18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଜଳବାୟୁ ପରିବର୍ତ୍ତନର ଶିକାର ହେବେ ଭାରତୀୟ ଶିଶୁ : ୟୁନିସେଫ୍ ରିପୋର୍ଟ

ଜଳବାୟୁ ପରିବର୍ତ୍ତନର ଶିକାର ହେବେ ଭାରତୀୟ ଶିଶୁ : ୟୁନିସେଫ୍ ରିପୋର୍ଟ

ନୂଆଦିଲ୍ଲୀ : ଆଗାମୀ ଦିନରେ ଭାରତୀୟ ଶିଶୁ ଜଳବାୟୁ ପରିବର୍ତ୍ତନର ଶିକାର ହେବେ ବୋଲି ଜାତିସଂଘ ସଂସ୍ଥା ୟୁନିସେଫ୍ (ୟୁନାଇଟେଡ ନେସନ୍‌ସ ଇଣ୍ଟରନ୍ୟାସନାଲ ଚିଲଡ୍ରେନ ଏମର୍ଜେନ୍ସି ଫଣ୍ଡ୍‌) ପକ୍ଷରୁ ଚେତାବନୀ ଦିଆଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଶିଶୁଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା କ୍ଷତିଗ୍ରସ୍ତ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଭାରତ ବ୍ୟତୀତ ଏହି ତାଲିକାରେ ଦକ୍ଷିଣ ଏସିଆର ଆଉ ତିନିଟି ରାଷ୍ଟ୍ର ଯଥା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟ ରହିଥିବା ପ୍ରକାଶ । ଭାରତ ସମେତ ଉପରୋକ୍ତ ଚାରିଟି ଦେଶର ପିଲାମାନେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ଉଚିତ ମୁକାବିଲା କରିପାରିବେ ନାହିଁ ବୋଲି ୟୁନିସେଫ୍ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଭାରତରେ ସାମୁଦ୍ରିକ ବାତ୍ୟା, ବନ୍ୟା,ପ୍ରଦୂଷଣ ଓ ଗ୍ରୀଷ୍ମପ୍ରବାହ ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଗାମୀ ଦିନରେ ଉତ୍କଟ ରୂପ ଧାରଣ କରିବାକୁ ଯାଉଛି । ଏହାର ମୁକାବିଲା କରିବାରେ ଶିଶୁମାନେ ବ୍ୟର୍ଥ ହେବେ ବୋଲି କୁହାଯାଇଛି। ଶିଶୁଙ୍କ ସମେତ ମହିଳାମାନେ ମଧ୍ୟ ଏହାର କୁପରିଣାମ ଭୋଗିବେ ।

ୟୁନିସେଫ ପକ୍ଷରୁ ଏଭଳି ୩୩ଟି ରାଷ୍ଟ୍ରର ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଯଥାକ୍ରମେ ୧୪, ୧୫, ୨୫ ଓ ୨୬ତମ ସ୍ଥାନରେ ରହିଥିବା ଜଣାପଡିଛି । ଏହି ଚାରିଟି ରାଷ୍ଟ୍ରରେ ପ୍ରାୟ ୧୦୦ କୋଟି ଶିଶୁ ବସବାସ କରୁଛନ୍ତି । ବିଶ୍ୱ ତାପମାତ୍ରା ୨ ଡିଗ୍ରୀ ସେଲସିିୟସ ବୃଦ୍ଧି ପାଇବାକୁ ଯାଉଥିବାବେଳେ ଆଗାମୀ ଦିନରେ ପ୍ରାୟ ୬୦ କୋଟି ଭାରତୀୟ ଜଳକଷ୍ଟ ଭୋଗିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହି ସମୟରେ ଭାରତର ସହରାଞ୍ଚଳରେ ଆକସ୍ମିକ ବନ୍ୟା ସ୍ଥିତି ମଧ୍ୟ ଦେଖାଦେଇପାରେ । ବିଶ୍ୱର ୩୦ଟି ସବୁଠାରୁ ବାୟୁ ପ୍ରଦୂଷିତ ସହର ମଧ୍ୟରେ ଭାରତର ୨୧ଟି ସହର ଅନ୍ତର୍ଭୁକ୍ତ ।

ଜଳବାୟୁ ପରିବର୍ତ୍ତନ ଜନିତ କଷ୍ଟ ଅନୁଭବ କରିବା ଦ୍ୱାରା ଶିଶୁଙ୍କ ଅଧିକାର କ୍ଷୁଣ୍ଣ ହେବ ବୋଲି ଭାରତରେ ଅବସ୍ଥାପିତ ୟୁନିସେଫ୍ ପ୍ରତିନିଧି ଡଃ ୟାସ୍ମିନ ଅଲ୍ଲୀ ହକ୍ କହିଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେଉଁ ପ୍ରାକୃତିକ ଦୁର୍ବିପାକ ଉପୁଜିବ, ତାହା ଶିଶୁଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଶିଶୁଙ୍କୁ ସୁରକ୍ଷା ଯୋଗାଇବା ସଂପୃକ୍ତ ଦେଶର ପ୍ରାଥମିକତା ପାଲଟିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଶିଶୁଙ୍କ ନିମନ୍ତେ ଏକ ସ୍ୱଚ୍ଛ ପୃଥିବୀ ଗଠନ କରିବା ଜରୁରୀ ହୋଇପଡିଛି ବୋଲି ୟୁନିସେଫ୍ ପକ୍ଷରୁ କୁହାଯାଇଛି ।  ତେବେ ଭାରତର ଅନ୍ୟ ତିନି ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ ଓ ଶ୍ରୀଲଙ୍କା ଏହି ଦୃଷ୍ଟିକୋଣରୁ ଅଧିକ ସୁରକ୍ଷିତ ଥିବା ଜଣାପଡିଛି ।

ଦକ୍ଷିଣ ଏସିଆର ଉପରୋକ୍ତ ଚାରିଟି ରାଷ୍ଟ୍ରରେ ଦେଖାଯିବାକୁ ଥିବା ବନ୍ୟା, ବାତ୍ୟା, ମରୁଡି ଓ ପ୍ରଦୂଷଣ ଯୋଗୁଁ ଲକ୍ଷାଧିକ ଶିଶୁ ଭୀଷଣ ଅସୁବିଧାରେ ପଡିବା ସହ ସେମାନଙ୍କର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇପଡିବ ବୋଲି ୟୁନିସେଫ୍ ପକ୍ଷରୁ ଚେତାଇ ଦିଆଯାଇଛି । ଉପଯୁକ୍ତ ପାଣି ଓ ଖାଦ୍ୟ ନପାଇ ଏହି ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିବ ଏବଂ ସେମାନେ ବଞ୍ଚିବା ଯୋଗ୍ୟ ହୋଇ ରହିବେ ନାହିଁ ବୋଲି କୁହାଯାଇଛି । ବର୍ତ୍ତମାନ କୋଭିଡ୍ ଯୋଗୁଁ ବୟସ୍କଙ୍କ ସମେତ ଶିଶୁମାନେ ମଧ୍ୟ ବିପଦ ବଳୟରେ ରହିଛନ୍ତି । ତେଣୁ ଶିଶୁଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାକୁ ଏହି ସରକାରମାନେ ପାନୀୟଜଳ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଏବେଠାରୁ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ୟୁନିସେଫ୍ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking