ଭୁବନେଶ୍ୱର: ଗାଡି ଚାଳକ ଏବେ ସାବଧାନ । କାରଣ ଏଣିକି ହେଲମେଟ ନ ପିନ୍ଧି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ । ଯେଉଁ ଗାଡି ଚାଳକ ଅମାନିଆ ଏବଂ ବେପରୁଆ ମନୋଭାବରେ ହେଲମେଟ ନ ପିନ୍ଧି ଗାଡି ଚଲାଉଛନ୍ତି, ସେମାନଙ୍କୁ ସାବାଡ କରିବା ପାଇଁ ପରିବହନ ସଚିବ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏଥିସହ ଗତ ୨୦୧୯ରେ ପ୍ରାୟ ୮.୫ ଲକ୍ଷ ଗାଡି ଚାଳକ ହେଲମେଟ ନ ପିନ୍ଧି ନିୟମ ଭାଙ୍ଗିଥିବା ଚିଠିରେ କୁହାଯାଇଛି । ୨୦୨୦ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ଏ ନେଇ ଜିଲ୍ଲାସ୍ତରୀୟ ରିପୋର୍ଟ ଦାଖଲ କରିବାକୁ ଦୁଇ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟଙ୍କ କମିଟିର ଅବଗତି ନିମନ୍ତେ ଏହି ରିପୋର୍ଟ ସାତ ଦିନ ମଧ୍ୟରେ ଦାଖଲ କରିବାକୁ ଡିଜିପି ଓ ପରିବହନ କମିସନରଙ୍କୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ , ଗତବର୍ଷ ୧୧୦୬୪ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ତା ଭିତରୁ ୪୬୮୮ଟି ବାଇକ ଦୁର୍ଘଟଣା ରହିଛି ଏବଂ ୨୩୯୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୫୬ ଜଣ ହେଲମେଟ ପିନ୍ଧିନଥିବା ଜଣାପଡିଛି ।