ଭୁବନେଶ୍ୱର: ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିବାରେ ଲାଗିଛି । ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ହେଲେ ଆବଶ୍ୟକ ପରିମାଣର ବର୍ଷା ନାହିଁ । ବିଲରେ ପାଣି ନାହିଁ, ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ତଳି ରୁଆ ପରେ ବିଲରେ ପାଣି ରହିବା ବଦଳରେ ମାଟି ଫାଟି ଆଁ କରିଛି । ପାଣି ଅଭାବରୁ ବିହନରୁ ଗଜା ହେଉନି । କିଛି ଜିଲ୍ଲାରେ ସ୍ଥିତି ଏମିତି ଯେ ରୋଇଥିବା ତଳି ବି ଶୁଖିଗଲାଣି । ଏ ହେଉଛି ଚଳିତ ଖରିଫ ଋତୁର ବିକଳ ଚିତ୍ର । ଖାଲି ଗୋଟିଏ କି ଦୁଇଟି ଜିଲ୍ଲା ନୁହେଁ ବରଂ ରାଜ୍ୟର ଅନେକ ଜିଲ୍ଲାରେ ଏବେ ସ୍ଥିତି ସମାନ । ତଳମୁଣ୍ଡରେ ପାଣି ଅଭାବରୁ ଚାଷୀମାନେ ଏବେ ବର୍ଷା ପାଇଁ ଆକାଶକୁ ଚାତକ ପରି ଚାହିଁ ରହିଛନ୍ତି । ଚଳିତ ବର୍ଷ ଖରିଫ ଋତୁରେ ୧୨୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ପାଇଁ କୃଷି ବିଭାଗ ଆକଳନ କରିଛି । କିନ୍ତୁ ନିଅଣ୍ଟିଆ ବର୍ଷା ଏହି ଲକ୍ଷ୍ୟକୁ ବାଟବଣା କରିଦେବ ବୋଲି ମନେ ହେଉଛି ।
ସୂଚନା ମୁତାବକ, ଅଗଷ୍ଟ ମାସରେ ଦୁଇ ଦୁଇଟି ଲଘୁଚାପ ହୋଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ଆଉ ୪ ଦିନ ପର୍ଯ୍ୟନ୍ତ ମଧ୍ୟ ଆଶାନୁରୂପକ ବର୍ଷା ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ନିମ୍ନଚାପ ରେଖା ସକ୍ରିୟ ରହିଥିବାବେଳେ ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି । ରାଜ୍ୟରେ ଜୁନ୍ ୧ରୁ ଅଗଷ୍ଟ ୨୧ ମଧ୍ୟରେ ସ୍ୱାଭାବିକ ବର୍ଷା ୮୨୦ ମିମିରୁ ଊର୍ଦ୍ଧ୍ୱ ହେବା କଥା, ହେଲେ ଏଯାବତ୍ ମାତ୍ର ୫୭୯.୮ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୨୯% କମ୍ ଥିବା ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।
ମାଲକାନାଗିରି, କୋରାପୁଟ, ନୂଆପଡ଼ା, ପୁରୀ, ଜଗତସଂହପୁରରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି ସତ, କିନ୍ତୁ ସ୍ଥିତି ଏତେ ବି ଖାସ୍ ନ ଥିବା ପାଣିପାଗ କେନ୍ଦ୍ର ପ୍ରଦତ୍ତ ତଥ୍ୟରୁ ପ୍ରକାଶ ପାଇଛି । ଏହା ମଧ୍ୟରେ ସବୁଠୁ ବେଶୀ ଚାଷ ଚିନ୍ତା ଯାଜପୁର, ଭଦ୍ରକ, କେନ୍ଦୁଝର ଏବଂ ବଲାଙ୍ଗିରରେ ଦେଖିବାକୁ ମିଳିଛି । ଯାଜପୁରରେ ସର୍ବାଧିକ ୫୪% ନିଅଣ୍ଟ ବର୍ଷା ହୋଇଥିବାବେଳେ ଭଦ୍ରକରେ ୫୦%, କେନ୍ଦୁଝର ଓ ବଲାଙ୍ଗିର ୪୨% ନିଅଣ୍ଟ ବର୍ଷା ରେକର୍ଡ ହୋଇଛି । ଫଳରେ ହେକ୍ଟର ହେକ୍ଟର ଜମି ଶୁଖିଲା ପଡ଼ିଛି ।
୯ ଜିଲ୍ଲାରେ ଅଭାବୀ ବର୍ଷାର ପରିମାଣ ୩୦ରୁ ୪୦% ମଧ୍ୟରେ ରହିଛି । ନବରଙ୍ଗପୁର, ଗଜପତି, ଅନୁଗୁଳ, କଳାହାଣ୍ଡି, ଝାରସୁଗୁଡ଼ା ପରି ଜିଲ୍ଲାରେ ନିକଟରେ ବର୍ଷା ହୋଇଥିବାରୁ ଏହା ୪୦%ତଳକୁ ଖସିଛି । ବାକି ୧୨ ଜିଲ୍ଲାରେ ଅଭାବୀ ବର୍ଷା ପରିମାଣ ୨୦ରୁ ୩୦% ମଧ୍ୟରେ ରହିଛି । ପାଣିପାଗ କେନ୍ଦ୍ର ପ୍ରଦତ୍ତ ତଥ୍ୟ ମୁତାବକ, ମୌସୁମୀ ପ୍ରାରମ୍ଭରୁ ଜୁଲାଇ ଶେଷ ଯାଏ ଅଭାବୀ ବର୍ଷାର ପରିମାଣ ୧୯% ଥିଲା । ଯାହାକି ସ୍ୱାଭାବିକଠାରୁ ସାମାନ୍ୟ କମ ଥିଲା, ହେଲେ ଚଳିତ ଅଗଷ୍ଟ ମାସରେ ଅଭାବୀ ବର୍ଷା ପରିମାଣ ଅହେତୁକ ଭାବେ ବୃଦ୍ଧିପାଇଥିବା ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ।