୁରୁଣା ଆଡ୍ରେସ୍ ଏମିତି ନିର୍ଭୁଲ ଭାବେ ମନେରଖପାରିବ ?
ଘରେ ପହଞ୍ଚିଲା ବେଳକୁ ଦିନ ବାରଟା ବାଜି ସାରିଥିଲା । ଗାଧୋଇସାରି ଟେବୁଲ୍ ଉପରେ ଥୁଆ ହୋଇଥିବା ଲଞ୍ଚ ଖାଇଦେଇ ଟିକେ ଗଡ଼ିଗଲି । ଫତିମା ତିନିଦିନ ପାଇଁ ଟୁରରେ ବାଙ୍ଗାଲୋର ଯାଇଥିଲା, ଆସନ୍ତା କାଲି ଫେରିବ । ରବିବାର ଯୋଗୁଁ ଏକୁଟିଆ ଘରେ ବୋର୍ ଲାଗୁଥିଲା। ହଠାତ୍ ରୋହିଣୀ ଏନକ୍ଲେଭ ଆଡ୍ରେସ୍ କଥା ଏବଂ ବ୍ୟାଗରେ ଥିବା ପିଠା ପ୍ୟାକେଟ୍ କଥା ମନେ-ପଡ଼ିଲା। ସୁସ୍ୱାଦୁ ପିଠା ଗୁଡ଼ାକ ମନଭରି ମୁଁ ହିଁ ଖାଇବି। ଫତିମା ବି ଚାଖିଲେ ଖୁସି ହେବ ।
ତେବେ କାହିଁକି କେଜାଣି କେମିତି ଏକ ଅଦ୍ଭୁତ ବିଚାର ମୋ ମୁଣ୍ଡକୁ ଢୁକିଲା।
ଜିନ୍ସ ଓ ଟି-ସାର୍ଟ ପିନ୍ଧି, ସେଇ ପ୍ୟାକେଟ୍‌ଟା ଧରି ବାହାରିଗଲି ଗୋହିଣୀ ଏନ୍କ୍ଳେଭ୍ ଉଦ୍ଦେଶ୍ୟରେ । ଆପାର୍ଟମେଣ୍ଟ ପାଇବାବୁ ବୋଶୀ କିଛି କଷ୍ଟ କରିବାକୁ ପଡ଼ିଲାନି, ୱାଚ୍‌ମ୍ୟାନ୍‌କୁ ପଚାରିଲି
-“ ଫ୍ଲାଟ ନଂ ୭୦୨ କେ, ମହାପାତ୍ର ସାବ୍ ଘର ମେଁ ହେଁ ?
ରେଜିଷ୍ଟର ଚେକ୍‌କରି ୱାଚମ୍ୟାନ କହିଲା,
– ସାବ୍ ନେହିଁ, ମହାପାତ୍ର ମ୍ୟାଡ଼ମ ହେ।”
ଚମକି ପଡିଲି ମୁଁ। ରେଜିଷ୍ଟରରେ ନିଜ ନାଁ ଲେଖି ଲିଫ୍ଟରେ ସାତମହଲାକୁ ଆଗେଇଲା ବେଳେ ଭାବୁଥିଲି କିଏ ତାହାହେଲେ ମିଛ କହୁଥିଲା? ଲତାମାଉସୀ ନା ମଉସା ? ମହାପାତ୍ର ମ୍ୟାଡ଼ମ ଅଛନ୍ତି ମାନେ ଏଘରେ ନିଶ୍ଚୟ ସୋନୁ ସସ୍ତ୍ରୀକ ରହୁଛି । ମାଉସୀଙ୍କ କଥା ତାହା ହେଲେ ସତ । ସୋନୁ ବୋଧେ ମୋ ପରି ନିଜ ଇଚ୍ଛାରେ ଅନ୍ୟ ଜାତି/ଧର୍ମ ଝିଅକୁ ବାହାହୋଇ ଏମିତି ଅଲଗା ରହୁଛି ବୋଲି ମଉସା ରାଗିଛନ୍ତି ? ନିଜ ବାପାଙ୍କ କଥା ମୋର ମନେପଡ଼ିଗଲା ।
କଲିଂବେଲ୍‌ ମାରିଲା ପରେ ଯେଉଁ ଭଦ୍ରମହିଳା କବାଟ ଖୋଲିଲେ, ତାଙ୍କୁ ଦେଖି ଲାଗିଲା ମୁଁ ଯେମିତି ଆଗରୁ କେଉଁଠି ତାଙ୍କୁ ଦେଖୁଛି। ନିଜ ପରିଚୟ ଦେଇ ପ୍ୟାକେଟ୍‌ ତାଙ୍କ ହାତକୁ ବଢ଼ାଇଦେଇ କହିଲି
-ଓଡିଶାରୁ ମୋ ହାତରେ ଏଇ ପ୍ୟାକେଟ ସୋନୁଙ୍କ ମା ପଠାଇଛନ୍ତି।ମାଉସୀ ଭାରୀ ସ୍ନେହୀ ଲୋକ।ପିଠା ବହୁତ ଟେଷ୍ଟି ହୋଇଛି । ସୁମିତଙ୍କୁ ବହୁତ ଭଲପାଆନ୍ତି ମାଉସୀ । ତେବେ ମଉସା ବୋଧେ ଟିକେ ରାଗ ଅଭିମାନ କରିଛନ୍ତି ଆପଣଙ୍କ ଦୁହିଁଙ୍କ ଉପରେ । ସୁମିତ୍‌ କଣ ବାହାରକୁ ଯାଇଛନ୍ତି କି ? ଆପଣ ବୋଧେ ସୁମିତ୍‌ଙ୍କ…
– ଭିତରକୁ ଆସନ୍ତୁ ।” ମହିଳା ଜଣଙ୍କ କହିଲେ ।
ମୋତେ ସୋଫାରେ ବସିବାକୁ କହି ଉକ୍ତ ମହିଳା ପ୍ୟାକେଟ ଟା ଖୋଲି ସାଙ୍ଗେ ସାଙ୍ଗେ ଗୋଟେ ପଠା ଖାଇ ମୋ ଆଡ଼କୁ ବଢ଼ାଇ ବାରୁ ମୁଁ କହିଲି,
-ମୁଁ ବହୁତ ଖାଇଛି ଆଜି ସକାଳେ।ସୋନୁ ଙ୍କ ପାଇଁ ମାଉସୀ ଖାସ ଏଇ ପିଠା…
ମୋ କଥାକୁ ଅଧାରେ ରଖି ସେ କହିଲେ,
-“ମୁଁ ହିଁ ସୋନୁ ।ଏବେ ମୁଁ ସୁମିତ ନୁହେଁ, ବରଂ ସୁମିତା ମହାପାତ୍ର ହୋଇଯାଇଛି; ସ୍କେକ୍ସଚେଞ୍ଜ ଅପରେସନ୍ ପରେ” ।
ମୋତେ ଲାଗିଲା ମୁଁ ଯେମିତି ସାମ୍ନାରେ ଭୂତଟେ ଦେଖୁଛି । ଏ ଝିଅଟା ସୋନୁ !! ମାଉସୀଙ୍କ ଗେହ୍ଲାପୁଅ ସୁମିତ୍‌ !! ବୋକାଙ୍କ ପରି ମୁଁ ଅନାଇ ଥାଏ। ମୋ ମୁଁହର ଅବସ୍ଥାକୁ ସଂପୂର୍ଣ୍ଣଭାବେ ପଢ଼ିପାରୁଥିଲେ ବି, କୌଣସି ଭାବଭଙ୍ଗୀ ନଦେଖାଇ ନିର୍ବିକାର ଭାବେ ସୋନୁ ଓରଫ ସୁମିତା କହିଲା,
-“ଏମତି ଚରମ ପଦକ୍ଷେପ ପାଇଁ ବାପା ଓ ବୋଉ ଜମା ରାଜି ନଥିଲେ । ବାପାଙ୍କ ପାଇଁ ମୁଁ ମରିଯାଇଛି, କାରଣ ସେମାନଙ୍କ ନାଁରେ କେସ୍‌କରି କ୍ଷତିପୂର୍ଣ୍ଣ ଦାବୀ କରିଥିଲି । କିଛି ବର୍ଷ ତଳେ ନିଜେ ହେଡ୍ ଲାଇନ ବନି ଯାଇଥିଲି ମୁଁ ।”
ମୋର ବି ଏମିତି ଗୋଟେ ନିଉଜ୍ ପଢ଼ିଥିବାର ମନେପଡିଗଲା।ଲୋକ ଲଜ୍ୟା ଯୋଗୁଁ, ପୁଅର ସେକ୍ସଚେଞ୍ଜ ଅପରେସନ ପାଇଁ ରାଜି ନଥିବା ବାପା ନାଁ ରେ ଜଣେ ପୁଅ ମାନହାନୀ ମକଦ୍ଦମା ଦାୟର କରିଥିଲା।
ପୁରାପୁରି ଝିଅପିଲା ପରି ଦିଶୁଛି ସୋନୁ ଓରଫ ସୁମିତ !!! ମାଉସୀଙ୍କର ଚେହେରା ସହ ଅନେକ ମେଳ ଅଛି ତାର। ମୋ ପାଟିରେ କିଏ ଯେମିତି ତାଲା ପକାଇ ଦେଇଥିଲା ।
-“ମୋ ଲାଇଫ ମୁଁ ନିଜ ଇଚ୍ଛା, ଖୁସିରେ ବଞ୍ଚୁଛି । ବାପା, ମାଙ୍କ ମନରେ ଦୁଃଖ ଦେବା ମୋର ଇଚ୍ଛାନଥିଲା; ହେଲେ ସେମାନଙ୍କ ଇଚ୍ଛା ଯଜ୍ଞରେ ନିଜର ଜୀବନକୁ ଆତ୍ମାହୁତି ଦେବାକୁ ନିଜ ମନକୁ ରାଜି କରାଇପାରିଲିନି । ବୋଉ କେମିତି ଅଛି ? ଅଦ୍ଭୁତ ସ୍ତ୍ରୀ ଲୋକ ଟା ସତରେ । ପୁଅକୁ ଭୁଲିପାରୁନି, କିନ୍ତୁ ଗୋଟେ ପୁଅ ଦେହରେ ବଢୁଥିବା ଝିଅର ଆତ୍ମାକୁ ସେ ବାପାଙ୍କ ଭୟରେ ଗ୍ରହଣ କରି ପାରୁନି । ବାପାଙ୍କ ଇଜ୍ଜତ ଓ ସମାଜ ଡରରେ ମୋ ପାଖକୁ ଆସିବାର ସାହାସ ବି ରଖୁନି ।”
ପଥର ମୂର୍ତ୍ତିଟେ ପରି ବସିଥିଲି ମୁଁ ।
ଧନ୍ୟବାଦ ଦେଇ ଫ୍ଲାଟରୁ ବାହାରି ଆସିଲା ବେଳେ ବାରମ୍ବାର ମାଉସୀଙ୍କ ମୁହଁଟା ଓ ସେଇ ଡିମିରିଗଛ ମୋ ସାମ୍ନାରେ ନାଚି ଉଠିଲା।ଡିମିରି ଗଛ କଣ ଚାହେଁ ?ଫୁଲ ନା ଫଳ ଅଥବା ଉଭୟ ?
ଲତା ମାଉସୀଙ୍କ କଥା ପଦକ ମୋର ମନେପଡ଼ୁଥୁଲା, “ମା ମନ ଜଲଦି ବଦଳି ଯାଏ, ବାପା ମନ ପରି ଟାଣ ନଥାଏ ।”
ବାପା ସିନା ରାଗିଛନ୍ତି,ହେଲେ ବୋଉ !!
ନିଜ ମୋବାଇଲ୍‌ରେ ଘର ଲ୍ୟାଣ୍ଡଲାଇନ୍ ନମ୍ବର ଖୋଜିଲା ବେଳକୁ ବୋଉର ମୁଁହଟା ମନେପଡିଯାଇ ବାରମ୍ବାର ମୋ ଆଖି ଦୁଇଟା ଓଦା ହୋଇଯାଇଥିଲା।
(©ଅରବିନ୍ଦଦାସ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking