ନୂଆଦିଲ୍ଲୀ: ଭାରତ ଆଗାମୀ ଦିନରେ ବାଂଲାଦେଶକୁ ଏଲଏମ୍ଓ (ଲିକ୍ୟୁଇଡ୍ ମେଡିକାଲ ଅକ୍ସିଜେନ) ପଠାଇବ ବୋଲି ଜଣାପଡିଛି । ୨୦୦ ମେଟ୍ରିିକ ଟନ୍ ଏଲଏମ୍ଓ ନେଇ ଅକ୍ସିଜେନ୍ ଏକ୍ସପ୍ରେସ ଟାଟାନଗରରୁ ବାଂଲାଦେଶର ବେନାପୋଲ ଅଭିମୁଖେ ଯାତ୍ରା କରିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି । ପ୍ରଥମ ଥର ଅକ୍ସିଜେନ ଏକ୍ସପ୍ରେସ କୌଣସି ପଡୋଶୀ ରାଷ୍ଟ୍ରକୁ ଯାତ୍ରା କରିବାକୁ ଯାଉଛି । ଏଲଏମ୍ଓ ପଠାଇବାକୁ ବାଂଲାଦେଶ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଛି । ଶନିବାର ସକାଳ ସୁଦ୍ଧା ଅକ୍ସିଜେନ୍ ଏକ୍ସପ୍ରେସର ୧୦ଟି କଣ୍ଟେନରରେ ଏଲଏମ୍ଓ ଭର୍ତ୍ତି ହୋଇଥିବା ଜଣାପଡିଛି । କୋଭିଡ୍ର ଦ୍ୱିତୀୟ ଲହର ଚାଲିଥିବାବେଳେ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । ଫଳରେ ରେଳବାଇ ପକ୍ଷରୁ ଏପ୍ରିଲ ୨୪ରୁ ଅକ୍ସିଜେନ୍ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇ ବିଭିନ୍ନ ସ୍ଥାନକୁ ଏଲଏମଓ ପଠାଯାଇଥିଲା । ଇତିମଧ୍ୟରେ ୪୮୦ ଅକ୍ସିଜେନ୍ ଏକ୍ସପ୍ରେସ ବିଭିନ୍ନ ରାଜ୍ୟକୁ ୩୫,୦୦୦ ମେଟ୍ରିକ ଟନ୍ ଏଲଏମ୍ଓ ଯୋଗାଇସାରିଥିବା କୁହାଯାଇଛି ।