ୱାଶିଂଟନ: ଶୁକ୍ରବାରଠାରୁ ଇଣ୍ଟରନେଟ୍ରେ ଉପଲବ୍ଧ ତାଲିବାନ ସଂଗଠନର ବିଭିନ୍ନ ୱେବସାଇଟ୍ ଉଭାନ ହୋଇଯାଇଛି । ପାସ୍ତୋ, ଦାରି ଆରବିକ୍, ଉର୍ଦ୍ଦୁ ଓ ଇଂରାଜୀ, ଏଭଳି ପାଞ୍ଚଟି ଭାଷାରେ ତାଲିବାନ ୱେବ୍ସାଇଟ୍ଗୁଡିକ କାର୍ଯ୍ୟ କରୁଥିଲା । ଆଫଗାନିସ୍ତାନ ଅକ୍ତିଆର କରିବା ପରଠାରୁ ଏହି ୱେବ୍ସାଇଟ୍ରେ କେବଳ ତାଲିବାନର ବିଜୟ ସମ୍ପର୍କିତ ବାର୍ତ୍ତା, ଭିଡିଓ ଅପ୍ଲୋଡ କରାଯାଉଥିଲା । ଏପରିକି କେତେକ ଭିଡିଓରେ ତାଲିବାନ ନେତାମାନେ ଦେଶବାସୀଙ୍କ ସମେତ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ମଧ୍ୟ ଧମକଚମକ ଦେଉଥିବା ଲକ୍ଷ୍ୟ କରାଯାଇଥିଲା । ତାଲିବାନ ଏକ ଆତଙ୍କବାଦୀ ସଂଗଠନ ହୋଇଥିବାରୁ ଏଭଳି ବାର୍ତ୍ତା କିମ୍ବା ଭିଡିଓ ଆନ୍ତର୍ଜାତିକ ସର୍କିଟରେ କୁପ୍ରଭାବ ପକାଇବାର ଆଶଙ୍କା ଉପୁଜିଥିଲା । ତେଣୁ ଆମେରିକାର ସାନ୍ ଫ୍ରାନ୍ସିିସ୍କୋ ସହରରେ ଥିବା କ୍ଲାଉଡ୍ଫେୟାର ନେଟ୍ୱାର୍କ ପକ୍ଷରୁ ତାଲିବାନର ୱେବ୍ସାଇଟ୍କୁ ବ୍ଲକ୍ କରାଯାଇଛି ।
ଏ ପ୍ରସଙ୍ଗରେ ସାମ୍ବାଦିକମାନେ କ୍ଲାଉଡଫ୍ଲେୟାର ସହ ଯୋଗାଯୋଗ କରିବାକୁୁ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇପାରିନାହାନ୍ତି । ଆମେରିକୀୟ ସମ୍ବାଦପତ୍ର ୱାଶିଂଟନ ପୋଷ୍ଟ୍ରେ ଏ ସମ୍ପର୍କିତ ସୂଚନା ପ୍ରକାଶିତ ହେବାପରେ ୱେବ୍ସାଇଟ୍ ବ୍ଲକ୍ ହୋଇଥିବା ଜଣାପଡିଥିଲା। ଶୁକ୍ରବାର ହ୍ୱାଟସ୍ଆପ୍ ପକ୍ଷରୁ କେତେକ ତାଲିବାନ ଗ୍ରୁପ୍କୁ ମଧ୍ୟ ରଦ୍ଦ କରାଯାଇଛି । ଏଭଳି ଘଟଣା ତାଲିବାନ ନେତୃବର୍ଗଙ୍କୁ ବିବ୍ରତ କରିଥିବା ଜଣାପଡିଛି । ସେମାନେ ଖୁବଶୀଘ୍ର ଏହାର ବିକଳ୍ପ ଖୋଜି ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି ।
ଫେସ୍ବୁକ୍ ଓ ଟ୍ୱିଟର୍ ପକ୍ଷରୁ ମଧ୍ୟ ତାଲିବାନର ପ୍ରଚାର ସଂକ୍ରାନ୍ତ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି । ବର୍ତ୍ତମାନ ଆଫଗାନିସ୍ତାନକୁ ଶାସନ କରିବାକୁ ଯାଉଥିବାରୁ ତାଲିବାନ ସଂଗଠନ ନିଜସ୍ୱ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ଏହାଦ୍ୱାରା ଅନ୍ୟ ଆତଙ୍କବାଦୀ ସଂଗଠନଗୁଡିକ ଉତ୍ସାହିତ ହେବାର ଆଶଙ୍କାକୁ ଦେଖି ତାଲିବାନ ୱେବ୍ସାଇଟ ଉପରେ କଟକଣା ଜାରି କରାଯାଇଥିବା ପ୍ରକାଶ ।