19.1 C
Bhubaneswar
Monday, November 25, 2024
Homeଓଡିଶାରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱ୍ୱପୂର୍ଣ୍ଣ ନିଷ୍ପତ୍ତି : ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲ ପୁନରୁଦ୍ଧାର...

ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱ୍ୱପୂର୍ଣ୍ଣ ନିଷ୍ପତ୍ତି : ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲ ପୁନରୁଦ୍ଧାର ଖୁବ୍‌ଶୀଘ୍ର

ଭୁବନେଶ୍ୱର: ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲର ପୁନରୁଦ୍ଧାର ଖୁବ୍‌ଶୀଘ୍ର ହେବ । ଏହି ୪୧ କିଲୋମିଟର ବ୍ୟାପୀ କେନାଲ ପୁନରୁଦ୍ଧାର କାର୍ଯ୍ୟପାଇଁ ରାଜ୍ୟ ସରକାର ୧୪୮କୋଟି ୧୨ଲକ୍ଷ ୬୫ ହଜାର ୮୯୪. ୩୦ ଟଙ୍କା ବ୍ୟୟ କରିବେ । ୨୪ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷହେବ । କଳାହାଣ୍ଡି ଜିଲ୍ଲାର ୪୨ହଜାର ୪୫୫ ହେକ୍ଟର ଚାଷ ଜମି ଜଳସେଚିତହେବ । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏଥି ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିିଳିଛି । ପରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଓଡ଼ିଶା ସରକାରଙ୍କ ନିଜସ୍ୱ ପାଣ୍ଠିରୁ କାର୍ଯ୍ୟକାରୀ ହେଉଥିବା ନୂତନ ଯୋଜନା କେନାଲ ଳାଇନିଂ ଆଣ୍ଡ ସିଷ୍ଟମ ରିହାବିଲିଟେସନ ପ୍ରୋଗ୍ରାମ(ସିଲ୍‌ଏସ୍‌ଆର୍‌ପି)ରେ ଏହି କାର୍ଯ୍ୟ ହେଉଛି । ପ୍ରକଳ୍ପ ଯୋଗୁଁ କଳାହାଣ୍ଡି ଜିଲ୍ଲାର ୪୨ହଜାର ୪୫୫ ହେକ୍ଟର ଚାଷ ଜମି ଜଳସେଚିତ ହେଉଥିଲେ ହେଁ ସମ୍ପ୍ରସାରିତ କେନାଲ ଜରିଆରେ ଜିଲ୍ଲାର ଆଉ ୧୫,୨୬୦ ହେକ୍ଟର ଚାଷଜମି ଜଳ ଯୋଗାଣ ସମ୍ଭବହେବ । ଫଳରେ କଳାହାଣ୍ଡି ଜିଲ୍ଲା ଶସ୍ୟଶ୍ୟାମଳା ହେବ ଏବଂ ଧାନ ସହିତ ଅନ୍ୟ ଫସଲର ଉତ୍ପାଦନ ଦ୍ୱିଗୁଣିତ ହେବ ।

 

ଓଏଏସ୍ ପରେ ଓଏଫ୍‌ଏସ୍‌ : ୧୦୪ ନୂଆ ପଦବୀକୁ ମଞ୍ଜୁରୀ

ଓଡ଼ିଶା ଅର୍ଥ ସେବା(ଓଏଫ୍‌ଏସ୍‌)ରେ ଆଉ ୧୦୪ଟି ନୂଆ ପଦବୀ ସୃଷ୍ଟିହେବ । ସେହିପରି ଫାୟାର ସର୍ଭିସରେ ଯୋଗ୍ୟ ହୋମ୍‌ଗାର୍ଡଙ୍କ ପାଇଁ ୧୦% ପଦବୀ ସଂରକ୍ଷିତ ରହିବ । ଏଥି ସମ୍ପର୍କିତ ସଂଶୋଧିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ୨୨୦ଟି ନୂଆ ପଦବୀ ସୃଷ୍ଟି କରିଥିଲେ । ସେଇକ୍ରମରେ ଓଡ଼ିଶା ଅର୍ଥ ସେବା(ଓଏଫ୍‌ଏସ୍‌)ରେ ଆଉ ଅଧିକ ପଦବୀ ସୃଷ୍ଟିର ଆବଶ୍ୟକତା ପଡ଼ୁଥିଲା । ତେଣୁ ସରକାର ଆଉ ୧୦୪ଟି ନୂଆ ପଦବୀ ସୃଷ୍ଟିକରିଛନ୍ତି । ଫଳରେ ଓଏଫ୍‌ଏସ୍‌ରେ ୯୧୨ଟି ପଦବୀ ଥିବାବେଳେ ତାହା ୧୦୧୬କୁ ବୃଦ୍ଧିପାଇଛି । ମୁଖ୍ୟସଚିବ କହିଛନ୍ତି ଯେ ଓଏଫ୍‌ଏସ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ଲାଗିଛି । ଏଥିଯୋଗୁଁ ପ୍ରଶାସନିକ ସଂସ୍କାର ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇପାରିବ । ରାଜ୍ୟର ଆର୍ôଥକ ଉତ୍ତରଦାୟିତ୍ୱ ବି ଅଧିକ ସୁଦୃଢ଼ ହେବ । ଓଏଫ୍‌ଏସ ଜୁନିୟର ଗ୍ରେଡ୍‌ରେ ୫୮୧ଟି ପଦବୀ, ଓଏଫ୍‌ଏସ(ଏସ୍‌ଏଜି)ରେ ୭୦ଟି ଓ ଓଏଫ୍‌ଏସ୍ (ଏସ୍‌ଏସ୍‌)ରେ ୩୧ଟି ପଦବୀ ରହିବ । ଓଡ଼ିଶା ଅଗ୍ନିଶମ ସେବା ‘ସି’ ବର୍ଗ ଅଧିକାରୀଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ-୨୦୨୧ରେ ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଅଗ୍ନିଶମ ସେବା(ଫାୟାର ସର୍ଭିସ)ରେ ‘ସି’ ବର୍ଗରେ ସିଧାସଳଖ ନିଯୁକ୍ତି ସମୟରେ ପରୀକ୍ଷା ହେବାକୁ ଥିବା ମୋଟ୍ ପଦବୀର ୧୦ ପ୍ରତିଶତ ପଦବୀ ଯୋଗ୍ୟ ହୋମଗାର୍ଡମାନଙ୍କ ପାଇଁ ସଂରକ୍ଷିତ ରହିବ । ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ୧୦୦ ନମ୍ବର ଲିଖିତ ପରୀକ୍ଷା, ଶାରୀରିକ ମାପ ଓ ଦକ୍ଷତାର ପରୀକ୍ଷା ହେଉଥିଲା । ସେହିବର୍ଗରେ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଅବା ତଦୂର୍ଦ୍ଧ୍ୱ ହୋଇଥିବାବେଳେ ହୋମଗାର୍ଡଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ଅନ୍ୟପକ୍ଷରେ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଭାବେ ଅଞ୍ଜନ କୁମାର ମାଣିକଙ୍କ ନିଯୁକ୍ତିକୁ ପିଛିଲା ଭାବେ କ୍ୟାବିନେଟ ଅନୁମୋଦନ ଦେଇଛି । ସେହିପରି ଓଡ଼ିଶା ଜିଏସ୍‌ଟି ଆଇନରେ ସଂଶୋଧନ ସହିତ ଓଡ଼ିଶା ଫୁଡ୍ ସେଫ୍ଟି ଲ୍ୟାବ କ୍ୟାଡର(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ରୁଲ-୨୦୨୧, ଓଡ଼ିଶା ଜେଲ ସର୍ଭିସ(ଏ ଓ ବି ଗ୍ରେଡ୍‌) ମେଥଡ୍ ରୁଲ, ଓଡ଼ିଶା ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସୀ ରୁଲ୍‌-୨୦୨୧, ଓଡ଼ିଶା ଫାୟାର ସର୍ଭିସ (ଏ ଓ ବି ଗ୍ରେଡ୍ ) ମେଥଡ୍ ରୁଲ-୨୦୨୧ ପ୍ରଣୟନ ଏବଂ ଓଡ଼ିଶା ଲେବର ସର୍ଭିସ ରୁଲ୍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

 

କ୍ୟାନ୍‌ସର କେୟାର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ପାଇଁ ୪୦ଏକର ମାଗଣା ଜମି

ରାଜ୍ୟ ସରକାର ବାଗ୍‌ଚୀ ଓ ଶଙ୍କର ଫାଉଣ୍ଡେସନ ଦ୍ୱାରା ରାଜଧାନୀରେ ୨ଟି କ୍ୟାନ୍‌ସର କେୟାର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ପାଇଁ ୪୦ଏକର ଜମି ଯୋଗାଇ ଦେଇଛନ୍ତି । ଏଥିନିମନ୍ତେ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ୍ ଡ୍ୟୁଟି ବାବଦରେ ୨.୯୨କୋଟି ଟଙ୍କାକୁ ସମ୍ପୂର୍ଣ୍ଣ ଛାଡ଼ କରାଯିବ । ତାହା କ୍ୟାବିନେଟ୍ ବୈଠକରେ ଅନୁମୋଦନଲାଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଥିଲେ । ସେ କହିଥିଲେ, ବାଗଚୀ-ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଓ ବାଗଚୀ-କରୁଣାଶ୍ରୟ ପିଲିଭିଟ୍ କେୟାର ସେଣ୍ଟର ପାଇଁ ସରକାର ମାଗଣାରେ ଦେଇଥିବା ୪୦ ଏକର ଜମିର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ବାବଦରେ ୨.୯୨କୋଟି ଟଙ୍କା ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଏହି ସଂସ୍ଥା ରାଜ୍ୟବାସୀଙ୍କୁ ମାଗଣାରେ କ୍ୟାନ୍‌ସର ଚିକିତ୍ସା ସୁବିଧା ଯୋଗାଇବାର ଥିବାରୁ ସଂସ୍ଥାକୁ ବାର୍ଷିକ ଜମି ଭଡ଼ା ଓ ସେସ୍ ବାବଦରେ ଏକର ପିଛା ମାତ୍ର ୧ଟଙ୍କା ଦେବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

 

ସମ୍ବଲପୁରସ୍ଥିତ ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ୍ ପାଇଁ ଆଉ ୧୮.୨୩ ଏକର

ଓଡ଼ିଶା ସରକାର ସମ୍ବଲପୁରସ୍ଥିତ ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ନିମନ୍ତେ ଆଉ ୧୮.୨୩ ଏକର ଜମି ମାଗଣା ପ୍ରମିୟମରେ ଯୋଗାଇ ଦେବେ । ଏହାର ପ୍ରିିମିୟମ ବାବଦରେ ୪.୨୧କୋଟି ଟଙ୍କା ଛାଡ଼ କରାଯାଇଛି । ସମ୍ବଲପୁରସ୍ଥିତ ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ନିମନ୍ତେ ଆଉ ୧୮.୨୩ ଏକର ଜମି ମାଗଣା ପ୍ରମିୟମରେ ଯୋଗାଇ ଦେବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ସରକାର ଆଇଆଇଏମକୁ ପୂର୍ବରୁ ୧୮୧ ଏକର ଜମି ଯୋଗାଇ ଦେଇଥିଲେ । ଏବେ ଆଉ ୧୮.୨୩ ଏକର ମିଳିବା ପରେ ମୋଟ୍ ୨୦୦ ଏକର ଜମିରେ ଆଇଆଇଏମ୍ ନିଜର ସ୍ଥାୟୀ କ୍ୟାମ୍ପସ କରିବ । ତେବେ ଆଇଆଇଏମ୍ ଜମି ପାଇଁ ବାର୍ଷିକ ଭଡ଼ା ଓ ସେସ୍ ବାବଦରେ ୧୦୦ ଟଙ୍କା ଓ ୭୫ଟଙ୍କା ଦେବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking