ନୂଆଦିଲ୍ଲୀ: ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଭାରତ ନିଜର ନୀତି ନିର୍ଦ୍ଧାରଣ କରିବାକୁ ଚିନ୍ତା କରୁଥିବା ବେଳେ ଭାରତ ସହ ବିଭିନ୍ନ କ୍ଷେତ୍ରରେ ସ୍ୱାଭାବିକ ସମ୍ପର୍କ ବଜାୟ ରଖିବାକୁ ତାଲିବାନ ଆଗ୍ରହୀ ବୋଲି ଏହାର ଜଣେ ବରିଷ୍ଠ ନେତା କହିଛନ୍ତି । ଇଣ୍ଡିଆନ ମିଲିଟାରୀ ଏକାଡେମୀ(ଆଇଏମଏ)ରେ ଟ୍ରେନିଂ ନେଇଥିବା ତଥା ତାଲିବାନର ବରିଷ୍ଠ ନେତା ଭାବେ ପରିଚିତ ଶେର ମହମ୍ମଦ ଆବାସ ସ୍ତେନେକଜାଇ ଏଭଳି ବଡ ଘୋଷଣା କରିଛନ୍ତି । ତାଲିବାନୀ ଗୋଷ୍ଠୀ ଦ୍ୱାରା କାବୁଲ ଦଖଲ କରାଯିବା ପରେ ପ୍ରଥମଥର ପାଇଁ ଆବାସ୍ ଏକ ୪୬ ମିନିଟ୍ରେ ଭିଡିଓରେ ଏହା କହିଥିବା ବେଳେ ସଂପୃକ୍ତ ଭିଡିଓ ତାଲିବାନୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାରତ ସହିତ ରାଜନୈତିକ କ୍ଷେତ୍ର ଠାରୁ ଆରମ୍ଭ କରି ବାଣିଜ୍ୟକ ଏବଂ ସାଂସ୍କୃତିକ କ୍ଷେତ୍ରରେ ତାଲିବାନ ସମ୍ପର୍କ ପ୍ରତିଷ୍ଠା କରିବାକୁ ଆଗ୍ରହୀ ବୋଲି ସେ କହିଛନ୍ତି । କେବଳ ଭାରତ ନୁହେଁ, ଆଫଗାନିସ୍ତାନର ପଡୋଶୀ ରାଷ୍ଟ୍ର ଭାବେ ରୁଷିଆ, ଚୀନ ଏବଂ ପାକିସ୍ତାନ ସହ ମଧ୍ୟ ଉତ୍ତମ ସମ୍ପର୍କ ରକ୍ଷା କରାଯିବ ବୋଲି ସେ କହିଛନ୍ତି । ଏହି ଉପ ମହାଦେଶରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ରାଜନୈତିକ, ବାଣିଜ୍ୟିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଆମର ସମ୍ପର୍କ ବଜାୟ ରହିବ । ପାକିସ୍ତାନ ଦେଇ ଭାରତ ସହ ଆମର ବାଣିଜ୍ୟିକ କାରବାର ମଧ୍ୟ ଆଫଗାନିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାବ୍ୟତୀତ ଆକାଶମାର୍ଗରେ ମଧ୍ୟ ଭାରତ ସହ ବାଣିଜ୍ୟିକ କାରବାର ଜାରି ରହିବ । ତେବେ ପାକିସ୍ତାନ ଦେଇ ଦ୍ୱିପାକ୍ଷିକ କାରବାର ହେବ କି ନାହିଁ ତାହା ଆବାସ ସ୍ପଷ୍ଟ କରିନାହାନ୍ତି । ଭାରତ ଦ୍ୱାରା ନିର୍ମାଣ କରାଯାଇଥିବା ଛାବାହାର ବନ୍ଦର ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିବା ସହିତ ସାମୁଦ୍ରିକ ପଥରେ ଭାରତ ସହ କାରବାର ପାଇଁ ଏହା ମଧ୍ୟ ଆଫଗାନିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଆବାସ କହିଥିବା ବେଳେ ଇରାନ ସହ ସ୍ୱାଭାବିକ ସମ୍ପର୍କ ରକ୍ଷା କରାଯିବ ବୋଲି ସେ କହିଛନ୍ତି । ସେ ଆହୁରି କହିଥିଲେ, ‘ପାକିସ୍ତାନ ପରି ଭାରତ ସହିତ ମଧ୍ୟ ଆମର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଅଟେ । ଭାରତ ସହ ବାଣିଜ୍ୟିକ ସମ୍ପର୍କ ରଖିବା ପାଇଁ ଆମର ଆକାଶ ପଥ ଖୋଲା ରହିବ ।’ ତେବେ ଆଫଗାନିସ୍ତାନ-ଭାରତ ମଧ୍ୟରେ ଯୋଗାଯୋଗର ରାସ୍ତା ପାକିସ୍ତାନ ବନ୍ଦ କରି ଦେଇଛି । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ଉଭୟ ବ୍ୟବସାୟ ଏବଂ ଯୋଗାଯୋଗ ସମ୍ପର୍କକୁ ଛିନ୍ନ ହୋଇଯାଇଛି । ଏପରି ସମୟରେ ତାଲିବାନ ନେତାଙ୍କର ଏପରି ବୟାନ ବେଶ ମହତ୍ୱପୂର୍ଣ୍ଣ ।