ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋିଥିବାର ଜଣା ପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।
ତେବେ ଏଠାରେ ସୂଚନାଯୋଗ୍ୟ,ସ୍ବର୍ଗତ ଭାଗବତ ପ୍ରସାଦ ମହାନ୍ତି କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରୁ ୩ଥ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ରାପଡା ଅର୍ବାନ୍ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଥିଲେ। ୧୯୨୯ ମସିହା ନଭେମ୍ବର ୨୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରେ ସେ ୧୯୪୯-୬୦ ମସିହା ଯାଏଁ ‘କିଷାନ ସତ୍ୟାଗ୍ରହ ଆନ୍ଦୋଳନ’ରେ ଯୋଗଦେଇ ‘ଭୂସଂସ୍କାର ଆନ୍ଦୋଳନ’ ପାଇଁ ଲଢିଥିଲେ। ରାଜ୍ୟର ସମବାୟ ଆନ୍ଦୋଳନରେ ମଧ୍ୟ ତାଙ୍କର ସମ୍ପୃକ୍ତି ଥିଲା। ୧୯୬୯ ମସିହାରେ ସେ କେନ୍ଦ୍ରାପଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ। ୧୯୭୧ ମସିହାରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ସେ କେନ୍ଦ୍ରାପଡା ମ୍ୟୁନିସିପାଲିଟିର କାଉନସିଲର ଓ ରାଜ୍ୟ ଆଇନ ସଂଶୋଧନ କମିଟିର ସଦସ୍ୟ ମଧ୍ୟ ଥିଲେ ।