29.1 C
Bhubaneswar
Tuesday, November 26, 2024
Homeଓଡିଶାକାବୁଲରୁ ଫେରିଲେ ଓଡ଼ିଆ ଯବାନ : ବଖାଣିଲେ ଭୟାବହତା

କାବୁଲରୁ ଫେରିଲେ ଓଡ଼ିଆ ଯବାନ : ବଖାଣିଲେ ଭୟାବହତା

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ତାଲିବାନ ଶାସନ ଫେରିଛି । ତାଲିବାନୀଙ୍କ ଭୟରେ ଆଫଗାନବାସୀଙ୍କ ସମେତ ସେଠାରେ ଅବସ୍ଥାପିତ ଥିବା ବିଦେଶୀ ନାଗରିକ, ଅଧିକାରୀ ସମସ୍ତେ ଦେଶ ଛାଡ଼ୁଛନ୍ତି । କାବୁଲ ଅଧିଗ୍ରହଣ କରିବା ପରଠୁ ତାଲିବାନୀ ନିଜ କ୍ରୁରତା ଦେଖାଇ ଚାଲିଥିବା ବେଳେ ମଙ୍ଗଳବାର ଆମେରିକୀୟ ସୈନ୍ୟ ସ୍ୱଦେଶ ଫେରିବା ପରେ ଏହା ଆହୁରି ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି । ଇତିମଧ୍ୟରେ ଭାରତ ତା’ର ଅଧିକାରୀ, ଦୂତାବାସ କର୍ମଚାରୀ ଏବଂ ବହୁ ନାଗରିକଙ୍କୁ ସ୍ୱଦେଶକୁ ଆଣିସାରିଛି । କାନ୍ଦାହାର ଠାରେ ଭାରତୀୟ ଦୂତାବାସରେ ନିୟୋଜିତ ଥିବା ଜଣେ ଓଡ଼ିଆ ଯବାନ ମଧ୍ୟ ଭାରତ ଫେରିଛନ୍ତି । ଦେଶରେ ପାଦ ଦେବାପରେ ସେ ସେହି ମୁହୂର୍ତ୍ତର ଭୟାବହତା ବଖାଣିଛନ୍ତି । ଓଡ଼ିଶା ଯବାନ ଜଣକ ହେଉଛନ୍ତି ଆଇଟିବିପି କମାଣ୍ଡୋ ଦୀପକ ଚୌଧୁରୀ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ନାଳଦିଆ ଶାସନ ଗାଁରେ ।

ଚଳିତ ଫେବୃଆରୀରେ ଦୀପକଙ୍କୁ କାନ୍ଦାହାର ପଠାଯାଇଥିଲା । ସେଠାରେ ସେ ଭାରତୀୟ ଦୂତାବାସର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ । ହେଲେ ଅଗଷ୍ଟ ୧୫ରେ କାବୁଲ ଦଖଲ କରିବାର ବହୁ ପୂର୍ବରୁ ତାଲିବାନୀ ମାନେ ଆଫଗାନିସ୍ଥାନର ସବୁଠୁ ବଡ଼ ସହର କାନ୍ଦାହାରକୁ ନିଜ କବ୍ଚାକୁ ନେଇସାରିଥିଲେ । ଏଣୁ ସେଠାରେ ଦୀପକଙ୍କ ସମେତ ଭାରତୀୟ ଦୂତାବାସର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଫସିଯାଇଥିଲେ । ଦୀପକଙ୍କ କହିବା ମୁତାବକ ଭାରତ ସରକାରଙ୍କ ନିର୍ଦ୍ଦେଶରେ ସେ ଏବଂ ତାଙ୍କର ୪୫ ଜଣ ସହଯୋଗୀ ଅଗଷ୍ଟ ୯ ତାରିଖରେ ଦୂତାବାସ ଛାଡ଼ିଥିଲେ । ସେଠାରୁ ସେମାନେ କାନ୍ଦାହାର ବିମାନବନ୍ଦର ଅଭିମୂଖେ ବାହାରିଥିଲେ । ସହର ସାରା ବନ୍ଧୁକଧାରୀ ତାଲିବାନୀ ଆତଙ୍କବାଦୀ ଚଳପ୍ରଚଳ କରୁଥିଲେ । ଏଣୁ ସମସ୍ତେ ବେଶ ଭୟ ଅନୁଭବ କରୁଥିଲେ ।

ଏପରିକି କିଛି ତାଲିବାନୀ ତାଙ୍କୁ ରାସ୍ତାରେ ଅଟକାଇଥିଲେ । ହେଲେ ପରେ ଯିବାକୁ ଅନୁମତି ପ୍ରଦାନ କରିଥିଲେ । କଷ୍ଟେମଷ୍ଟେ ବିମାନବନ୍ଦର ପହଞ୍ଚିବା ପରେ ସମସ୍ତେ ୯ ତାରିଖ ଦିନ ସେହିଠାରେ ହିଁ ରହିଥିଲେ ଏବଂ ପରଦିନ ସି-୧୭ ବିମାନରେ ଦିନ ୧୧ଟାରେ ସ୍ୱଦେଶ ଅଭିମୂଖେ ବାହାରିଥିଲେ । ବର୍ତ୍ତମାନ ଦିଲ୍ଲୀରେ ଥିବା ଦୀପକ କହିଛନ୍ତି ଯେ ୯ ତାରିଖ ସକାଳ ୬ଟାରୁ ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସେ ସମୟ ବେଶ ଆହ୍ୱାନପୂର୍ଣ୍ଣ ଥିଲା ଏବଂ ତାକୁ ମନେପକାଇଲେ ଏବେ ବି ଲୋମ ଟାଙ୍କୁରି ଉଠେ । ଗୋଟେ ମୁହୂର୍ତ୍ତରେ ସ୍ୱଦେଶ ଫେରିବାକୁ ସମସ୍ତେ ଆଶା ଛାଡ଼ି ଦେଇଥିଲେ । ତେବେ ଦିଲ୍ଲୀରେ ପାଦ ଦେବାପରେ ସେମାନେ ନିଶ୍ୱାସ ନେଇଥିଲେ । ପୁଅ ଆଫଗାନିସ୍ତାନରୁ ସୁରକ୍ଷିତ ସ୍ୱଦେଶ ଫେରିଥିବାରୁ କେନ୍ଦ୍ରାପଡ଼ାରେ ଥିବା ଦୀପକଙ୍କ ବାପା ମା’ ମଧ୍ୟ ଚିନ୍ତାରୁ ମୁକୁଳିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking