ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ନୋଏଡାର ପୋଲିସ୍ ଷ୍ଟେସନ୍ ଅଞ୍ଚଳର ସେକ୍ଟର ୨୬ ରେ ଅବସ୍ଥିତ ଏକ ଅର୍ଦ୍ଧ ନିର୍ମାଣାଧୀନ ଦୋକାନ ଘରେ ମଣିଷ କଙ୍କାଳ ମିଳିଛି । ଏହାକୁ ନେଇ ସମଗ୍ର ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି । ସୂଚନା ପାଇବା ପରେ ପୋଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି କଙ୍କାଳଟିକୁ ଡିଏନ୍ଏ ପରୀକ୍ଷା ପାଇଁ ପଠାଇଥିଲେ ।
ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ସୂଚନା ପାଇଥିଲା ଯେ, ଦୋକାନ ଘରେ ମଣିଷ କଙ୍କାଳ ପଡିଛି । ପୋଲିସର ସୂଚନାନୁସାରେ, ଦୋକାନ ଘରଟି ଜଣେ କାର୍ପେଟ ବ୍ୟବସାୟୀଙ୍କର ଅଟେ ,ସେ ଘରର ଅବସ୍ଥା ଦେଖିବା ପାଇଁ ବିଳମ୍ବିତ ରାତିରେ ତାଙ୍କର ଜଣେ ସୂଚନାଦାତାଙ୍କୁ ପଠାଇଥିଲେ ।
ବ୍ୟବସାୟୀଙ୍କ ଦ୍ୱାରା ପଠାଇଯାଇଥିବା ଲୋକ ଯେତେବେଳେ ଘର ଭିତରେ ପ୍ରବେଶ କଲା, ସେଠାରେ ଏକ କୋଠରୀରେ ଏକ ମଣିଷ କଙ୍କାଳ ପଡିଥିବାର ଦେଖିଥିଲେ । ଏହାପରେ ସେ ତୁରନ୍ତ ଘର ମାଲିକଙ୍କୁ ସୂଚନା ଦେଇଥିଲେ ଏବଂ ପରେ ପୋଲିସକୁ ଖବର ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ଅତିରିକ୍ତ ଡିସିପି ରଣବିଜୟ ସିଂ କହିଛନ୍ତି ଯେ, ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଟିମ୍ ଏବଂ ଫରେନସିକ୍ ଟିମ୍ ମଣିଷ କଙ୍କାଳକୁ ନେଇ ପୋଷ୍ଟମର୍ଟମ ଏବଂ ତଦନ୍ତ ପାଇଁ ପଠାଇଛନ୍ତି । ସେହି ଘରୁ ପ୍ରମାଣ ସଂଗ୍ରହ କରାଯାଇଛି । ଏଥିସହ ଆଖପାଖ ଅଞ୍ଚଳରେ ସୂଚନା ସଂଗ୍ରହ କରାଯାଉଛି । ତେବେ ବର୍ତ୍ତମାନ ସଦ୍ଧା କୌଣସି ସୂଚନା ବାହାରକୁ ଆସିନାହିଁ ।