ଯାଜପୁର : ରେଳବାଇ ପ୍ରଶାସନ ଦ୍ୱାରା ରାତ୍ରୀକାଳୀନ ଭତ୍ତା ପ୍ରଦାନରେ ସିଲିଂ ବ୍ୟବସ୍ଥା ଲାଗୁ କରାଯିବା ବିରୋଧରେ ପୂର୍ବତଟ ରେଲୱେ ଜୋନ ଅନ୍ତର୍ଗତ ତିନୋଟି ଯାକ ମଣ୍ଡଳର ସମସ୍ତ ଷ୍ଟେସନରେ ଷ୍ଟେସନ ମାଷ୍ଟରମାନେ ଗତ ଗୁରୁବାର ତା୧୫.୧୦.୨୦୨୦ ରିଖ ଦିନ, ମହମବତୀ ଜାଳି ଶାନ୍ତିପୂର୍ଣ ବିରୋଧ ପ୍ରଦର୍ଶନ କରିଥଲେ । ସଂଗଠନର କହିବା ଅନୁଯାୟୀ , ପ୍ରକୃତି ବିରୋଧରେ ଯାଇ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଏବଂ ଶାରୀରିକ ତଥା ମାନସିକ ଚାପ ସତ୍ତ୍ୱେ ରାତି ଉଜାଗର ରହି ସୁରକ୍ଷିତ ଟ୍ରେନ ଚଳାଚଳକୁ ସୂଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ, ଏହି ଭତ୍ତାର ବ୍ୟବସ୍ଥା ରହିଥିଲା । କିନ୍ତୁ ନିକଟ ଅତୀତରେ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ , ଏହା ଉପରେ ସିଲିଂ ଲାଗୁକରାଗଲା , ଅର୍ଥାତ ଯେଉଁ କର୍ମଚାରୀଙ୍କର ମୂଳ ଦରମା ୪୩,୬୦୦ ଠାରୁ ଉର୍ଧ୍ଵ , ରାତିରେ କର୍ତ୍ତବ୍ୟରତ ରହିଲେ ମଧ୍ୟ ରାତ୍ରି କାଳୀନ ଭତ୍ତା ପାଇବାରୁ ବଂଚିତ ହେବେ । ଫଳସ୍ୱରୂପ ସୁରକ୍ଷିତ ରେଳ ପରିଚାଳନା କାର୍ଯ୍ୟରେ ନିୟୋଜିତ ଷ୍ଟେସନ ମାଷ୍ଟରଙ୍କ ସହିତ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିବ । ଏହି ଶାନ୍ତିପୂର୍ଣ ପ୍ରତିବାଦର ସୂଚୀ ଅନୁଯାୟୀ, ସଂଗଠନ ତରଫରୁ ୨୦.୧୦.୨୦୨୦ ଠାରୁ ୨୬.୧୦.୨୦୨୦ ପର୍ଯ୍ୟନ୍ତ ସାରା ଦେଶର ଷ୍ଟେସନ ମାଷ୍ଟରମାନଙ୍କ ଦ୍ୱାରା ଏକ ସପ୍ତାହ ବ୍ୟାପି କଳା ବ୍ୟାଜ ପରିଧାନ ପୂର୍ବକ କଳା-ସପ୍ତାହ ପାଳନ କରାଯାଉଛି ଏବଂ ଆସନ୍ତା ୩୧.୧୦.୨୦୨୦ ତାରିଖ ଦିନ ସକାଳ 6 ଟାରୁ ସନ୍ଧ୍ୟା 6ଟା ଯାଏଁ, 12 ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଅନଶନ ପ୍ରତିବାଦ କରାଯିବ । ଏବଂ ଏହି ପ୍ରତିବାଦ ଅବସରରେ ରେଳ ଚଳାଚଳ ଓ ଏହାର ସୁରକ୍ଷାରେ କୌଣସି ପ୍ରକାର ବାଧା ଦିଆଯିବ ନାହିଁ ବୋଲି ସଂଘ ପ୍ରକାଶ କରିଛି ଏବଂ ଏହି ପ୍ରତିବାଦରେ ଖୋର୍ଦ୍ଧା ରୋଡ ରେଲୱେ ଡିଭିଜନ ସମସ୍ତ ଷ୍ଟେସନ୍ ମାଷ୍ଟର ଭାଈ ମାନେ ମଧ୍ୟ ସାମିଲ୍ ହୋଇଛନ୍ତି।
ସଂଗଠନର କେନ୍ଦ୍ରୀୟ ନିର୍ଦ୍ଦେଶ ଅନୁସାରେ ଯଦି ତା ପରେ ବି ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନ ହୁଏ, ତେବେ ଏହି ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଗାମୀ ବୈଠକରେ ଦୃଢ଼ କାର୍ଯ୍ୟ ପନ୍ଥା ସ୍ଥିର କରାଯିବ ।