ବ୍ରାଜିଲ: ମାତ୍ର ୭ବର୍ଷର ଶିଶୁକୁ ହତ୍ୟା କରିଛି ଜଣେ ନିର୍ଦ୍ଦୟ ମା’ । ଆଉ ଏହି ହତ୍ୟାକାଣ୍ଡରେ ପୋଲିସ ହାତରେ ଲାଗିଛି ମୃତ ବାଳକର ଡାଏରୀ । ଯାହାକୁ ପଢ଼ି ପୋଲିସ ହୋଇଛି ଆଶ୍ଚର୍ଯ୍ୟ । ପୋଲିସ ଏହି ଡାଏରୀର କିଛି ପୃଷ୍ଠାକୁ ସେୟାର ଭି କରିଛି । ତେବେ ଡାଏରୀର କିଛି ପୃଷ୍ଠାରେ ଲେଖା ଅଛି ‘ମୁଁ ବହୁତ ନିର୍ଦ୍ଦୟ । ମୁଁ ଦୁଷ୍ଟ । ମୋତେ ଜଣା ନାହିଁ କାହାକୁ କିପରି ମହତ୍ୱ ଦିଆଯାଏ । ମୁଁ ଏକ ଦୁଷ୍ଟ ପୁଅ’ । ଡାଏରୀରେ ଏହି କଥା ସବୁ ୭ ବର୍ଷର ବାଳକ ଲେଖିଥିବା ଜଣାପଡ଼ିଛି । ତେବେ ପୋଲିସକୁ ସନ୍ଦେହ ହୋଇଥିଲା ଯେ, ଏହି ୭ ବର୍ଷର ପୁଅକୁ ହତ୍ୟା କଲା କିଏ? ପୋଲିସକୁ ପୁଅର ମା’ ଉପରେ ସନ୍ଦେହ ରହିଛି । ମା’ ପୁଅକୁ ସବୁଦିନ ନିର୍ଯ୍ୟାତନା ଦେଉଥିବା ବ୍ରାଜିଲ ପୋଲିସକୁ ସୂତ୍ରରୁ ଜଣାପଡ଼ିଥିଲା ।
ବ୍ରାଜିଲ ପୋଲିସର ସୂଚନାନୁସାରେ, ମୃତ ବାଳକଟିର ନାମ ମିଗୁଏଲ । ବାଳକର ୨୬ ବର୍ଷୀୟ ମା ୟାସ୍ମିନ୍ ନିଜ ପୁଅକୁ ‘ମୁ ବୋକା’ ଭଳି ଲାଇନ୍ ଲେଖିବାକୁ ବାଧ୍ୟ କରୁଥିଲା । ହତ୍ୟା ପୂର୍ବରୁ ମଧ୍ୟ ଏପରି କରିଥିବା ସନ୍ଦେହରେ ପୋଲିସ ମା’ କୁ ପଚରା ଉଚରା କରିଥିଲା । ତେବେ ମା ୟାସ୍ମିନ୍ ପୋଲିସର ପଚରା ଉଚରାରେ ନିଜ ଅପରାଧକୁ ସ୍ୱୀକାର କରିଥିଲା । ସେ ପୋଲିସକୁ କହିଥିଲା ଯେ, ସେ ପ୍ରଥମେ ପୁଅକୁ ଆଣ୍ଟିଡିପ୍ରେସେଣ୍ଟସହ ନିଶା ପଦାର୍ଥ ମିଶାଇ ଖାଇବାକୁ ଦେଇଥିଲା । ତା ପରେ ତାକୁ ଏକ ବ୍ୟାଗ୍ରେ ପୁରାଇ ନଦୀରେ ଫିଙ୍ଗି ଦେଇଥିଲା ।
ଘଟଣା ଅନୁସାରେ ମହିଳା ଜଣଙ୍କର ଛାଡ଼ପତ୍ର ପରେ ପୁଅ ମେଗୁଏଲର ସମସ୍ତ ଦାୟିତ୍ୱ ତା ଉପରେ ଆସିଯାଇଥିଲା । ତେବେ ନିଜ ପ୍ରେମିକ ସହ ରହିବା ପାଇଁ ସେ ନିଜ ପୁଅକୁ ହତ୍ୟା କରିଥିବା ପୋଲିସ ସାମ୍ନାରେ ସ୍ୱୀକାର କରିଥିଲେ । ପୋଲିସକୁ ଏକ ଭିଡିଓ ମଧ୍ୟ ମିଳିଛି, ଯେଉଁଥିରେ ମହିଳାଙ୍କ ପ୍ରେମିକ ମଧ୍ୟ ଶିଶୁଟିକୁ ଗାଳି କରୁଥିବା ଦେଖିବାକୁ ମିଳିଛି । ପୋଲିସ କହିଛି, ଶିଶୁଟି କୁପୋଷଣର ଶିକାର ହୋଇଥିଲା । ସେ ସ୍କୁଲ ଯାଉଥିଲା, କିନ୍ତୁ ସ୍କୁଲରେ ତା’ର କେହି ସାଙ୍ଗ ନଥିଲେ । ତାକୁ ଘରେ ବନ୍ଦ କରି ରଖାଯାଉଥିଲା ଓ ବହୁବାର ବାନ୍ଧିକି ରଖାଯାଉଥିଲା । ଅପରାଧ ସ୍ୱୀକାର କରିବା ପରେ ପୋଲିସ ଘର ଭିତରୁ ଏକ ଚେନ୍ ଜବତ କରିଛି । ଯେଉଁଥିରେ ମିଗୁଏଲକୁ ଆଲମାରୀରେ ବନ୍ଧା ଯାଉଥିଲା । ବର୍ତ୍ତମାନ ସୁଦ୍ଧା ମିଗୁଏଲର ମୃତଦେହ ମିଳିପାରିନାହିଁ ।