ବରଗଡ଼ : ବରଗଡ଼ ଜିଲ୍ଳାର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି । ସେହିପରି କେତେକ କ୍ଷେତ୍ରରେ ଧାନ ଗଜା ହୋଇଯାଇଥିବା ବେଳେ ଆଉ କେଉଁଠାରେ ଟୋକନ ଲେପ୍ସ ହୋଇଯିବା ଯୋଗୁଁ ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି । ଏହାକୁ ନେଇ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସାଇକେଲ ଯାତ୍ରାରେ ବରଗଡ଼ ଯୋଗାଣ କାର୍ଯ୍ୟାଳୟ ପହଞ୍ଚି ଧାରଣା ଦେବା ସହ ଚାଷୀ ସମସ୍ୟାର ସମାଧାନ ଦାବି କରିଛନ୍ତି । ବରଗଡ଼ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ସମସ୍ୟାକୁ ନେଇ ଚାଷୀ ନିଜର ଉପାର୍ଜିତ ଧାନ ବିକ୍ରି କରିପାରୁନାହିଁ । କେଉଁଠାରେ ମଣ୍ଡିରେ ପଡ଼ି ପଡ଼ି ଧାନ ଗଜା ହୋଇ ଯାଉଥିବା ବେଳେ ଆଉ କେଉଁଠି ଟୋକନ୍ ଲ୍ୟାପ୍ସ ହୋଇ ଚାଷୀ ଧାନ ବିକ୍ରି କରିପାରୁ ନାହିଁ । ସେହିପରି ବିଭିନ୍ନ ମଣ୍ଡିରେ କଟନିଛଟନି ଏକ ସାଧାରଣ କଥାରେ ପରିଣତ ହୋଇଛି ।
ଏହାକୁ ନେଇ ବିଗତ ଦିନରେ ବିଜେପୁର ବ୍ଲକ ସାଇପାଲି ଗ୍ରାମରେ ଟୋକନ ଲ୍ୟାପ୍ସ ହୋଇଥିବା ୨୫ ଜଣ ଚାଷୀ ଦୁଇ ଦିନ ଧରି ଧାରଣା ଦେଇଥିଲେ । କେବଳ ସାଇପାଲି ଗ୍ରାମରେ ନୁହେଁ ବରଂ ସମଗ୍ର ବରଗଡ଼ ଜିଲ୍ଲାରେ ଧାନ ବିକ୍ରିରେ ଚାଷୀ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି । ଏହାକୁ ନେଇ ସୋମବାର ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ସାଇକେଲ ଶୋଭାଯାତ୍ରାରେ ବରଗଡ଼ ପହଞ୍ଚି ଚାଷୀ ସମସ୍ୟାର ସମାଧାନ ଦାବି କରିବା ସହ ଟୋକନ ଉଚ୍ଛେଦ ଏବଂ ଚାଷୀମାନଙ୍କ ସମସ୍ତ ଧାନ କିଣିବାକୁ ଦାବି କରିଥିଲେ । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ବିଜେପୁର ବ୍ଲକ ସାଇପାଲିରୁ ବାହାରି ଥିବା ଏହି ସାଇକେଲ ଶୋଭାଯାତ୍ରା ବରଗଡ଼ ପହଞ୍ଚିିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ।
ଚାଷୀମାନଙ୍କ ଧାନ ନ ଉଠିବା ପର୍ଯ୍ୟନ୍ତ ଏହା ଅବ୍ୟାହତ ରହିବ ବୋଲି ଚେତାବନୀ ଦିଆଯାଇଥିଲା । ପରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀମାନଙ୍କ ସହ ଆଲୋଚନା କରି ସାଇପାଲି ଗ୍ରାମର ଟୋକନ ସମସ୍ୟା ଯୋଗୁଁ ଧାନ ବିକ୍ରି କରିପାରି ନ ଥିବା ଚାଷୀଙ୍କ ଧାନ ୨୫ ତାରିଖ ମଧ୍ୟରେ ଉଠାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ସାଇକେଲ ଶୋଭାଯାତ୍ରା ଏବଂ ଧାରଣାରେ ଅଞ୍ଚଳର ବହୁ ଚାଷୀ ସାମିଲ ହୋଇଥିଲେ ।