ଭୁବନେଶ୍ୱର : ଇଣ୍ଡିଆ ଟୁଡେ ପକ୍ଷରୁ ବିଭିନ୍ନ ରାଜ୍ୟର ପ୍ରଶାସନିକ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଜନମତ କ’ଣ ରହୁଛି ବା ‘ମୁଡ୍ ଅଫ୍ ଦ ନେସନ୍’ର ଉପରେ ମତାମତ ସଂଗ୍ରହ କରାଯାଇଥିଲା । ଏଥିରେ ଜାତୀୟ ସ୍ତରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆତିତ୍ୟନାଥ ଲଗାତାର ଭାବେ ଚତୁର୍ଥ ଥର ପାଇଁ ‘୧- ନଂ’ କାର୍ଯ୍ୟଧକ୍ଷ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଥିବାବେଳେ ରାଜ୍ୟସ୍ତରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଭାବେ ପୁଣି ‘୧- ନଂ’ ହୋଇଛନ୍ତି ।
ଦେଶରେ ଯେତେ ଗୁଡ଼ିଏ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ସେଥିରେ ପ୍ରମୁଖ ରାଜ୍ୟମାନଙ୍କ ସ୍ଥିତିକୁ ନିଆଯାଇ ଏହି ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ ରାଜ୍ୟ ଗୁଡ଼ିକ ମଧ୍ୟରେ ନବୀନ ପଟ୍ଟନାୟକ ୧-ନଂ ମୁଖ୍ୟମନ୍ତ୍ରୀ ଭାବେ ପ୍ରଦିପାଦିତ ହୋଇଛନ୍ତି । ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ସୁବଠୁ ଅଧିକ କାର୍ଯ୍ୟଧକ୍ଷ ବୋଲି ରାଜ୍ୟର ଲୋକେ ନବୀନଙ୍କୁ ଗ୍ରହଣ କରିଛନ୍ତି । ୫୧ପ୍ରତିଶତ ଲୋକଙ୍କ ମତ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ତାଙ୍କୁ ଏହି ଶ୍ରେଷ୍ଠତା ମିଳିବା ପଛରେ ଲୋକଙ୍କ ମତ ହେଉଛି ସେ ସ୍ୱଚ୍ଛତା, ସାଧୁତା ଓ ଭାବମୂର୍ତ୍ତିକୁ ବଜାଇ ରଖିଛନ୍ତି । ସେ ଜାତୀୟସ୍ତର କାର୍ଯ୍ୟକ୍ରମକୁ ଦୂରେରେ ରହି ରାଜ୍ୟ ସ୍ତରର କାର୍ଯ୍ୟକ୍ରମ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ୨୦ବର୍ଷ ହେଲା ବିଜେପି ଓ କଂଗ୍ରେସକୁ ଦୂରରେ ରଖି ବିଜେଡି ସରକାରକୁ କ୍ଷମତାରେ ରଖିବା ପଛରେ ମୁଖ୍ୟ କାରଣ ହେଉଛି, ନବୀନଙ୍କର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ବୋଲି ଦର୍ଶାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଏବିପି-ସି ଭୋଟର ପକ୍ଷରୁ ସର୍ଭେ କରାଯାଇଥିଲା । ଏଥିରେ ମଧ୍ୟ ନବୀନ ଦେଶର ୧-ନଂ ମୁଖ୍ୟମନ୍ତ୍ରୀ ପ୍ରତିପାଦିତ ହୋଇଥିଲେ । ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏବିପି ପକ୍ଷରୁ ସର୍ଭେ କରଯାଇଥିଲା ।
ରାଜ୍ୟସ୍ତାରୀୟ ମୁଖ୍ୟମନ୍ତ୍ରୀ ତାଲିକା ଶୀର୍ଷରେ ନବୀନ ଥିଲାବେଳେ ଦ୍ୱିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦୀତ୍ୟନାଥ ତୃତୀୟ, ଚତୁର୍ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ପଞ୍ଚମରେ ଅଛନ୍ତି ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ।
ଜାତୀୟ ସ୍ତରର କାର୍ଯ୍ୟକୁ ଆଧାର କରି ଯେଉଁ ସର୍ଭେ କରାଯାଇଛି ସେଥିରେ ଯୋଗୀ ଆତିତ୍ୟନାଥ ଶୀର୍ଷରେ ଅଛନ୍ତି । ଜନମତର ୨୫ପ୍ରତିଶତ ଭୋଟ୍ ତାଙ୍କୁ ମିଳିଛି । ସେ ଦେଶରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ସ୍ଥାନ ପାଇଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ତାଙ୍କୁ ୧୪ପ୍ରତିଶତ ଭୋଟ୍ ମିଳିଛି । ତୃତୀୟରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ୮ପ୍ରତିଶତ ଭୋଟ୍ ମିଳିଛି । ଗତଥର ଏହି ସ୍ଥାନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଥିଲେ । ଚତୁର୍ଥରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ତାଙ୍କୁ ୬ପ୍ରତିଶତ ଭୋଟ୍ ମିଳିଛି । ଜଗନ ମୋହନ ରେଡ୍ଡି ଏଥର ପଞ୍ଚମ ସ୍ଥାନକୁ ଆସିଛନ୍ତି । ପଛକୁ ଉଦ୍ଧବ ଠାକ୍ରେ ଓ ନବୀନ ପଟ୍ଟନାୟକ ଅଛନ୍ତି ।
ଏହି ସର୍ଭେ ଇଣ୍ଡିଆ ଟୁଡେ ପକ୍ଷରୁ ଚଳତମାସ ୩ ତାରିଖରୁ ୧୩ ତାରିଖ ମଧ୍ୟରେ ଜନମତ ସଂଗ୍ରହ କରାଯାଇଥିଲା । ଲୋକଙ୍କ ସିଧାସଳଖ ପଚାରି ଓ ଫୋନ୍ ମାଧ୍ୟମରେ ମଧ୍ୟ ମତାମତ ନିଆଯାଇଥିଲା । ୫୦ପ୍ରତିଶତ ଲୋକଙ୍କୁ ସିଧାସଳଖ ଭାବେ ଓ ୫୦ ପ୍ରତିଶତ ଲୋକଙ୍କୁ ଟେଲିଫୋନ୍ ମାଧ୍ୟମରେ ପଚରା ଯାଇଥିଲା । ଏଥିରେ ୧୨ହଜାର ୨୩୨ଜଣଙ୍କର ମତ ନିଆଯାଇଛି । ୧୯ଟି ରାଜ୍ୟର ୯୭ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୭ପ୍ରତିଶତ ଗ୍ରାମାଞ୍ଚଳରୁ ଓ ସହରାଞ୍ଚର ୩୩ପ୍ରତିଶତ ଲୋକଙ୍କ ମତ ନିଆଯାଇଛି । ଏହି ପ୍ରମୁଖ ୧୯ ରାଜ୍ୟ ହେଲା- ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାମ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ।