28.1 C
Bhubaneswar
Friday, November 22, 2024
Homeଓଡିଶାମାଟ୍ରିକ ପରୀକ୍ଷା ମାର୍କକୁ ନେଇ ଅସନ୍ତୁଷ୍ଟ : ପ୍ରଧାନଶିକ୍ଷକଙ୍କୁ ଘେରିଲେ ଛାତ୍ରଛାତ୍ରୀ, ଅଭିଭାବକ

ମାଟ୍ରିକ ପରୀକ୍ଷା ମାର୍କକୁ ନେଇ ଅସନ୍ତୁଷ୍ଟ : ପ୍ରଧାନଶିକ୍ଷକଙ୍କୁ ଘେରିଲେ ଛାତ୍ରଛାତ୍ରୀ, ଅଭିଭାବକ

ଖଲ୍ଲିକୋଟ : ଶୁକବାର ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ ଅଭିଭାବକ ଆଜି କନକ ମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଘେରାଉ କରିଥିଲେ । ବୋର୍ଡ ପକ୍ଷରୁ ମିଳିଥିବା ମାର୍କରେ ଛାତ୍ରଛାତ୍ରୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଆକଳନ କରିଥିବା ମାର୍କ ଠାରୁ ବହୁ କମ୍ ମାର୍କ ମିଳିଥିବା ଅଭିଯୋଗ କରିଛନ୍ତି । କନକ ମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟର ୬୯ ଜଣ ଛାତ୍ରୀ ଏବଂ ଏହାର ଅଧୀନରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୭୩ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିଲେ । ତେବେ କୋଭିଡ କଟକଣା ଯୋଗୁଁ ପରୀକ୍ଷା ବାତିଲ ହେବାରୁ ସେମାନେ ନିରାଶ ହୋଇଥିଲେ ।

ବୋର୍ଡର ଗାଇଡ ଲାଇନ ଅନୁସାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ କେଏମ୍ ଗାର୍ଲସ ହାଇସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ମାର୍କ ପଠାଇଥିଲେ ମଧ୍ୟ କାହିଁକି ଏପରି କମ୍ ମାର୍କ ମିଳିଛି ବୁଝା ପଡୁନାହିଁ ବୋଲି ଗାର୍ଲସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଫକୀର ମୋହନ ଶତପଥୀ ଦୁଃଖର ସହ କହିଛନ୍ତି । ସ୍କୁଲର ସର୍ବୋଚ୍ଚ ମାର୍କ ରହିଛି ୩୯୦ । ଯେତେବେଳେ କି ସେ ପଠାଇଥିବା ମାର୍କ ଅନୁସାରେ ସର୍ବୋଚ୍ଚ ମାର୍କ ୪୬୦ ରହିବ ବୋଲି ଆକଳନ କରୁଥିଲେ । ସରସ୍ୱତୀ ଶିଶୁ ମନ୍ଦିରର ୭୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ ଏ୧ ମାର୍କ ରଖିବେ ବୋଲି ସ୍କୁଲ କର୍ତ୍ତୃପକ୍ଷ ଆଶା ରଖିଥିଲେ । ମାତ୍ର ୨ ଜଣ ପିଲାଙ୍କ ଏ୧ ମାର୍କ ରହିଛି । ସୁଧାଂଶୁ ଶେଖର ସାହୁଙ୍କ ପୁଅ ସବୁ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଆସୁଥିଲେ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବୋର୍ଡ ଗାଇଡ଼ ଲାଇନ ଅନୁସାରେ ସ୍କୁଲରୁ ପଠାଯାଇଥିବା ମାର୍କ ଅନୁଯାୟୀ ୯୬.୫ ପ୍ରତିଶତ ମାର୍କ ଆସିବ ବୋଲି ଆଶା ରଖିଥିଲେ । କିନ୍ତୁ ତାଙ୍କର ୮୫ ପ୍ରତିଶତ ମାର୍କ ଆସିଛି । ସେଥିରେ ସେ ଆଦୌ ସନ୍ତୁଷ୍ଟ ନଥିବା କହିଛନ୍ତି । ଗାର୍ଲସ ହାଇସ୍କୁଲର ଛାତ୍ରୀ ସୁପ୍ରିୟା ପ୍ରିୟଦର୍ଶିନୀ ବେହେରା ହିନ୍ଦୀ ନେଇଥିବା ବେଳେ ବୋର୍ଡ ପକ୍ଷରୁ ତାଙ୍କୁ ସଂସ୍କୃତ ପାଇଁ ୪୬ ମାର୍କ ଦିଆଯାଇଛି । ଅନ୍ୟ ଜଣେ ଛାତ୍ରୀ ଶ୍ୱେତା ମହାପାତ୍ର ମଧ୍ୟ ନିଜ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୋର୍ଡର ତ୍ରୁଟି ଯୋଗୁଁ ଏଭଳି ହୋଇଥିବାରୁ ତୁରନ୍ତ ଏଥିରେ ସୁଧାର ଆଣି ପିଲାମାନଙ୍କୁ ସଂଶୋଧିତ ମାର୍କ ଦେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଉଭୟ ସ୍କୁଲର ପ୍ରଧାନଶିକ୍ଷକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking