ଭୁବନେଶ୍ୱର : ବାତ୍ୟା ‘ୟାଶ୍’ ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଧାମରାର ଉତ୍ତର ଓ ବାଲେଶ୍ୱରର ଦକ୍ଷିଣରେ ସ୍ଥଳଭାଗ ଆରମ୍ଭ ହୋଇଛି। ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରାୟ ୩ ରୁ୪ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲୁ ରହିବ। ପବନର ବେଗ ଘଣ୍ଟାକୁ ୧୩୦ ରୁ ୧୪୦ କିମି ରହିଛି। ବେଳେ ବେଳେ ପବନର ବେଗ ଘଣ୍ଟାକୁ ୧୫୦ କିମି ହେଉଛି। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ ବୋଲି ବୋଲି ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସକାଳ ୯ଟାରେ ଏହା ଆରମ୍ଭ ହୋଇଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ନିକଟରେ ଲ୍ୟାଣ୍ଡଫଲ ହେଉଛି।
ବାଲେଶ୍ୱର ଜିଲା ପାର ହେବାକୁ ୫ ରୁ ୬ ଘଣ୍ଟା ସମୟ ଲାଗିବ। ବାଲେଶ୍ୱର ପରେ ମୟୁରଭଞ୍ଜ ଯିବା ସହ ସେଠାରେ ୧୦୦ କିମି ବେଗରେ ପବନ ହେବ।ଦିନ ୩ଟା ଯାଏଁ ଭଦ୍ରକ, ବାଲେଶ୍ୱରରେ ପ୍ରଭାବ ପକାଇବ। ଅପରାହ୍ନ ପରଠାରୁ ମୟୁରଭଞ୍ଜରେ ବର୍ଷା, ପବନ ବଢିବ। ମୟୁରଭଞ୍ଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡଖଣ୍ଡ ମୁଖେ ଚାଲିଯିବ। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୁରଭଞ୍ଜ ଜୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ମିମି ବର୍ଷା ରେକର୍ଡ ହୋଇଛି। ବାଲେଶ୍ୱର ଓ ଭଦ୍ରକ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।
ସନ୍ଧ୍ୟା ଯାଏଁ ପବନର ବିପଦ ରହିବ। ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ ରୁ ୧୫୦ କିମି ପବନ ହେଉଛି। ଜଗତସିଂହପୁର ଓ କେନ୍ଦ୍ରାପଡାରେ ପବନର ବେଗ କିମିଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। କାଲି ସକାଳ ପରେ ପାଗରେ ସୁଧାର ଆସିବ। ଆଶ୍ରୟସ୍ଥଳୀରେ ଥିବା ଲୋକେ ଏବେ ଘରକୁ ଫେରନ୍ତୁ ନାହିଁ। ସଠିକ ସୂଚନା ପରେ ହିଁ ଘରକୁ ଫେରନ୍ତୁ। ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।