19.1 C
Bhubaneswar
Sunday, November 24, 2024
Homeଏକ୍ସକ୍ଲୁସିଭ୍ଉଦଣ୍ଡୀ ଝିଅ : ମମତା ଆଚାର୍ଯ୍ୟ

ଉଦଣ୍ଡୀ ଝିଅ : ମମତା ଆଚାର୍ଯ୍ୟ

 

ହେଇ ଦେଖ ଉଦଣ୍ଡୀ ଟାକୁ ।ପୁରି ଟା ଥଣ୍ଡା ହେଇଗଲା ବୋଲି କେମିତି ନଖାଇ ଗୋଡ କଚାଡି ଚାଲିଗଲା ।କୋଡିଏ ପୂରି ଏକୋଇଶି ଚାଲିଲାଣି ।କଣ ଛୋଟ ଛୁଆ ହେଇଛି ।ଆଉ ଦୁଇ ବରଷକୁ ଘର ସଂସାର କରିବ ।କେମିତି ଚଳିବ କେଜାଣି?କେବେ ଆଉ ସୁଧୁରିବ ଚଣ୍ଡୀ ଟା ।ଜେଜେ ମା ,ବାପା ଆହୁରି ଗେଲ୍ହା କରୁ ଥାଆନ୍ତୁ ।ମୁଣ୍ଡରେ ବସେଇ ଥାଆନ୍ତୁ ।ନାଁ ପକେଇବ ଶାଶୁ ଘରେ ।ଏଇମିତି ଗର ଗର ହେଇ ଆଉ ଦୁଇଟି ପୁରି ଗରମ ଗରମ ଛାଣି ପ୍ଳେଟ ରେ ନେଇ ଝିଅ ବେବି ହାତରେ ଧରେଇ ଦେଇ ଆସିଲେ ସୁଲତା ।

ଦୁଇ ପୁଅ ତଳେ ବେବି ତାଙ୍କର ଏକମାତ୍ର ଝିଅ ।ଏମିତି ନୁହେଁ ଯେ ତାଙ୍କ ବଂଶରେ ଆଗରୁ ଝିଅ ନଥିଲେ ଆଉ ବେବି ପ୍ରଥମ କରି ଝିଅ ହେଇଛି ।ତାଙ୍କର ତ ତିନି ତିନୋଟି ନଣନ୍ଦ ।ହେଲେ ସେ ଲକ୍ଷ୍ୟ କରନ୍ତି ଶାଶୁ ଘରେ ଝିଅ ମାନଙ୍କୁ ଖୁବ ଗୁରୁତ୍ତ୍ଵ ଦିଆଯାଏ ।ନଣନ୍ଦ ମାନଙ୍କୁ ଭାରି ଖାତିରି ଏ ଘରେ ।ଶାଶୁ ମରହଟ୍ଟିଆ ମଣିଷ ହେଲେବି ମନ ଭିତରେ ପୁଅ ଝିଅ ପ୍ରଭେଦ ରଖନ୍ତି ନାହିଁ ।ଶାଶୁ ଘରର ଏପରି ଚିନ୍ତା ଧାରା ତାଙ୍କୁ ଭଲ ଲାଗେ ।କିନ୍ତୁ ଏତେ ଗେଲ୍ହା କରି ଝିଅ ଟାକୁ ଫାଜିଲ କରିଦେବାଟା କେତେ ଯୁକ୍ତି ଯୁକ୍ତ ।ଏତେ ବଡ ଝିଅ ହେଲାଣି କୁଟା ଖଣ୍ଡିକ ଦି ଖଣ୍ଡ କରୁନି ।ଆକଟ କରି କିଛି କହିଲେ ଶାଶୁ ଓଲଟି ତାଙ୍କୁ କହନ୍ତି –ଆଲୋ ମା ,ତୁ କେତେ ତୁମ ଘରେ କାମ କରୁଥିଲୁ ।ମତେ ପରା ନିଜେ ସମୁଦୁଣୀ କହିଛନ୍ତି ତୁ କାଳେ ଖାଇବା ପିଇବାରେ ଭାରି ହଇରାଣ କରୁଥିଲୁ ।ଡାଲିରେ ଟିକିଏ ଫୁଟଣ ଅଧିକ ହେଲେ ଘର କମ୍ପାଉ ଥିଲୁ ।ହଁ ଆହୁରି ଗୋଟିଏ କଥା କହୁଥିଲେ ସମୁଦୁଣି ।ମନେ ପଡିଲେ ଏବେବି ହସ ମାଡୁଛି ।କାମ କରିବାକୁ ପଡିବ ବୋଲି ତୁ କୁଆଡେ ମିଛରେ ବହି ଧରି ବସି ପଡୁଥିଲୁ ।ନହେଲେ ମିଛି ମିଛିକା ଶୋଇପଡିବାର ଛଳନା କରୁଥିଲୁ ।ଏବେ କେମିତି ଶାଶୁ ଘରେ ତୁ ସୁନା ବୋହୂ ହେଇଛୁ ।ଉପରେ ପଡିଲେ ସମସ୍ତେ ବଜେଇ ଶିଖନ୍ତି ।ହେଇ ଦେଖ ହାତ କାଟି ଲେଖି ଦେଉଛି ମୋ ନାତୁଣୀ ଯେଉଁଠିକୁ ଯିବ ସେ ଘର ସୁନା ପାଲଟିଯିବ ।ଜେଜେ ମା ର ମୁହଁ ବଢା କଥା ଶୁଣି ବେବି ଆହୁରି ଫୁଲେଇ ହେଇଯାଏ ।ଜେଜେ ମା ଗାଲକୁ ଚିପି ଦେଇ ତାଙ୍କୁ ଦେଖେଇ ହେଇ କୁହେ –ମମ୍ମି,ଶିଖେ କିଛି ଜେଜେ ମା ଠାରୁ ।ତୁ ଆଜିକାଲିର ମଣିଷ ହେଇ ବି ଝିଅ ପୁଅ ଭିତରେ ପ୍ରଭେଦ କରୁଛୁ ।କାଇଁ ଭାଇ ମାନଙ୍କୁ ତ କିଛି କହୁନୁ ।ଯେତେକ ଆକଟ ମୋ ପାଇଁ ।

ସୁଲତା ଚୁପ ହେଇ ଯାଆନ୍ତି ।କେମିତି ବୁଝେଇବେ ଝିଅ କୁ ।ଢିଙ୍କି ସ୍ଵର୍ଗ କୁ ଗଲେ ବି ଧାନ କୁଟିବ ବୋଲି ।ଆଉ ରହିଲା ଭାଇ ମାନଙ୍କ କଥା ।ସେମାନଙ୍କୁ ଯାହା ବି ଦେଲେ ସେମାନେ ଚୁପ ଚାପ ଖାଇ ଉଠିଯାଆନ୍ତି ।କୌଣସି କଥାରେ ସେମାନଙ୍କର ଅଭିଯୋଗ ନଥାଏ ।ସବୁ ନବରଂଗ ତୋରି ଠେଇଁ ।ଛାଡ ବାପା ଜେଜେ ମା ଙ୍କର ବଳ ପାଇ ଏମିତି ଉଦଣ୍ଡୀ ହେଉଛି ।ମନେ ମନେ ଠାକୁରଙ୍କୁ ଗୁହାରି କରନ୍ତି –ହେ ପ୍ରଭୁ ,ମୋ ବେବିକୁ ଭଲ ଶାଶୁ ଘର ଟିଏ ଦିଅ ।

ବେବି କୁ ପଚିଶି ପଶୁ ପଶୁ ତାର ବାହାଘର ଠିକ ହେଇଗଲା ଏକ ଭଲ ଜାଗାରେ ।ସୁଲତା ଯେତିକି ଖୁସି ହେଉଥାନ୍ତି ସେତିକି ଚିନ୍ତା ମଧ୍ୟ କରୁଥାନ୍ତି ।ହେ ଭଗବାନ କେମିତି ସଜାଡିବେ ଏ ଅସଜଡା ଝିଅ କୁ ।ଆଉ ଦିନ କେଇଟା ରହିଲା ବାହାଘରକୁ ।ଶାଶୁ ଘର ଯାଇ ନିଶ୍ଚୟ ନାଁ ପକେଇବ ଏ ଝିଅ ।ଏବେ ଯାହା ଟିକିଏ କହିଲେ ତ ତା ବାପା ଓ ଜେଜେ ମା ପୂର୍ବ ଠାରୁ ଅଧିକ ମାଡି ବସୁଛନ୍ତି ତାଙ୍କୁ ।ସେଇ ଗୋଟିଏ କଥା ସେମାନଙ୍କର –ଆଉ କେତେଦିନ ଝିଅଟା ରହିବ ଘରେ ?ଖୁସି ଖୁସି ରହୁ ।ତାକୁ ଆଉ କିଛି କୁହନି ।ସେ ବି ମନେ ମନେ ଭାବନ୍ତି ।ସତକଥା ତ ।ଝିଅ ଟା ଆଉ କେତେଦିନ ରହିବ ପାଖରେ ।ପ୍ରଜାପତି ପରି ଡେଣା ମେଲି ଉଡିବାର ଦିନ ସରି ଆସୁଛି । ଝିଅରୁ ବୋହୂକୁ ରୂପାନ୍ତର ଅନେକ ପରିବର୍ତ୍ତନ ଆଣିଦିଏ ଜୀବନରେ ।ଥାଉ ବିଚାରୀ ତା ମୁକୁଳା ମନ ନେଇ ।

ଦିନ ସବୁ କେତେ ବେଗି ବେଗି ଚାଲିଗଲା ।ବେବି ଓଢଣା ଟାଣି ବୋହୂ ହେଇ ପାଦ ରଖିଲା ଶାଶୁ ଘରେ ।ଝିଅ ପାଇଁ ଖୁବ ଚିନ୍ତା ସୁଲତାଙ୍କ ମନରେ ।ସତରେ କଣ ବେବି ଶାଶୁ ଘରେ ତାର ଦାୟିତ୍ଵ ଠିକ ଭାବରେ ତୁଲେଇ ପାରିବ?ନିଶ୍ଚୟ ଶାଶୁ ଘରୁ ଅନେକ ଅଭିଯୋଗ ଆସିବ ତା ନାଁ ରେ ।ଝିଅ କୁ କିଛି ଶିଖେଇ ନାହଁ ବୋଲି ତାଙ୍କୁ ହିଁ ସମସ୍ତେ ଦୋଷ ଦେବେ ।କାଇଁ ନାଇଁ ତ ।ଛ ମାସ ପୁରି ଗଲାଣି ବାହାଘରକୁ ।ଅଭିଯୋଗ ବଦଳରେ ଶାଶୁ ତାର ଭୂରି ଭୂରି ପ୍ରଶଂସା କରୁଛନ୍ତି ।ସମୁଦୁଣୀ ଖୁବ ଭଲ ଲୋକ ।ହୁଏତ ମାତୃ ସୁଲଭ ଗୁଣରେ ବେବିର ଦୋଷ ଦୁର୍ବଳତାକୁ ପଣତରେ ଘୋଡେଇ ରଖିଛନ୍ତି ।ଏବେ ବି ସେ ବେବି ଉପରେ ବିଶ୍ବାସ କରି ପାରନ୍ତି ନାହିଁ ।ବେବି ଶାଶୁ ଘରୁ ଫୋନ ଆସିଲେ ଶଙ୍କି ଯାଆନ୍ତି ସେ ।

ବେବି ନଣନ୍ଦ ପୁଅର ଜନ୍ମ ଦିନ ପାଳନ ପାଇଁ ସୁଲତା ସପରିବାରେ ଯାଇଥାଆନ୍ତି ବେବିର ଶାଶୁ ଘରକୁ ।ଘରେ ଏକ ଛୋଟ କାଟିଆ ନିରାଡମ୍ବର ଆୟୋଜନ ହେଇଥାଏ ।ସୁଲତା ଲକ୍ଷ୍ୟ କରୁଥାନ୍ତି ଉଦଣ୍ଡୀ ଝିଅ ତାଙ୍କର କେତେ ସୁନ୍ଦର ଓଢଣା ଦେଇ ସବୁ କାମ କରି ଯାଉଛି ଶୃଙ୍ଖଳିତ ଭାବରେ ।ସେ ଆଶ୍ଚର୍ଯ୍ୟ ହେଉଥିଲେ ।କେମିତି ଶିଖିଲା ଏତେ କାମ ଏତେ ସଣ୍ଠଣା ।ପାଲା ପୂଜା ସାରି ସମସ୍ତେ ଖାଇ ସାରିଲା ବେଳକୁ ରାତି ଏଗାର ବାଜି ସାରିଥାଏ ।ଯେଉଁ କେତେଜଣ କାର୍ଯ୍ୟଗ୍ରାହୀ ସ୍ତ୍ରୀ ଲୋକ ଖାଇ ନଥିଲେ ,ସେମାନେ ଏକାଠି ବସିଲେ ଖାଇବାକୁ ।ସେମାନଙ୍କ ଭିତରୁ କେହି କେହି ପୁରି ତରକାରୀ ଥଣ୍ଡା ହେଇଗଲାଣି ବୋଲି ବାରୁ ଥିଲା ବେଳେ ସୁଲତା ଦେଖିଲେ ବେବି ଆନନ୍ଦ ମନରେ ପୁରି ତରକାରୀ ଖାଉଛି ।ସୁଲତାଙ୍କର ପଛ କଥା ମନ ପଡି ଦୁଇ ବୁନ୍ଦା ଲୁହ ଝରିପଡିଲା ଆଖିରୁ ।ଯୋଉ ଝିଅ ପୁରି ଥଣ୍ଡା ହେଲେ ଗୋଡ କଚାଡି ଘର ଉଠାଉ ଥିଲା ପକାଉଥିଲା ଆଜି ସେ ତୁନି ହେଇ ଥଣ୍ଡା ପୁରି ତରକାରୀ ଖୁସିରେ ଖାଉଛି ।ଏତିକି ବେଳେ ବେବିର ଶାଶୁ ବେବିର ପ୍ରଶଂସା କରି କହିଲେ –ଯାହା କୁହ ସମୁଦୁଣୀ ,ମୋ ବୋହୂ ସୁନା ମୁଣ୍ଡା ଟିଏ ।ପିନ୍ଧିବା ଖାଇବା କୋଉଥିରେ ବି ତାର ଆପତ୍ତି ଅଭିଯୋଗ ନଥାଏ ।ଥଣ୍ଡା ଗରମ ରାଗ ଲୁଣି କିଛି ବାରଣ ନଥାଏ ଖାଇବାରେ ତାର ।ଖୁବ ଭଲ ଶିକ୍ଷା ଆପଣ ଦେଇଛନ୍ତି ସମୁଦୁଣୀ ।ସୁଲତା ସମୁଦୁଣୀଙ୍କ କଥା ଶୁଣି ବେବିକୁ ଚାହିଁଲେ ।ତାଙ୍କ ଉଦଣ୍ଡୀ ଝିଅ ଆଜି ଗୁଣବତୀ ବୋହୂ ।ତାଙ୍କ ଛାତି ଗରବରେ ଫୁଲି ଉଠୁଥିଲା ।ଆଖିରେ ଲୁହ, ହେଲେ ଏ ଲୁହ ଖୁସିର ଲୁହ ।ସତରେ ଇଛା ଥିଲେ କିଛି ଅସମ୍ଭବ ନୁହେଁ ଏ ଦୁନିଆରେ ।###

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking