ବାରିପଦା : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ମୁରୁଣିଆ ଛକରେ ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଅନ୍ୟ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ୨୦ରୁ ଅଧିକ ଲୋକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଟ୍ରାକ୍ଟର ଯୋଗେ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରୁ ଡମନସାହି ଆସୁଥିଲେ । ରାତି ପ୍ରାୟ ୮ଟାରେ ମୁରୁଣିଆ ଛକରେ ଟ୍ରାକ୍ଟରଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିବା ସହିତ ଆହତମାନଙ୍କୁ ହସ୍ପିଟାଲ ପଠାଇଛି । ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।