ବଲାଙ୍ଗୀର – ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଗଠନର ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଆଲୋଚନା କରିଛନ୍ତି । ବିଶେଷତଃ ଜମି ଓ ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି) ମାନଦଣ୍ଡ ପୂରଣ ଦିଗରେ ପୁରାତନ ଛାତ୍ର ସଙ୍ଗଠନର ଅସୀମ ପଟ୍ଟନାୟକ, ଜିଲା ଓକିଲ ସଂଘ ସଭାପତି ପ୍ରବୀଣ କୁମାର ମିଶ୍ର ଓ ବରିଷ୍ଠ ଆଡଭୋକେଟ୍ ଭବାନୀ ଶଙ୍କର ଶତପଥି ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତାଙ୍କର ସହେଯାଗ ଲୋଡିଥିଲେ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାଁରେ ଏପର୍ଯ୍ୟନ୍ତ କୌଣସି ଜମିପଟ୍ଟା ବା ଆରଓଆର ନାହିଁ । ବଲାଙ୍ଗିର ରେ ଏକ ପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ଅତିକମ୍ରେ ୧୫୦ ଏକର ଜମି ଆବଶ୍ୟକ । ପୂର୍ବତନ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଏହି ଶିକ୍ଷାନୁଷ୍ଠାନକୁ ୨୪୮ ଏକର ଜମି ଦେଇଥିବା ଚର୍ଚ୍ଚା ହୁଏ । କିନ୍ତୁ, ଜମି ସଂକ୍ରାନ୍ତୀୟ କୌଣସି କାଗଜପତ୍ର ଏଯାଏଁ ହସ୍ତଗତ ହୋଇନାହିଁ । ଏଭଳି ସ୍ଥିତିରେ ସାଂସଦ ଓ ପୂର୍ବତନ ମନ୍ତ୍ରୀ ଙ୍କ ସହଯୋଗ କରିବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଥିଲେ । ଆହୁରି ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି) ସ୍ୱୀକୃତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସାଂସଦ ସିଂହଦେଓ ବିଶ୍ୱବିଦ୍ୟାଳୟର ୟୁଜିସି ୧୨ (ବି) ସ୍ୱୀକୃତି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଜଣାଇବେ ବୋଲି କହିଥିଲେ । ଶିକ୍ଷାନୁଷ୍ଠାନର ଜମି ସଂକ୍ରାନ୍ତୀୟ କାଗଜପତ୍ର ନିମନ୍ତେ କଟକ ସ୍ଥିତ ରେକର୍ଡ ରୁମ୍ ଏବଂ ସମ୍ବଲପୁର ରାଜସ୍ୱ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଖୋଜି ବାହାର କରିବାକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରତିଶୃତି ଦେଇଥିଲେ । ଆଗାମୀ ଦିନରେ ବିଶ୍ୱ ବିଦ୍ୟାଳୟର ସମ୍ପୁର୍ଣ୍ଣ ଭିତ୍ତିଭୂମିର ବିକାଶ ସହିତ ସର୍ବାଙ୍ଗିନ ଉନ୍ନତି ଦିଗରେ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସାଂସଦ ଶ୍ରୀମତୀ ସିଂଦେଓ ଦୃଢ ଆଶ୍ୱାସନ ଦେବା ସହିତ ଅତିଶିଘ୍ର ଏ ଦିଗରେ ବିଶ୍ୱ ବିଦ୍ୟାଳୟର କୂଳପତି, କୂଳ ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୟୁଜିସି ୨ ଏଫ୍ ସ୍ୱୀକୃତି ପାଇଁ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରିବା ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରଦାନରେ ତାଙ୍କର ଭୂମିକା ପାଇଁ ପ୍ରତିନିଧି ଦଳ ସାଂସଦ ସିଂହଦେଓଙ୍କୁ କୃତଜ୍ଞତା ଜଣାଇଥିଲେ ।ି ଆଲୋଚନା ସମୟରେ ଭାଜପା ଜିଲା ସଭାପତି ତଥା ପୂର୍ବତନ ଛାତ୍ର ଶିବାଜୀ ମହାନ୍ତି ଉପସ୍ଥିତ ରହି ଆଲୋଚନା ଅଂଶ ଗ୍ରହଣ କରିଥିଲେ ।