16.1 C
Bhubaneswar
Tuesday, November 26, 2024
Homeଓଡିଶାବିଦ୍ୟାଳୟରେ ଦକ୍ଷତା ବିକାଶକୁ ଗୁରୁତ୍ୱ : ୫୮ହଜାର୮୯ ସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ

ବିଦ୍ୟାଳୟରେ ଦକ୍ଷତା ବିକାଶକୁ ଗୁରୁତ୍ୱ : ୫୮ହଜାର୮୯ ସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ

ଭୁବନେଶ୍ୱର:  ଗତ ୨ବର୍ଷ ହେବ ରାଜ୍ୟରେ ଶ୍ରେଣୀ ପାଠପଢ଼ା ବନ୍ଦ ରହିଥିବା ବେଳେ ପ୍ରତ୍ୟେକ ପିଲା ଯେପରି ଶିକ୍ଷା ପାଇପାରିବେ ସେଥିଲାଗି ବିଭିନ୍ନ ମାଧ୍ୟମରେ ଶିକ୍ଷାଦାନ ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ରାଜ୍ୟରେ ଦଶମ ଓ ନମବ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହେଲାଣି । ଖୁବଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାର କରାଯାଉଛି ।  କେବଳ ଶିକ୍ଷା ନୁହେଁ ଏଣିକି ବିଦ୍ୟାଳୟ ସ୍ତରରୁ ପିଲାଙ୍କ ଦକ୍ଷତା ବିକାଶ ଲାଗି ଗୁରୁତ୍ୱ ଦିଆଯିବ । ସ୍କୁଲସ୍ତରରେ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହେବା ପରେ ୨୦୨୧ ମେ’ରୁ ସ୍କୁଲରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଥିବାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା ।

ଆସନ୍ତା ଶିକ୍ଷାବର୍ଷରୁ ଅର୍ଥାତ ୨୦୨୧-୨୨ରେ ରାଜ୍ୟର ସ୍କୁଲଗୁଡିକର  ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ବିଭାଗ ଯୋଜନା କରୁଥିବା ବେଳେ ସ୍କୁଲସ୍ତରରୁ ପିଲାଙ୍କ ଦକ୍ଷତା ବୃଦ୍ଧି ଲାଗି ମାନଦଣ୍ଡ ପ୍ରସ୍ତୁତ କରାଯିବ । ଏଥିପାଇଁ ରାଜ୍ୟର ୫୮ହଜାର ୮୯ଟି ସ୍କୁଲକୁ ସାମିଲ କରାଯାଇଛି । ତେବେ ଏପରି ବ୍ୟବସ୍ଥା ଦେଶର ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ କେରଳରେ ଲାଗୁ ହୋଇଥିବା ବେଳେ ଚତୁର୍ଥ ରାଜ୍ୟ ଭାବେ ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି । ସୂଚନା ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷରୁ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ବିଭିନ୍ନ ପ୍ରକଳ୍ପ ଲାଗି ଅନୁଦାନ ପ୍ରଦାନ କରାଯାଉଥିବା ବେଳେ ଏଣିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ  ସ୍ୱତନ୍ତ୍ର ଅନୁଦାନ ଦିଆଯିବ।

ବିଶେଷକରି ସ୍କୁଲ ଗୁଡିକରେ ବିଜ୍ଞାନ ଉପକରଣ, ପାଠ୍ୟପୁସ୍ତକ, ଖେଳ ସରଞ୍ଜମ, ଶିକ୍ଷାଦାନ ଲାଗି ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ଅନୁଯାୟୀ ସୁବିଧା ସୁଯୋଗ ଏବଂ କିଛି ବାଳିକା ବିଦ୍ୟାଳୟରେ ପିଲାଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୫ହଜାର ପ୍ରାଥମିକ ସ୍କୁଲ ଓ ୧୭ହଜାର ଉଚ୍ଚପ୍ରାଥମିକ ସ୍କୁଲକୁ ତାଲିକାଭୁକ୍ତ କରାଯାଇଥିବା ବେଳେ ୨୦୨୨ରୁ ରାଜ୍ୟର ସବୁ ସରକାରୀ ସ୍କୁଲ ଏହି ଯୋଜନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।  ବିଜ୍ଞାନ ଉପକରଣ ଲାଗି ପ୍ରତି ସ୍କୁଲକୁ ୫ ହଜାର ଟଙ୍କା, ପାଠ୍ୟପୁସ୍ତକ ଲାଗି ୮ହଜାର ଟଙ୍କା,  ଖେଳ ସରଞ୍ଜମ ଲାଗି  ଅଢ଼େଇ ହଜାର ଟଙ୍କା, ବାଳିକା ବିଦ୍ୟାଳୟଗୁଡିକରେ ପିଲାଙ୍କୁ ମୌଳିକ ସୁବିଧା ଲାଗି ୬ ହଜାର ଟଙ୍କା ଦିଆଯିବ ।

ମୋଟ୍ ଉପରେ ପ୍ରତି ସ୍କୁଲକୁ ୨୧ହଜାର ୫୦୦ ଟଙ୍କା ମିଳିବ । ପ୍ରତି ୩ ବର୍ଷକୁ ଥରେ ଏହି ଅନୁଦାନ ପ୍ରଦାନ କରାଯିବ । ସେହିପରି ସ୍କୁଲ ମନିଟରିଂ ଲାଗି ପ୍ରତ୍ୟେକ ସ୍କୁଲକୁ ବାର୍ଷିକ ୫ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ । ଯେଉଁଥିରେ ଶିକ୍ଷକଙ୍କ ଲାଗି ତାଲିମ୍‌, ବିଭିନ୍ନ ପ୍ରତିଯୋଗୀତା, ପ୍ରଦର୍ଶନୀର ଆୟୋଜନ ଲାଗି ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ପ୍ରତିଶତ ପିଲାଙ୍କର ସଠିକ ଭାବେ ଦକ୍ଷତା ବୃଦ୍ଧି ଘଟୁଥିବା ବେଳେ ୬୫ପ୍ରତିଶତ ପିଲା କ୍ରୀଡା ଏବଂ ବିଜ୍ଞାନରେ ପଛରେ ଥାନ୍ତି ।

ଏପରକି ସରକାରୀ ସ୍କୁଲଗୁଡିକରେ କେବଳ ପିଲାଙ୍କୁ ପାଠ୍ୟପୁସ୍ତକରେ ସିମିତ ରଖାଯାଉଥିବା ବେଳେ ଆସନ୍ତା ଶିକ୍ଷା ବର୍ଷରୁ ସରକାରୀ ସ୍କୁଲଗୁଡିକରେ ଷଷ୍ଟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଜାତୀୟସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ମୁକାବିଲା କରିବାର ଦକ୍ଷତା ବୃଦ୍ଧି ଲାଗି ପ୍ରୟାସ କରାଯିବ ।  ଏନେଇ ମଧ୍ୟ ସେମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ସହ ବିଭିନ୍ନ ବିଷୟରେ ଅଧିକ ଦକ୍ଷତା ବଢ଼ାଇବା ଲାଗି ଅତିରିକ୍ତ ପ୍ର୍ରୟାସ ହେବ । ଅପରପେକ୍ଷ ଏନେଇ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏନେଇ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଏହାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking