20.1 C
Bhubaneswar
Thursday, November 21, 2024
Homeଏକ୍ସକ୍ଲୁସିଭ୍କ୍ରାନ୍ତିର କିମ୍ବଦନ୍ତୀ ନେତାଜୀ ସୁଭାଷ : ମାୟାଧର ନାୟକ

କ୍ରାନ୍ତିର କିମ୍ବଦନ୍ତୀ ନେତାଜୀ ସୁଭାଷ : ମାୟାଧର ନାୟକ

 

କ୍ରାନ୍ତିର କିମ୍ବଦନ୍ତୀ ସେ । ସ୍ପର୍ଦ୍ଧିତ ପୌରୁଷର ସ୍ପନ୍ଦିତ ପ୍ରବାଦ । ରକ୍ତାକ୍ତ ସଂଗ୍ରାମର ରୁଦ୍ରଭୌରବୀ ।

ହଁ; ଏ ମହାଜାତିର ମହାନାୟକ ସେ – ନେତାଜୀ ସୁଭାଷଚନ୍ଦ୍ର । ଆଜି ବି ମନ୍ତ୍ରବତ୍ ଉଚ୍ଚାରିତ ହୁଏ ଏହି ନିର୍ଭୀକ ନେତୃପୁରୁଷଙ୍କ ନାମ… ସ୍ନାୟୁରେ ସ୍ନାୟୁରେ ସଂଚାରିତ ହୁଏ ସହସ୍ର ସ୍ଫୁଲିଙ୍ଗ… ନିଦ୍ରିତ ବସନ୍ତର ବନସ୍ତରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି କରେ ଅଜସ୍ର ବୈଶାଖୀ !

ନେତାଜୀ ସୁଭାଷ… ଏକ ନିଆରା ନିଆଁର ନାଁ ।

ସେ ଏକ ଅନିର୍ବାଣ ଅଗ୍ନିଶିଖା । ସେ ଏକ ଅନ୍ତହୀନ ପ୍ରେରଣାର ପ୍ରକାଣ୍ଡ ବର୍ତିକା ! ମହାର୍ଘ ମୁକ୍ତିର ମୁଖବନ୍ଧ… ପ୍ରସ୍ତାବିତ ପ୍ରଭାତୀ ସୂର୍ଯ୍ୟର ଶାଣିତ ଭୂମିକା !

ସେ ଏକ ଉତପ୍ତ ଅସମାପିକା !

ନେତାଜୀଙ୍କ ନାମ ଧ୍ୱନିତ ହେଉ ଭାରତବର୍ଷର ପ୍ରତି ବସ୍ତି, ପ୍ରତି ସହରରେ… ଘରେ ଘରେ । ତାଙ୍କ ସଂଗ୍ରାମୀ ଜୀବନର ସ୍ମୃତି ସୁରଭି ସଂଚାର କରୁ ପ୍ରତିଟି ତରୁଣ ପ୍ରାଣରେ । ଇତିହାସଠାରୁ ଉତର ଦାବୀ କରୁ ଉତରଦାୟାଦ : ଭାରତବର୍ଷରେ ଆଜି କାହିଁକି ଏ ଅବକ୍ଷୟ ?

ମହାନାୟକ ନେତାଜୀ ସୁଭାଷଙ୍କ ସମ୍ମାନିତ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତପ୍ରଣାମ…

ଭୟଙ୍କର ବର୍ଷା । ଏପାଖେ ତିନି ହଜାର, ସେପାଖେ ପଚାଶ ହଜାର ସୈନ୍ୟ । ସେଇ ପଲାସୀ ପ୍ରାନ୍ତରେ – ଗୋଟିଏ ପଟେ କ୍ଲାଇବର ଖଞ୍ଜର, ଆରପଟେ ନବାବଙ୍କ ଗୋଳାଗୁଳି ବାରୁଦ ।

ବିପୁଳ ସଂଖ୍ୟକ ନବାବୀ ବାହିନୀ ମଧ୍ୟରେ ଦୂରଦର୍ଶିତା ଓ ବିଚକ୍ଷଣତାର ଘୋର ଅଭାବ । ବ୍ରିଟିଶ୍ ବାହିନୀ ମୁଷ୍ଟିମେୟ ହେଲେ ହେଁ ହୁସିଆର – ଅଳ୍ପ ସୈନ୍ୟ ଓ ଗୋଳାବାରୁଦକୁ ତାରପୋଲିନ୍ ଦେଇ ସୁରକ୍ଷା ଦେଲେ – ମାତ୍ର ନବାବ୍‌ଙ୍କ ବିଶାଳବାହିନୀର ଅବହେଳା ଯୋଗୁଁ ସେମାନଙ୍କ ସ୍ତୂପୀକୃତ ଗୋଳାବାରୁଦ ସବୁ ବର୍ଷାରେ ଭିଜିଗଲା ।

ଠିକଣା ସମୟରେ ଗର୍ଜିଉଠିଲା କ୍ଲାଇବଙ୍କ କମାଣ । ପଛଘୁଂଚା ଦେଲେ ନବାବ ସିରାଜଉଦୌଲାଙ୍କ କ୍ଷତବିକ୍ଷତ ସୈନ୍ୟବାହିନୀ । ସେଦିନ ପଲାସୀର ଆକାଶରେ ଖଣ୍ଡେ ଧୂଆଁର ବାଦଲ – ଇତିହାସର ଅକ୍ଷୟ ଅଧ୍ୟାୟରେ ହଠାତ୍ ମେଂଚାଏ ଘନ କୁହୁଡିର ଦିନ –

କିନ୍ତୁ… ଇତିହାସର ବିଡମ୍ବନା – ଏକ ସାଂଘାତିକ ଦୁର୍ଘଟଣା । ଚରମ ବିଶ୍ୱାସଘାତକାର ଅଧ୍ୟାୟ ଆରମ୍ଭ… ବଙ୍ଗ ନବାବଙ୍କ ଜେନେରାଲ୍ ମିରଜାଫର, ଧନପତି ଜଗତ୍‌ସେଠ୍‌, ଉମିଚାନ୍ଦଙ୍କ ସହଯୋଗରେ କ୍ଷମତା ଦଖଲ ପାଇଁ ବିଶ୍ୱାସଘାତକ, ପ୍ରତାରଣାପୂର୍ଣ୍ଣ ଷଡଯନ୍ତ୍ର କଲେ । ରକ୍ତପିପାସୁ ଲୁଣ୍ଠନକାରୀ ବ୍ରିଟିଶ୍ ଶକ୍ତି ଏହାର ସୁଯୋଗ ନେଇ ଦେଶଦ୍ରୋହୀ, ମାନବଦ୍ରୋହୀ, କଳଙ୍କିତ ମିରଜାଫର ସାହାଯ୍ୟରେ ଭାରତବର୍ଷକୁ ପରାଧୀନତାର ନାଗଫାଶରେ ବନ୍ଧନ କରି ବ୍ରିଟିଶ୍ ସାମ୍ରାଜ୍ୟବାଦର ମୁଳଦୂଆ ପକାଇଲେ ।

ସେମାନେ ପଶୁପଶୁ ପଶି ଗଲେ ଯେ – ଦୁଇଶହ ବର୍ଷ ଭାରତକୁ ପରାଧୀନକରି ରଖିଲେ – ଭାରତବାସୀ ଗୋଲାମ ହୋଇଗଲେ ।

୨୦୦ ବର୍ଷର ଅନ୍ଧକାର ଭିତରେ ଗୋଟିଏ ପ୍ରଭାତୀ ସୂର୍ଯ୍ୟ – ଶାଣିତ ସୂର୍ଯ୍ୟ – ତରଙ୍ଗିତ ତାରୁଣ୍ୟର ତୀର୍ଥପଥିକ – ଅନବଦ୍ୟ ଆବେଗର ଆଗ୍ନେୟଗିରି ବୈପ୍ଲବିକ ବୀରତ୍ୱର ମହାନ୍ ମଶାଲ୍ ମୁକ୍ତିପଥର ଅଗ୍ରଦୂତ – କୋଟି ପ୍ରାଣର ପ୍ରେରଣାଦାତା – ଅସମ୍ଭବର ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆବିର୍ଭାବ ।

ନେତାଜୀ ସୁଭାଷ !

ଇତିହାସର ଲୋହିତ ଚକ୍ରବାଳରେ ସେ ଏକ ଶୁଭ୍ରତାରକା । ଅନମନୀୟ ଏହି ସ୍ପର୍ଦ୍ଧିତ ମହାନାୟକଙ୍କ ଆପୋଷହୀନ ସଂଗ୍ରାମରେ ଥରହର ହୋଇଛି ବ୍ରିଟିଶ୍ ସାମ୍ରାଜ୍ୟବାଦ । ଭାରତୀୟ ମହାଜାତିର ମହାନାୟକ ଏହି ମହାନ୍‌ପୁରୁଷ ସମଗ୍ର ବିଶ୍ୱରେ ଏକ ବରଣୀୟ ବୈପ୍ଳବିକ ବ୍ୟକ୍ତିତ୍ୱ – ଯାହାଙ୍କ ବଜ୍ର-ଗମ୍ଭୀର-ଗଭୀର-କଠିନ କଠୋର ମନ୍ତ୍ରମୁଗ୍ଧ କଣ୍ଠସ୍ୱର ଗୁଞ୍ଜନ ତୋଳିଥିଲା : “ମତେ ରକ୍ତ ଦିଅ, ମୁଁ ତମକୁ ଦେବି ସ୍ୱାଧୀନତା ।”

ଗୋଲାମୀର ଜଞ୍ଜିର ପିନ୍ଧିଥିବା ପରାଧୀନ ଭାରତବର୍ଷରେ ରକ୍ତାକ୍ତ ସଂଘର୍ଷ ପାଇଁ ଏ ଆହ୍ୱାନ ସେଦିନ ସୃଷ୍ଟି କରିଥିଲା ଧୂମାଳ ଦିଗନ୍ତର ରକ୍ତାକ୍ତ ପୃଷ୍ଠଭୂମିରେ ଏକ ଦୁର୍ଦ୍ଦାନ୍ତ ଘୂର୍ଣ୍ଣିବାତ୍ୟା । ଦୋହଲିବାକୁ ଆରମ୍ଭ କଲା ବ୍ରିଟିଶ୍ ସାମ୍ରାଜ୍ୟବାଦର ଚିତ୍ରିତ ଚୌହଦୀ – ସୃଷ୍ଟି କଲା ଆଗ୍ନେୟ ସଂତ୍ରାସ – ବୈଶାଖୀର ବିକ୍ଷୁବ୍ଧ ଝଡରେ କାଢି ନେଇଗଲା ଶୋଷକ ଶାସକ ବ୍ରିଟେନ୍ ଆଖିରୁ ସୁଖନିଦ୍ରା ।

ବୈପ୍ଲବିକ ପରମ୍ପରାର ଏକ ଶାଣିତ ଉତରାଧିକାରୀ, ବେସାଲିମ୍‌, ଚିର ବହ୍ନିମାନ – ପ୍ରେରଣାର ଅନିର୍ବାଣ ଶିଖା – କଂଟକିତ ପଥର କ୍ରାନ୍ତିଦୂତଙ୍କ ଉଦାର ଆହ୍ୱାନରେ ହଜାର ହଜାର ଯୁବଛାତ୍ର, ମୁକ୍ତିପ୍ରେମୀ ମଣିଷ ଝାସ ଦେଇଥିଲେ ସ୍ୱାଧୀନତା ଯୁଦ୍ଧର ଯଜ୍ଞବେଦୀରେ – ମରଣପଣ ସଂଗ୍ରାମ ପଥରେ ଜୀବନପଣ କରି- ସେମାନଙ୍କର ସ୍ୱପ୍ନ ଥିଲା ଦେଶ ସ୍ୱାଧୀନ ହେବ – ଜନ୍ମଗତ ଅଧିକାର – ବଂଚିବାର ଅଧିକାର ସାବ୍ୟସ୍ତ ହେବ ।

ଆଜି ଆମେ ସ୍ୱାଧୀନତା ପାଇଛେ ସତ ! କିନ୍ତୁ ରକ୍ତାକ୍ତ ବିପ୍ଳବ ପଥରେ ନୁହେଁ – ଆପୋଷ ବୁଝାମଣା ଜରିଆରେ । ଯାହା ଫଳରେ ବିପ୍ଳବର ବୁନିଆଦି, ସଂଗ୍ରାମର ପରିବେଶକୁ ବଦଳାଇ ଦିଆଯାଇଛି । ସ୍ୱାଧୀନତାର ୭୪ ବର୍ଷରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମ ଶତବାର୍ଷିକୀ ପୂର୍ତି ଉତ୍ସବ ପାଳନ ହେଉଛି । ଏହି ଅବସରରେ ସେଇ କିମ୍ବଦନ୍ତୀ ପୁରୁଷଙ୍କ ବାସ୍ତବ ମୂଲ୍ୟାୟନ ଏକାନ୍ତ ଆବଶ୍ୟକ । କେବଳ ଭୋଟ୍ ରାଜନୀତି ପାଇଁ କିଏ ପରାକ୍ରମ ଦିବସ କି ଦେଶପ୍ରେମ ଦିବସ ପାଳନ କଲେ ନେତାଜୀଙ୍କ ପ୍ରତି ଆନ୍ତରିକ ସମ୍ମାନ ବଢିବ କି ?
ବ୍ରିଟିଶ୍ ସାମ୍ରାଜ୍ୟବାଦ ବିରୋଧୀ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସହସ୍ର ସହସ୍ର ରଥୀ ମହାରଥୀ ଯୋଗ ଦେଇଥିଲେ । ଇତିହାସ କାହାକୁ କେଉଁ ସମ୍ମାନର ଅଧିକାର ଦେଇଛି – ତାହା ସମୟ କହିବ । ରକ୍ତର ସମୁଦ୍ର ମଧ୍ୟରେ ସତ୍ୟକୁ ଯେପରି ହତ୍ୟା କରାଯାଇପାରେନା – ସ୍ୱାଧୀନତାର ମହାସଂଗ୍ରାମରେ ଯିଏ ଇତିହାସର ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ ସେହି ଚିର ବିଦ୍ରୋହୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବୈଚିତ୍ର‌୍ୟମୟ ସଂଗ୍ରାମୀ ଜୀବନର ଐତିହ୍ୟକୁ କେହି କେବେ ଅସ୍ୱୀକାର କରିବାର ପ୍ରଶ୍ନ ଉଠୁନାହିଁ । ସ୍ୱାଧୀନତା ଆନ୍ଦୋଳନରେ ବହୁ ବାପୁଜୀ, ଚାଚାଜୀ, ଦାଦାଜୀ, ଭାଇଜୀ, ବହେନଜୀ ସୃଷ୍ଟି ହୋଇଛନ୍ତି; ହେଲେ ଜଣେ ମାତ୍ର ନେତାଜୀ ସୃଷ୍ଟି ହୋଇଥିଲେ । ତାଙ୍କୁ କେହି ନେତା କରି ନାହିଁ କି ସେ ନିଜକୁ ନେତା ବୋଲି କେଉଁଠି କହିନାହାନ୍ତି । ତାଙ୍କର ଆପୋଷହୀନ ସଂଗ୍ରାମ ପାଇଁ ହିଁ କୋଟି କୋଟି ମଣିଷ ଓ ତାଙ୍କ ହାତରେ ଗଢା ଆଜାଦହିନ୍ଦ୍ ଫୌଜୀମାନେ ତାଙ୍କୁ ସ୍ୱତଃସ୍ଫୂର୍ତ ଭାବେ ‘ନେତାଜୀ’ ସମ୍ବୋଧନ କରୁଥିଲେ ।

ନେତାଜୀ ସୁଭାଷ – ଉଚ୍ଚାରଣ ମାତ୍ରେ ହିଁ ମନରେ ଶିହରଣ ଆସେ । ସେହି ପ୍ରବାଦ ପୁରୁଷ ମହାମାନବ ନେତାଜୀଙ୍କ ସ୍ମୃତି ବର୍ତମାନ ଓ ଭବିଷ୍ୟତ ପାଇଁ ଭାରତବାସୀଙ୍କ ପାଖରେ ପାଥେୟ ଓ ଅଙ୍ଗୀକାର ହୋଇ ରହିଛି, ରହିବ ନିଶ୍ଚୟ ।

ଉତ୍ସାହ ଓ ଆବେଗର ଆଗ୍ନେୟଗିରି ମହାନାୟକ ନେତାଜୀଙ୍କ ଅମରଗାଥା ଆଜି ମଧ୍ୟ କୋଟି କୋଟି ଯୁବପ୍ରାଣକୁ ଉଦ୍‌ବେଳିତ କରୁଛି ।

“ଯେତେଦିନ ପର୍ଯ୍ୟନ୍ତ ଦେଶର କୋଟି କୋଟି ମଣିଷ ଅନାହାର ଓ ଅଶିକ୍ଷାର ଅନ୍ଧକାରରେ ନିମଜ୍ଜିତ ଥିବେ, ସେତେଦିନ ପର୍ଯ୍ୟନ୍ତ ତାଙ୍କ ଆଖିର ଲୋତକ ଏବଂ ରକ୍ତ ବିନିମୟରେ ଯେଉଁମାନେ ଉଚ୍ଚଶିକ୍ଷା ଅର୍ଜନ କଲେ ସେମାନେ ଯଦି ଦରିଦ୍ର ନିପୀଡିତ ମଣିଷ ପ୍ରତି ଦାୟିତ୍ୱର କଥା ଭାବିବା ପାଇଁ ମୁହୂର୍ତେ ସମୟ ନ ପାଆନ୍ତି – ସେମାନେ ବିଶ୍ୱାସଘାତକ – ସେମାନେ ଦେଶଦ୍ରୋହୀ ।”

ବିବେକାନନ୍ଦଙ୍କ ଏହି କଥାଗୁଡିକ ସୁଭାଷ ବୋଷଙ୍କୁ ବାରମ୍ବାର ପିଲାବେଳୁ ଆନ୍ଦୋଳିତ କରିଛି । କୋଟି କୋଟି ପରାଧୀନ ଭାରତବାସୀଙ୍କୁ ଦାସତ୍ୱର ଶୃଙ୍ଖଳରୁ ମୁକ୍ତ କରିବାକୁ ପ୍ରେରଣା ଯୋଗାଇଛି । ବ୍ୟକ୍ତିଗତ ପରିବାର, ବାପ ମା’ଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ନ ଦେଇ ଅନ୍ୟାୟ ବିରୋଧରେ ସଂଗ୍ରାମ, ଦାସତ୍ୱ ଓ ପରାଧୀନତାର ବିରୋଧରେ ମୁକ୍ତି ସଂଗ୍ରାମ ସତ୍ୟ ଓ ନ୍ୟାୟପଥକୁ ବାଛି ନେଇଥିବାରୁ ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନରେ ନେତାଜୀ ସୁଭାଷ ଚନ୍ଦ୍ର ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।

ନେତାଜୀ ଆଇ.ସି.ଏସ୍‌. ପରୀକ୍ଷାରେ ଉତୀର୍ଣ୍ଣ ହେବା ପରେ କେତେକ ତାଙ୍କୁ ଚାକିରି କରିବାକୁ ପରାମର୍ଶ ଦେଇଥିଲେ । ସେଦିନ ସୁଭାଷ ବୋଷ କହିଥିଲେ – ସୂର୍ଯ୍ୟ ଯଦି ଉଦୟ ହୁଏ ଆଲୋକ ଦେବାପାଇଁ, ନଈ ଯଦି ବୋହିଯାଏ ଜଳ ଦେବାପାଇଁ, ଫୁଲ ଯଦି ଫୁଟୁଥାଏ ସୁଗନ୍ଧ ଦେବାପାଇଁ – ତା’ହେଲେ ମୋର ଜନ୍ମ ହୋଇଛି ମଣିଷ ସମାଜର ମୁକ୍ତିସଂଗ୍ରାମରେ ଯୋଗ ଦେବାପାଇଁ । ଏହି କଠୋର କଠିନ ବଜ୍ରଗମ୍ଭୀର କଣ୍ଠସ୍ୱର ସେଦିନ ସମସ୍ତଙ୍କୁ ସ୍ତମ୍ଭୀକୃତ କରିଦେଇଥିଲା । ଦେଶ ଓ ସମାଜ ମୁକ୍ତିର ସଂଗ୍ରାମରେ ଯେଉଁମାନେ ଆତ୍ମନିୟୋଗ କରିବେ, ସେମାନଙ୍କୁ ଦେଶର ଲୋକ ସମର୍ଥନ କରିବେ ନାହିଁ – ଏପରିସ୍ଥଳେ ସେ କାପୁରୁଷ ଭଳି ପଳାଇଯିବ ନାହିଁ – ସତ୍ୟ ପାଇଁ, ନ୍ୟାୟ ପାଇଁ ଏକା ଏକା ଲଢିବାକୁ ହେବ । ଯେଉଁମାନେ ସମାଜକୁ ବଦଳାଇବେ, ଅନ୍ୟାୟ ବିରୁଦ୍ଧରେ ଲଢିବେ, ଇତିହାସ ସୃଷ୍ଟି କରିବେ – ସେମାନେ କେବଳ ଶୋଷକ ଶ୍ରେଣୀର ଅତ୍ୟାଚାର ଦମନ ସହ୍ୟ କରନ୍ତି ନାହିଁ, ବିଭ୍ରାନ୍ତ – କୁସଂସ୍କାରାଚ୍ଛନ୍ନ ଜନସାଧାରଣଙ୍କ ନିନ୍ଦା ଅପମାନ ମଧ୍ୟ ସହ୍ୟ କରନ୍ତି । ନେତାଜୀ କହୁଥିଲେ – ଇଚ୍ଛିହାସ ସୃଷ୍ଟି କରିବାକୁ ହେଲେ ଆମକୁ ବହୁ ବିରୋଧ ଓ ଅତ୍ୟାଚାର ସହ୍ୟ କରିବାକୁ ପ୍ରସ୍ତୁତ ରହିବାକୁ ହେବ । ବିପ୍ଲବୀ ଜୀବନରେ ବିପଦ ଅଛି ବୋଲି ଜୀବନର ମୂଲ୍ୟ ଅଛି – ତ୍ୟାଗ, ଶୋକ, ଅତ୍ୟାଚାର ନ ଥିଲେ ଜୀବନର ସୌନ୍ଦର୍ଯ୍ୟ କି ବୈଚିତ୍ର‌୍ୟ ରହିବ ନାହିଁ । ଆଦର୍ଶ ପାଇଁ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇପାରେ, କିନ୍ତୁ ତା’ର ମୃତ୍ୟୁ ପରେ ସେ ଆଦର୍ଶ କୋଟି କୋଟି ଜନଜୀବନରେ ପ୍ରତିଫଳିତ ହେବ । ଆଜି ସତ କଥା କହିବା ପାଇଁ – ଲେଖିବା ପାଇଁ – ପ୍ରଚାର କରିବା ପାଇଁ କୁଣ୍ଠା କାହିଁକି?

ଶହେବର୍ଷ ତଳେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଓଡିଶାର କଟକ ଓଡିଆ ବଜାରରେ ଜନ୍ମ ନେଇଥିଲା ସେଇ ନୂତନ ସୂର୍ଯ୍ୟ । ଓଡିଶାର ପାଣି, ପବନରେ ବଢି ସେ ଯେ ମହାପୁରୁଷ ହୋଇପାରିଛି, ଏ କଥା ଭାବିଲା ବେଳକୁ ଗର୍ବ ଗୌରବରେ ମନ ପୁଲକିତ ହୋଇଯାଉଛି ।

ନେତାଜୀ କହୁଥିଲେ – “ତୁମେମାନେ ହୁଏତ ମନେକର ଯେ, ମହାପୁରୁଷମାନେ ବଡ ହୋଇ ଜନ୍ମିଥାଆନ୍ତି । କିନ୍ତୁ ଏ ଧାରଣା ସଂପୂର୍ଣ୍ଣ ଭ୍ରାନ୍ତ… ଯେତେ ମହାପୁରୁଷ ପୃଥିବୀରେ ଆଜିଯାଏ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କର ଜୀବନୀ ଯଦି ବିଶ୍ଳେଷଣ କରିବ ତେବେ ଦେଖିବ ଯେ ପ୍ରତ୍ୟେକଙ୍କ ଜୀବନରେ ରହିଛି ଅସୀମ ଅଧ୍ୟବସାୟ, ଅକ୍ଲାନ୍ତ ଚେଷ୍ଟା, ଏକନିଷ୍ଠ ସାଧନା, ଅବିରାମ ପରିଶ୍ରମ । ତୁମେମାନେ ଯଦି ସେମିତି ଭାବେ ଚେଷ୍ଟା ଓ ସାଧନା କରିପାର, ତେବେ ତୁମେମାନେ ମଧ୍ୟ ଦିନେ ମହାପୁରୁଷର ଆସନରେ ବସିପାରିବ ।”

ଦୁନିଆରେ ଯେଉଁମାନେ ଆଜି ବଡ ହୋଇଛନ୍ତି – ସେମାନେ ଜୀବନରେ ମହାନ ଆଦର୍ଶ ପ୍ରତି ଅନୁରକ୍ତ ରହି ଅହରହ ସଂଗ୍ରାମ କରିଯାଇଛନ୍ତି । ମହାନ ଆଦର୍ଶକୁ ଯିଏ ଭଲପାଏ, ସେ ହିଁ ମହାନ ହୋଇଥାଏ । ମହାନ ବିପ୍ଲବୀ ଓ ମାନବବାଦୀ ନେତାମାନଙ୍କ ଆଦର୍ଶ ଓ ଜୀବନର ମୂଲ୍ୟବୋଧରୁ ନେତାଜୀ ବହୁ ଶିକ୍ଷା ନେଇ ନିଜ ଜୀବନାଧର୍ଶକୁ ପରିପୁଷ୍ଟ କରିଛନ୍ତି । ଛାତ୍ର ବେଳେ ପ୍ରଧାନଶିକ୍ଷକ ବେଣୀମାଧବ ଦାସଙ୍କ ଠାରୁ ଆରମ୍ଭ କରି ବିବେକାନନ୍ଦ, ଦେଶବନ୍ଧୁ ଚିତରଞ୍ଜନ ଦାସ, ଖୁଦିରାମ, ଭଗତ ସିଂ ପର୍ଯ୍ୟନ୍ତ ଏବଂ ମହାନ ମାର୍କ୍ସ, ଲେନିନ୍‌, ଷ୍ଟାଲିନ୍‌ଙ୍କ ସଂଗ୍ରାମମୟ ଜୀବନାଦର୍ଶନରେ ପ୍ରଭାବିତ ହୋଇ ବିଶ୍ୱ ବିପ୍ଲବର ନାୟକମାନଙ୍କଠାରୁ ଶିକ୍ଷାନେଇ ସ୍ୱଦେଶ ମୁକ୍ତି ଆନ୍ଦୋଳନରେ ଝାସ ଦେଇଛନ୍ତି । ଜୀବନର ସର୍ବସ୍ୱ ଦେଇଯାଇଛନ୍ତି – ଆଜି ସେ ଆଉ କିଛି ଦେବାକୁ ଆମ ପାଖରେ ନାହାନ୍ତି । ତାଙ୍କ ଆଦର୍ଶରୁ ଆମ୍ଭମାନଙ୍କୁ ଶିକ୍ଷା ନେବାକୁ ହେବ – ଦେଶକୁ ସାମ୍ରାଜ୍ୟବାଦୀ-ପୁଂଜିବାଦୀ ଶୋଷକ ଶାସକର ନାଗଫାଶ ବନ୍ଧନରୁ ମୁକ୍ତ ହେବାପାଇଁ ମୁକ୍ତିଯୁଦ୍ଧ ଆରମ୍ଭ କରିବାକୁ ହେବ । ଏଥିପାଇଁ ସଠିକ୍ ନେତୃତ୍ୱ, ସଠିକ୍ ରାସ୍ତା, ସଠିକ୍ ମତାଦର୍ଶ ଓ ଉନ୍ନତ ନୈତିକ ଚରିତ୍ର ଏକାନ୍ତ ଆବଶ୍ୟକ ହୋଇପଡିଛି ।

ନେତାଜୀ ଯୁବ ଛାତ୍ରମାନଙ୍କୁ ଆହ୍ୱାନ ଦେଇ କହିଥିଲେ –“ଯେଉଁମାନେ ସମାଜ ବଦଳାଇବେ, ଅନ୍ୟାୟ ବିରୁଦ୍ଧରେ ଲଢିବେ, ଇତିହାସ ସୃଷ୍ଟି କରିବେ, ସେମାନେ କେବଳ ଶୋଷକ ଶ୍ରେଣୀର ଅତ୍ୟାଚାର ଦମନ ସହ୍ୟ କରିବେ ନାହିଁ, ବିଭ୍ରାନ୍ତ, କୁସଂସ୍କାରଚ୍ଛନ୍ନ ଜନସାଧାରଣଙ୍କ ନିନ୍ଦା ଅପମାନ ମଧ୍ୟ ସେମାନଙ୍କୁ ସହ୍ୟ କରିବାକୁ ହେବ । ଇତିହାସ ସୃଷ୍ଟି କରିବାକୁ ହେଲେ ଆମକୁ ବିରୋଧ ଓ ଅତ୍ୟାଚାର ସହ୍ୟ କରିବା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ଏପରିକି ନିଃସ୍ୱାର୍ଥ କାର୍ଯ୍ୟପାଇଁ ଅତି ନିକଟତମ ବନ୍ଧୁମାନେ ଈର୍ଷା ଓ ଶତ୍ରୁତା କରିବେ – ଏଥିରେ ଆଶ୍ଚର୍ଯ୍ୟ ହେଲେ ଚଳିବ ନାହିଁ ।”

ଆଦର୍ଶ, ନୀତି ପାଇଁ ଜୀବନ ଦାନ ହିଁ ଏକମାତ୍ର ଗୌରବ । ନେତାଜୀ ସେହି ଗୌରବର ଅଧିକାରୀ ହୋଇ କହିଥିଲେ –“ଆଦର୍ଶ ପାଇଁ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇପାରେ – କିନ୍ତୁ ତା’ର ମୃତ୍ୟୁ ପରେ ସେଇ ଆଦର୍ଶ ବଂଚି ରହିବ ଏବଂ ସହସ୍ର ଜୀବନରେ ତାହା ପ୍ରସ୍ଫୁଟିତ ହେବ ।”

ଆଜି ନେତାଜୀଙ୍କର ସେହି ଉଜ୍ଜ୍ୱଳ ଆଦର୍ଶର କ୍ରାନ୍ତିକାରୀ ତତ୍ୱକୁ ନିଜ ଜୀବନରେ ପ୍ରୟୋଗ କରିବା ଏକାନ୍ତ କାମ୍ୟ ।

ଇତିହାସର ଚରମ ବିଡମ୍ବନା ! ସ୍ୱାଧୀନତା ଆନ୍ଦୋଳନର ଚାବିକାଠି ଦେଶର ପୁଞ୍ଜିପତି ଟାଟା-ବିରଳା ପ୍ରମୁଖଙ୍କ ହାତରେ ରହିଲା । ସାମ୍ରାଜ୍ୟବାଦୀ ବ୍ରିଟିଶ୍ ଖୁସି ହେଲା । ବିରଳା ଘରେ ଗାନ୍ଧିଜୀ ରହି ସ୍ୱାଧୀନତା ଆନ୍ଦୋଳନ ପରିଚାଳନା କଲେ । ସେତେବେଳେ ଓଡିଶାରୁ ଉତ୍କଳମଣୀ ଗୋପବନ୍ଧୁ ଦାଶ, ବଙ୍ଗଳାରୁ ଦେଶବନ୍ଧୁ ଚିତରଞ୍ଜନ ଦାସ, ପଞ୍ଜାବ କେଶରୀ ଲାଲା ଲାଜପତରାୟ ପ୍ରସ୍ତାବ ଦେଲେ – ସ୍ୱାଧୀନତା ଆନ୍ଦୋଳନକୁ ପରିଚାଳନା କରିବା ପାଇଁ ଭାରତର ଘରୁ ଘରୁ ଟଙ୍କାଏ ଲେଖା ଚାନ୍ଦା ଆଦାୟ ହେଉ । ଉଦ୍ଦେଶ୍ୟ ଯେଉଁମାନେ ସ୍ୱାଧୀନତାର ସ୍ୱାଦୁ ଚାଖିବେ ସେମାନଙ୍କର ସାହାଯ୍ୟ ସହଯୋଗ ଆବଶ୍ୟକ । କିନ୍ତୁ ଗାନ୍ଧୀଙ୍କ ଅନୁଗତମାନେ ପ୍ରତ୍ୟକ୍ଷ ଭାବେ ପ୍ରସ୍ତାବକୁ ବିରୋଧ କଲେ । ଟାଟା-ବିରଳାଙ୍କ ଟଙ୍କାରେ କଂଗ୍ରେସ ନେତୃତ୍ୱ ସଂଗଠନ ଆନ୍ଦୋଳନ ଚାଲିଲା । ଆଜି ସ୍ୱାଧୀନତାର ସ୍ୱାଦୁ ସେହି ପୁଞ୍ଜିପତିମାନେ ଚାଖୁଛନ୍ତି – ଭାରତର କୋଟି କୋଟି ଲୋକ ବେକାରୀ – ଅର୍ଦ୍ଧାହାର – ଅନାହାରରେ ସଢୁଛନ୍ତି ।

ନେତାଜୀଙ୍କ ଆଜାଦ୍ ହିନ୍ଦ୍ ଫୌଜର ସଶସ୍ତ୍ର ସଂଗ୍ରାମରେ ହଜାର ହଜାର ଯୁବକ ଯୁବତୀ ଯୋଗଦେି ଦେଶମୁକ୍ତି ଯୁଦ୍ଧ ଚଳାଇଲେ । ଆଘାତପ୍ରାପ୍ତ ନରମପନ୍ଥୀ ୧୯୪୨ରେ ବାଧ୍ୟ ହେଲେ ‘ଭାରତଛାଡ’ ଆନ୍ଦୋଳନର ଡାକରା ଦେବାପାଇଁ । ଅହିଂସା ମନ୍ତ୍ରରେ ଦୀକ୍ଷିତ ଭାରତବାସୀ ହିଂସାପଥରେ ପାଦ ଦେଲେ । ହେଲେ ସଂଗ୍ରାମର ନେତୃତ୍ୱ ବିଭ୍ରାନ୍ତି ପଥରେ ଚାଲିଲା । ବ୍ରିଟିଶ୍ ଗୁଳିରେ ଶହଶହ ସ୍ୱାଧୀନତା ସଂଗ୍ରାମୀ ଶହୀଦ୍ ହେଲେ ।

ବ୍ରିଟେନ୍‌ର ସୂର୍ଯ୍ୟ ଅସ୍ତଗାମୀ । ଦେଶେ ଦେଶେ ସ୍ୱାଧୀନତା ଆନ୍ଦୋଳନ, ମୁକ୍ତିଯୁଦ୍ଧ । ସୋଭିଏତ୍ ୟୁନିୟନ ରୁଷରେ ସମାଜତନ୍ତ୍ର, ଚୀନ୍ କମ୍ୟୁନିଷ୍ଟ୍ ଦଳ ମାଓ ସେ ତୁଙ୍ଗଙ୍କ ନେତୃତ୍ୱରେ ସଶସ୍ତ୍ର ବିପ୍ଲବ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍‌ବୁଦ୍ଧ କରୁଛି । ମହାନ ଷ୍ଟାଲିନଙ୍କ ଚାପ ଭାରତରେ ସୁଭାଷ ପନ୍ଥୀ ଓ ଅନ୍ୟାନ୍ୟ ଅନୁଶୀଳନ ଗୋଷ୍ଠୀ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ହିଂସାମୁଖୀ ଆନ୍ଦୋଳନ ଚାପରେ ବ୍ରିଟିଶ୍ ବାଧ୍ୟ ହୋଇ ଆପୋଷ ଆଲୋଚନା କରି ଗାନ୍ଧିଜୀଙ୍କ ହସ୍ତରେ ଭାରତର ସ୍ୱାଧୀନତା ହସ୍ତାନ୍ତର କଲେ ।

ସେଦିନ ସଦ୍ୟ ସ୍ୱାଧୀନତାର ଉତାଳ ଉଚ୍ଛ୍ୱାସରେ ସମସ୍ତେ ବିଭୋର । କିନ୍ତୁ ଜଣଙ୍କ ଅନୁପସ୍ଥିତି ସମଗ୍ର ଭାରତବାସୀ ଉଦ୍‌ବେଗର ସହ ଅନୁଭବ କଲେ । ସୁଭାଷ ଫେରିବେ – ଭାରତବାସୀଙ୍କ ମନରେ ହୃଦୟର ନେତାଙ୍କୁ ଅଭ୍ୟର୍ଥନା କରିବା ପାଇଁ ପ୍ରଚଣ୍ଡ ବ୍ୟାକୁଳତା ଦେଖାଗଲା ।

କିନ୍ତୁ ନେହେରୁ ଗର୍ଜ୍ଜିଉଠି କହିଲେ – “ସୁଭାଷ ବୋଷ ଦେଶକୁ ଫେରିଆସିଲେ ମୁଁ ତାକୁ ଖଣ୍ଡାରେ ସ୍ୱାଗତ କରିବି ।”

ଆଜି ନେତାଜୀ ଫେରିନାହାନ୍ତି – ନେହେରୁ ବି ନାହାନ୍ତି – ଖଣ୍ଡା ସବୁ କଳଙ୍କି ଧରିଯାଇଛି ।

ସ୍ୱାଧୀନତାକୁ ଆମେ ସାଉଁଟି ଆଣିଲୁ ଶ୍ମଶାନ କ୍ଷେତ୍ରରୁ ! ନୂଆଖାଲିରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇ ଲାଶ୍‌ର ପାହାଡ ସୃଷ୍ଟି ହେଲା । ଇଂରେଜଙ୍କ ଭେଦ ଓ ଶାସନ ନୀତିର ଅନୁପ୍ରାଣିତ ହୋଇ ଅଖଣ୍ଡ ଭାରତ ଦ୍ୱିଖଣ୍ଡ ହୋଇ ଭାରତ ପାକିସ୍ତାନ ସୃଷ୍ଟି ହେଲା । ଗାନ୍ଧିଜୀ ରୋଦନ କଲେ – କହିଲେ – ଆଜି ଯଦି ମୋ ‘ପାଗଳା ପୁଅ’ ଥାଆନ୍ତା – ଦେଶ ବିଭାଜନ କରିବାକୁ ଦେଇ ନଥାନ୍ତା । ଏଇ ପଦେ ରୋଦନ ପାଇଁ ଗାନ୍ଧିଜୀ ନେତାଜୀଙ୍କୁ ମହାନ୍ କରିଦେଲେ । ହେଲେ ମହାତ୍ମା ଗାନ୍ଧୀ ଯେତେବେଳେ ବୁଝିପାରିଲେ ସ୍ୱାଧୀନତା ପୁଞ୍ଜିପତିଙ୍କ କବଳରେ ବନ୍ଧା ପଡିଯାଇଛି – ସେତେବେଳକୁ ନେଡିଗୁଡ କହୁଣୀକୁ ବୋହିଯାଇଛି । ଗାନ୍ଧୀଙ୍କୁ ଏ ଜାତି ହତ୍ୟାକରି ତାଙ୍କ ଫଟୋ ଟାଙ୍ଗି ରାଜନୈତିକ ବ୍ୟଭିଚାର ପ୍ରବଂଛନା – ପ୍ରତାରଣା – ଅର୍ଥନୈତିକ ଅଧୋଗତି – ସାଂସ୍କୃତିକ ଅବକ୍ଷୟ – ସାମାଜିକ ଅବିଚାରର ନାଟକ ଚାଲିଛି ।

ଏହି ନାଟକରେ ଆମେ ଦେଖୁଛେ – ଗୋଟିଏ ପଟେ ଧନର ପ୍ରାଚୁର୍ଯ୍ୟ – ହିମାଳୟ ପର୍ବତର ଏଭରେଷ୍ଟ ଶୃଙ୍ଗ ଛୁଇଁଲାଣି । ଦେଶସାରା ବିଭେଦ – ବିବାଦ – ସାଂପ୍ରଦାୟିକ ଦଙ୍ଗା, ଭ୍ରାତୃଘାତୀ ସଂଘର୍ଷର ତାଣ୍ଡବ ଲୀଳା – ଜାତି, ଧର୍ମ, ଭାଷା, ଅଂଚଳକୁ ନେଇ ମଣିଷ ମଣିଷ ମଧ୍ୟରେ ପ୍ରକାଣ୍ଡ ପାଚେରୀ । ଭୋଗୀ ସଂସ୍କୃତି, ସାଂସ୍କୃତିକ ଅବକ୍ଷୟ ଅନ୍ୟପଟେ ହା-ଅନ୍ନର ବିକଟାଳ ଚିତ୍କାର – ଅସହାୟ ଆର୍ତନାଦ ।

ଏ ନାଟକ ବନ୍ଦ ନ ହେଲେ ଆମେ ସବୁ ଧ୍ୱଂସ ଆଡକୁ ମୁହାଁଇବା । ପଚାଶବର୍ଷ ଭିତରେ ଆମର ଏ ସମାଜ ବ୍ୟବସ୍ଥା – ଏ ଶାସନତନ୍ତ୍ର ପୂତିଗନ୍ଧମୟ – କର୍ଦ୍ଦମାକ୍ତ – ନର୍ଦ୍ଦମାରେ ପଡି ପଚିସଢି ଯାଉଛି । ବିଶ୍ୱ ସାମ୍ରାଜ୍ୟବାଦୀ ଗୋଷ୍ଠୀ ଦେଶୀ ପୁଞ୍ଜିପତିମାନଙ୍କ ସହ ମିଶି ପୁଣି ଭାରତକୁ ପରାଧୀନତାର ନାଗଫାଶ ବନ୍ଧନରେ ବାନ୍ଧି ଗୋଲାମୀର ଜଞ୍ଜିର ପିନ୍ଧାଇ ଦେବେ ।

ସେଦିନ ଭାରତବର୍ଷର ମୁକ୍ତି ଆନ୍ଦୋଳନର ମହାର୍ଘ ସତ୍ୟକୁ ଆମେ ସ୍ୱୀକାର କରିପାରି ନ ଥିବାରୁ ଆଜି ଭାରତବର୍ଷର ଏହି ଦୟନୀୟ ଦୁର୍ଦ୍ଦଶା ।

ଆଜି ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଶତବର୍ଷରେ ଆସନ୍ତୁ – ଆମେ ସମସ୍ତେ ଶପଥ ନେବା – ପଚମାନ ସମାଜ ଓ ଶାସନ ବ୍ୟବସ୍ଥାକୁ ବିପ୍ଲବର ଆଘାତରେ ଚୁରମାର କରି ଏକ ନୂଆ ସକାଳ – ନୂଆ ସମାଜ – ନୂଆ ବ୍ୟବସ୍ଥା ଗଢି ତୋଳିବା – ଯେଉଁଠି ନ ଥିବ ଅନ୍ୟାୟ, ଅତ୍ୟାଚାର, ଶୋଷଣ, କଷଣ, ବ୍ୟଭିଚାର, ଦମନ, ପୀଡନ, ଅଭାବ, ଅନାଟନ, କେବଳ ବିରାଜମାନ କରୁଥିବ ଶାନ୍ତି – ସାମ୍ୟ – ମୈତ୍ରୀ ସୌଭ୍ରାତ୍ର ହେବ ଆମ ଅଗ୍ରଗାମୀ ଅଭିଯାନକାଳୀନ ପଟୁଆର – ସଂଗୀତର ଗୋଟିଏ ଗୋଟିଏ ମାର୍ମିକ ମୂର୍ଚ୍ଛନା !

ହେ ମୁକ୍ତିପଥର ଅଗ୍ରଦୂତ ! କୋଟିପ୍ରାଣର ପ୍ରେରଣାଦାତା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ – ତୁମକୁ ଆମର କୋଟି କୋଟି ରକ୍ତପ୍ରଣାମ !

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking