ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଟ୍ରେନ୍ଗୁଡିକ ନିର୍ଦ୍ଧାରିତ ସମୟରେ ଚଳାଚଳ କରୁଛି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କୋଭିଡ୍ ସମୟରେ ଦେଶରେ ଅଧିକାଂଶ ଟ୍ରେନ୍ ସେବାକୁ ବାତିଲ କରାଯାଇଥିଲା । ଫଳରେ ଏହାର ସୁଯୋଗ ନେଇ ରେଳବାଇ ପକ୍ଷରୁ ଟ୍ରେନ୍ବଗି, ଇଞ୍ଜିନ ଓ ରେଳଧାରଣାର ମରାମତି କାର୍ଯ୍ୟ ସମ୍ପାଦିତ ହୋଇପାରିଛି । ଚଳିତବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ ୯୩ ପ୍ରତିଶତ ଟ୍ରେନ୍ ଠିକ୍ ସମୟରେ ଚଳାଚଳ କରିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୨୦୧୯ ଏପ୍ରିଲ-ନଭେମ୍ବରରେ ଏହା ୭୫.୬୭ ପ୍ରତିଶତ ଓ ୨୦୧୮ ଏପ୍ରିଲ-ନଭେମ୍ବରରେ ଏହି ହାର ୬୮.୧୯ ପ୍ରତିଶତ ରହିଥିବା ଜଣାପଡିଛି । ମରାମତି ପାଇଁ ଆବଶ୍ୟକ ସମୟ ମିଳୁନଥିବାରୁ ଟ୍ରେନ୍ ଚଳାଚଳର ସମୟ ନିର୍ଘଣ୍ଟରେ ବିଳମ୍ବ ଘଟୁଥିଲା ବୋଲି ମନ୍ତ୍ରଣାଳୟ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ତେବେ ୨୦୨୦ରେ ଦେଶବ୍ୟାପୀ ଲକ୍ଡାଉନ ଜାରି କରାଯାଇଥିବାରୁ ଏହି କାର୍ଯ୍ୟ ସମ୍ପାଦନ ପାଇଁ ରେଳବାଇକୁ ପର୍ଯ୍ୟାପ୍ତ ସମୟ ମିଳିଥିଲା । ନଭେମ୍ବର ୧୬ ସୁଦ୍ଧା ଦେଶରେ ୧୭୬୮ ମେଲ୍ ଓ ଏପ୍ସପ୍ରେସ ଟ୍ରେନ୍ ଚଳାଚଳ କରୁଛି । ବର୍ତ୍ତମାନ ଟ୍ରେନ୍ ଇଞ୍ଜିନ, ବଗି ଓ ରେଳଧାରଣା ମରାମତି ପାଇଁ ସମୟ ବାହାର କରିବାକୁ ରେଳ ମନ୍ତ୍ରଣାଳୟ ସକ୍ଷମ ହୋଇପାରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପୂର୍ବରୁ ଗୋଟିଏ ଟ୍ରେନ୍ର ମରାମତି ପାଇଁ ଅତିବେଶୀରେ ଏକ ଘଣ୍ଟା ସମୟ ମିଳୁଥିବାବେଳେ ବର୍ତ୍ତମାନ ରେଳ କର୍ତ୍ତୃପକ୍ଷଙ୍କୁ ୩ ଘଣ୍ଟା ସମୟ ମିଳିପାରୁଛି । କୋଭିଡ୍ ଯୋଗୁଁ ବ୍ୟସ୍ତବହୁଳ ରୁଟ୍ରେ ଟ୍ରେନ୍ ଚଳାଚଳ ସୀମିତ ହୋଇଯାଇଛି । ଫଳରେ ଟ୍ରେନ୍ଗୁଡିକର ସମୟ ସାରଣୀକୁ ଠିକ୍ଠାକ୍ କରାଯାଇଥିବା ରେଳବାଇ ବୋର୍ଡର ଜଣେ ସଦସ୍ୟ କହିଛନ୍ତି । ଉଦାହରଣ ଦେଇ ସେ ଆହୁରି କହିଛନ୍ତି ଯେ ଇତିମଧ୍ୟରେ ଇସଲାମପୁର-ନୂଆଦିଲ୍ଲୀ ମଗଧ ଏକ୍ସପ୍ରେସ୍, ପାଟନା-ନୂଆଦିଲ୍ଲୀ ସମ୍ପୂର୍ଣ୍ଣକ୍ରାନ୍ତି ଏକ୍ସପ୍ରେସ, ସୀତାମାଢ଼ି-ନୂଆଦିଲ୍ଲୀ ଲିଚ୍ଛବି ଏକ୍ସପ୍ରେସ, ହାୱଡା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସର ସମୟ ନିର୍ଘଣ୍ଟରେ ଆଖିଦୃଶିଆ ଉନ୍ନତି ଘଟିଛି । ଗତବର୍ଷ ମାର୍ଚ୍ଚରେ ଲକ୍ଡାଉନ ଜାରି ହେବାପରେ ଦେଶବ୍ୟାପୀ ଟ୍ରେନ୍ ସେବାକୁ ବାତିଲ କରାଯାଇଥିଲା । ପରବର୍ତ୍ତୀ ସମୟରେ ଲୋକଙ୍କ ସୁବିଧା ପାଇଁ କେତେକ ରୁଟ୍ରେ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଥିଲା । ଏଭଳି ସ୍ୱତନ୍ତ୍ର ଟ୍ରେନ୍ରେ ଯାତ୍ରା ପାଇଁ ଯାତ୍ରୀଙ୍କୁ ଟିକେଟ ମୂଲ୍ୟର ୩୦ ପ୍ରତିଶତ ଅଧିକ ଦେବାକୁ ପଡୁଥିଲା । ତେବେ ରେଳବାଇ କର୍ତ୍ତୃପକ୍ଷ ଚଳିତବର୍ଷ ନଭେମ୍ବର ୧୭ରେ ୩୨ଟି ଟ୍ରେନ୍ ଉପରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିଥିବାରୁ ଯାତ୍ରୀମାନେ ଅତିରିକ୍ତ ଭଡାରୁ ବର୍ତ୍ତିଯାଇଛନ୍ତି ।