ଅଯୋଧ୍ୟା: ରାମଙ୍କ ନଗରୀ ଅଯୋଧ୍ୟାରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଅଯୋଧ୍ୟା ଧାମ ଦର୍ଶନ ପାଇଁ ଆସିଥିବା ଗୋଟିଏ ପରିବାରର ୧୫ ଜଣ ନଦୀରେ ବୁଡ଼ି ଯାଇଥିଲେ । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କର କୌଣସି ପତ୍ତା ମିଳୁନାହିଁ । ଅନ୍ୟପକ୍ଷରେ ବୁଡ଼ିଯାଉଥିବା ୩ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ୭ ବର୍ଷର ବାଳିକା ଅଛି । ନିଖୋଜ ଲୋକଙ୍କ ଉଦ୍ଧାର ପାଇଁ ଏସ୍ଏସ୍ପି ଶୈଳେଶ ପାଣ୍ଡେଙ୍କ ନେତୃତ୍ୱରେ ୱାଟର ପୁଲିସ ଓ ବୁଡ଼ାଳୀମାନେ ଉଦ୍ୟମ ଚଳାଇଛନ୍ତି । ଦୁର୍ଘଟଣା ପୌରାଣିତ ସରଜୁ ନଦୀର ଗୁପ୍ତାରଘାଟରେ ଘଟିଥିଲା । ଖବର ପାଇ ଆଇଜି ରେଞ୍ଜ୍ ଡା. ସଞ୍ଜୀବ ଗୁପ୍ତା, ଡିଆଇଜି ପିଏସି ଅନୀଲ୍ କୁମାର ଓ ଜିଲ୍ଲାଧିକାରୀ ଅନୁଜ ଝାଙ୍କ ସମେତ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟର ତଦାରଖ କରୁଛନ୍ତି । ସୂଚନା ଅନୁଯାୟୀ, ଆଗ୍ରାର ସିକନ୍ଦରାସ୍ଥିତ ଶାସ୍ତ୍ରୀପୁରମ୍ କଲୋନୀ ନିବାସୀ ଅଶୋକ କୁମାର ନିଜ ପରିବାରର ୧୫ ଜଣ ସଦସ୍ୟଙ୍କ ସହ ରାମନଗରୀ ଦର୍ଶନ ପାଇଁ ଆସିଥିଲେ ।
ଶୁକ୍ରବାର ଗୁପ୍ତାରଘାଟ ପହଞ୍ଚିବା ପରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା କିଛିଟା କମିବା ପରେ ପରିବାରର ମହିଳାମାନେ ହାତ, ଗୋଡ଼ ଧୋଉଥିଲେ । ଏହି ସମୟରେ ଅଚାନକ ଜଣେ ମହିଳାଙ୍କ ଗୋଧ ଖସିଯିବାରୁ ସେ ନଦୀରେ ପଡ଼ିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଶିଶୁମାନଙ୍କ ସମେତ ଜଣକ ପରେ ଜଣେ ମୋଟ ୧୨ଜଣ ନଦୀକୁ ଓହ୍ଲାଇ ପଡ଼ିଥିଲେ । ତେବେ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ଏଥିରେ ଅଶୋକଙ୍କ ପତ୍ନୀ ରାଜକୁମାରୀ, ପୁତ୍ର ଲଳିତ ଓ ପଙ୍କଜ ତଥା ବିବାହିତା କନ୍ୟା ଶ୍ରୁତି, ସୀତା ଓ ନାତୁଣୀ ସୃଷ୍ଟି ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ବେଳେ ପ୍ରିୟାଂଶୀ, ଜୁଲି ଓ ସାର୍ଥକ ନିଖୋଜ ହୋଇଯାଇଥିଲେ । ତେବେ ନଦୀରେ ବୁଡ଼ିଯାଉଥିବା ଆରତୀ, ବାଳିକା ଧୈର୍ଯ୍ୟା ଓ ଗୌରୀଙ୍କୁ ସେଠାରେ ଉପସ୍ଥିତ କିଛି ଲୋକ ବଞ୍ଚାଇ ଦେଇଥିଲେ ।
ଦୁର୍ଘଟଣା ସମୟରେ ଘାଟରେ ଉପସ୍ଥିତ ଥିବା ବୃଦ୍ଧ ଅଶୋକ, ନାତି ନମନ ଓ ଜ୍ୱାଇଁ ସତୀଶ ମଧ୍ୟ ବୁଡ଼ି ଯାଉଥିବା ପରିବାର ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ମାତ୍ର କୂଳରେ ଥିବା କାରଣରୁ ବୁଡ଼ିପାରି ନଥିଲେ । ସତୀଶଙ୍କ କହିବା ଅନୁସାରେ ସମସ୍ତେ ନୌକାରେ ଅଯୋଧ୍ୟାରୁ ଆସି ଗୁପ୍ତାରଘାଟରେ ପହଞ୍ଚିଥିଲେ ଏବଂ ସେଠାରେ କିଛିଦିନ ରହିଥାନ୍ତେ । ମାତ୍ର ଦୁର୍ଘଟଣା ସେମାନଙ୍କ ପରିବାର ଉଜାଡ଼ି ଦେଲା । ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଚାଲୁରହିଛି ଏବଂ ଏନ୍ଡିଆରଫ୍ ଟିମ୍କୁ ମଧ୍ୟ ଡକାଯାଇଥିବା ଡିଏମ୍ ଅନୁଜ ଝା କହିଛନ୍ତି । ୭ ବର୍ଷୀୟା ଧୈର୍ଯ୍ୟା ବିପତ୍ତି ସମୟରେ ମଧ୍ୟ ନିଜ ଧୈର୍ଯ୍ୟ ଓ ସାହସ ହରାଇ ନଥିଲା । ଗୋଟିଏ ପଟେ ସରଜୁ ନଦୀର ତୀବ୍ର ଧାରା ପରିବାର ସଦସ୍ୟମାନେ ଭାସି ଯାଉଥିବା ବେଳେ ଧୈର୍ଯ୍ୟା ପହଁରି ପହଁରି ନିଜ ଜୀବନ ବଞ୍ଚାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।