ବାଲେଶ୍ୱର: ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ତ୍ତବ୍ୟରତ ଆଶାକର୍ମୀମାନେ ଡାକ୍ତରଖାନା ପରିସରରେ ଥିବା ଆଶାଗୃହରେ ଅନର୍ଦ୍ଦିଷ୍ଟକାଳ ପାଇଁ ତାଲା ପକାଇଦେବାରୁ ଏକ ଅସୁସ୍ଥ ବାତାବରଣ ସୃଷ୍ଟି ହୋଇଛି । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୧୨୧ ଜଣ ଆଶାକର୍ମୀ କାର୍ଯ୍ୟ କରନ୍ତି । ମାତ୍ର ଏହି ଆଶାକର୍ମୀଙ୍କ ପାଇଁ ଏକ ଆଶାଗୃହ ଅଛି । ଯେଉଁ ଆଶାଗୃହରେ ରୋଟେସନ ଭାବେ ଆଶାକର୍ମୀମାନେ ରହି ଦାୟିତ୍ୱ ତୁଲାଇଥାନ୍ତି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ କିଛି ପାରିଶ୍ରମିକ ମିଳିଥାଏ । କିନ୍ତୁ ସୋର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ୪ ଜଣ ଆଶାକର୍ମୀ ଆଜକୁ ୧୨ ବର୍ଷ ଧରି ଉକ୍ତ ଆଶାଗୃହକୁ ନିଜ ଅଧୀନରେ ରଖିବା ସହିତ ଅତିରିକ୍ତ ନିୟମ ମୁତାବକ ସୁବିଧା ସୁଯୋଗ ହାତେଇ ନେଉଥିବାରୁ ଅନ୍ୟ ୧୧୭ ଜଣ ଆଶକର୍ମୀ ଏହାକୁ ବିରୋଧ କରିଛନ୍ତି ।
ଏହି ଆଶାକର୍ମୀମାନେ ଲିଖିତ ଭାବେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ଜଣାଇବା ସହିତ ଯେପର୍ଯ୍ୟନ୍ତ ଉକ୍ତ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଉକ୍ତ ଆଶାଗୃହର ଚାବି ଖୋଲାଯିବନାହିଁ ବୋଲି ରୋକ୍ଠୋକ୍ ପ୍ରକାଶ କରିଛନ୍ତି । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଶାକର୍ମୀଙ୍କ ନେତ୍ରୀ ମିନତୀ ପଣ୍ଡା ଓ ସ୍ୱର୍ଣ୍ଣଲତା ବିଶ୍ୱାଳ ପ୍ରମୁଖଙ୍କ କହିବା ଅନୁସାରେ ଏହି ଆଶାଗୃହକୁ ରୋଟେସନ ଭିତ୍ତିକ କରାଯିବା ପାଇଁ ନିର୍ଦ୍ଦେଶନାମା ରହିଛି । କିନ୍ତୁ ପ୍ରଫୁଲତା ସନ୍ଧିବିଗ୍ରହ, ଋକ୍ମଣୀ ମହାପାତ୍ର, ସରସ୍ୱତୀ ଯେନା ଓ ସ୍ନେହଲତା ସେଠୀ ଆଜକୁ ୧୨ ବର୍ଷ ଧରି ଉକ୍ତ ଗୃହକୁ ଜବରଦଖଲରେ ରଖି ସମସ୍ତ ପ୍ରକାର ସୁବିଧା ସୁଯୋଗ ହାତେଇ ନେଉଛନ୍ତି ।
ଏ ସମ୍ପର୍କରେ ଅନ୍ୟ ଆଶକର୍ମୀମାନେ ଆଶା କୋର୍ଡିନେଟର, ବିପିଏମଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ସମାଧାନର କୌଣସି ସୂତ୍ର ବାହାର ନକରି ବରଂ ଉକ୍ତ ୪ ଜଣ ଆଶାକର୍ମୀ ଉଚ୍ଚନ୍ୟାୟାଳୟରେ ରହିତାଦେଶ ଆଣିଥିବାରୁ ନିଜର ଅସହାୟତା ପ୍ରକାଶ କରିଥିଲେ । ଯେପର୍ଯ୍ୟନ୍ତ ଉକ୍ତ ସମସ୍ୟାର ସମାଧାନ ନହୋଇଛି ସେତେ ଦିନ ପର୍ଯ୍ୟନ୍ତ ଉକ୍ତ ଆଶାଗୃହର ଚାବି ଖୋଲାଯିବ ନାହିଁ ବୋଲି ବନୀତା ନାୟକ, ସଞ୍ଜୁଲତା ସାହୁ,ସସ୍ମିତା ପଣ୍ଡା, ମଞ୍ଜୁଲତା ମଳିକ, ସଞ୍ଜୁଲତା ଆରୁଖ, କବିତା ପଣ୍ଡା, ସବିତା ବାରିକ ପ୍ରମୁଖ ବହୁ ଆଶାକର୍ମୀ ଲିଖିତ ଭାବେ ଜଣାଇଛନ୍ତି ।