ନୂଆଦିଲ୍ଲୀ: ପଡ଼ୋଶୀ ରାଜ୍ୟ ପଞ୍ଜାବରେ କୃଷକ ଆନ୍ଦୋଳନ ଯୋଗୁଁ ଶୁକ୍ରବାର ଜମ୍ମୁ-କଶ୍ମୀରରେ ୪୦ଟି ପାସେଞ୍ଜର୍ ଟ୍ରେନ୍ ବାତିଲ ହେବା ଫଳରେ ବହୁ ଯାତ୍ରୀ ଜମ୍ମୁ ସମେତ ବିଭିନ୍ନ ଷ୍ଟେସନ୍ରେ ଫସି ରହିଥିବା ଦକ୍ଷିଣ ରେଳବାଇର ଜଣେ ଅଧିକାରୀ ଶନିବାର କହିଛନ୍ତି। ଶୁକ୍ରବାର ପଞ୍ଜାବର ଜଳନ୍ଧରରେ ହଜାର ହଜାର କୃଷକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବା ସହ ଲୁଧିଆନା-ଅମୃତସର ଏବଂ ଲୁଧିଆନା-ଜମ୍ମୁ ଟ୍ରେନ୍ ରୁଟ୍କୁ ବନ୍ଦ କରିଦେଇଥିଲେ । ତେବେ ଶୁକ୍ରବାର ଜମ୍ମୁ ଷ୍ଟେସନ୍ରୁ ଅନ୍ୟ ରୁଟ୍ରେ କେତୋଟି ଟ୍ରେନ୍ର ଚଳାଚଳ କରାଯାଇଥିବା ବେଳେ ଶନିବାର ସକାଳେ ଦିଲ୍ଲୀରେ ବର୍ଷା ଯୋଗୁ ଜମ୍ମୁରୁ ବାହାରିବାକୁ ଥିବା ବହୁ ଟ୍ରେନ୍ର ଚଳାଚଳକୁ ମଧ୍ୟ ବାତିଲ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି । ବର୍ଷା ଯୋଗୁଁ ପ୍ରାୟ ୨୪ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ସନ୍ଧ୍ୟାରେ କେତେକ ଟ୍ରେନ୍ ଜମ୍ମୁ ଷ୍ଟେସନ୍ରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଛାଡ଼ିବାର କାର୍ଯ୍ୟକ୍ରମ ରହିଥିବା ସେ ଜଣାଇଥିଲେ ।