ଯାଜପୁର : ଯାଜପୁର ଜିଲ୍ଲା ପ୍ରଶାସନ ଗତ ମାସରେ ଧର୍ମଶାଳା ତହସିଲ ଏବଂ ଚଳିତ ମାସରେ ଦର୍ପଣ ତହସିଲ୍ ଅଞ୍ଚଳରେ ପରିବେଶ ନିୟମ ଓ ସାଇଟିଂ କ୍ରାଇଟେରିଆ ବହିର୍ଭୁତ କରି ବିନା ଅନୁମତି ପ୍ରମାଣପତ୍ରରେ ଚାଲୁଥିବା ପଥର ଭଙ୍ଗା କ୍ରସର୍ ଗୁଡ଼ିକୁ ଉଚ୍ଛେଦ ଓ ସିଲ୍ କରିବାର କେଇଦିନ ଯାଇଛି କି ନାହିଁ ଏବେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା । ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଡାକ ବଙ୍ଗଳା ଛକଠାରୁ ଚଢେଇଧରା ଛକ ମଧ୍ୟରେ ରାଣୀବନ୍ଧ, ଭଡ଼ଙ୍ଗା, ଆରୁହା, ପାଖର,ବରଡ଼ା, ବଉଳମାଳ ଆଦି ମୌଜାରେ ରାଜପଥ ପାର୍ଶ୍ୱକୁ ଲାଗିକରି ଥିବା ବହୁ କ୍ରସର୍ ଯେ ବେଆଇନ୍ ଭାବେ ନିୟମିତ ଚାଲୁଛି । ଆଜି ଦ୍ୱିପ୍ରହରେ ନିଆ ଯାଇଥିବା ଏସବୁ ଚିତ୍ରଗୁଡ଼ିକ ତାହା ପ୍ରମାଣିତ କରୁଛି । ପ୍ରତ୍ୟେକ କ୍ରସର୍ କନଭେୟର୍ ବେଲଟ୍ ତଳେ ସଦ୍ୟ ଭାବେ ପଥର ପେଡା ଯାଇ ସେଠାରେ ଗଦା ହୋଇଥିବା ଚିପ୍ସ ସବୁ ହିଁ ନିଛକ ପ୍ରମାଣ ନୁହେଁ କି ? ଏସବୁ କ୍ରସର୍ ତ ରାଜପଥ କଡ଼ରେ ଥାଇ ବି ନିର୍ଭୟ ଭାବେ ଚାଲି ପାରୁଛି । ତେବେ ଆଉ ଯେଉଁ ଗୁଡ଼ିକ ଅଣଦେଖା ସ୍ଥାନରେ ରହିଛି ସେସବୁ କେମିତି ସିଲ୍ ହୋଇ ରହିଥିବ ଏଥିରୁ ବୁଝି ପରୁଥିବେ । ସ୍ଥାନୀୟ ଲୋକଙ୍କ କହିବା କଥା ପ୍ରତ୍ୟେକ ରାତି ୧୦ଟା ଠାରୁ ପରଦିନ ସକାଳ ୬ଟା ପର୍ୟ୍ୟନ୍ତ ହିଁ କ୍ରସର୍ ଗୁଡ଼ିକ ଚାଲୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କିମ୍ବା ପୋଲିସ୍ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି । କ୍ରସର୍ ଗୁଡ଼ିକ ଚାଲିବା ସମୟରେ ପଥରରୁ ନିର୍ଗତ ଗୁଣ୍ଡ ଦ୍ବାରା ଜାତୀୟ ରାଜପଥ ଉପର ଧୂମାଚ୍ଛନ୍ନ ହୋଇ ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି କରୁଛି । ତେବେ ସିଲ୍ କ୍ରସର୍ ଗୁଡ଼ିକ ପୁନଃ ଚାଲିବା ପରେ ପ୍ରଶାସନର ସେହି କ୍ରସର୍ ସିଲ୍ କରିବା ପଦକ୍ଷେପ କେବଳ ଲୋକ ଦେଖାଣିଆ ଥିଲା ନା କୌଣସି ରାଜନୈତିକ ଚାପ ଆଗରେ ପ୍ରଶାସନର ପଦକ୍ଷେପ ଶିଥିଳ ପଡ଼ିଗଲା ତାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।