17.1 C
Bhubaneswar
Monday, November 18, 2024
Homeଦେଶ ବିଦେଶସିନ୍ଦେ ସରକାରରେ ସାମିଲ ୯ ଏନ୍‌ସିପି ମନ୍ତ୍ରୀଙ୍କୁ ମିଳିଲା ବିଭାଗ; ଅଜିତ ପୱାରଙ୍କୁ ଅର୍ଥ, ଭୁଜବଳଙ୍କୁ...

ସିନ୍ଦେ ସରକାରରେ ସାମିଲ ୯ ଏନ୍‌ସିପି ମନ୍ତ୍ରୀଙ୍କୁ ମିଳିଲା ବିଭାଗ; ଅଜିତ ପୱାରଙ୍କୁ ଅର୍ଥ, ଭୁଜବଳଙ୍କୁ ଖାଦ୍ୟ

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରରେ ସାମିଲ ଏନ୍‌ସିପିର ୯ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର୍‌ଙ୍କୁ ଅର୍ଥ ଓ ଯୋଜନା ବିଭାଗ ମିଳିଥିବା ବେଳେ ବରିଷ୍ଠ ନେତା ଛଗନ ଭୁଜବଳଙ୍କୁ ଖାଦ୍ୟ ଓ ସାଧାରଣ ଯୋଗାଣ ବିଭାଗ ଦିଆଯାଇଛି । ଏହା ବ୍ୟତୀତ ଧନଞ୍ଜୟ ମୁଣ୍ଡେଙ୍କୁ କୃଷି, ଦିଲୀପ ବଲ୍‌ସେ ପାଟିଲ୍‌ଙ୍କୁ ସମବାୟ, ଅନୀଲ୍ ପାଟିଲ୍ ପୁନର୍ବାସ ଏବଂ ବିପର୍ଯ୍ୟୟ ପ୍ରବନ୍ଧନ, ସଞ୍ଜୟ ବନସୋଡ଼େଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର, ଅଦିତି ତଟକରେଙ୍କୁ ମହିଳା ଓ ଶିଶୁ ବିକାଶ, ଧର୍ମରାଓ ଅତ୍ରାମଙ୍କୁ ଖାଦ୍ୟ ଓ ଔଷଧ ବିଭାଗ, ହସନ୍ ମୁଶ୍ରିଫ୍‌ଙ୍କୁ ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିକ୍ଷା (ହେଲ୍‌ଥ ଏଜୁକେସନ୍‌) ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜ ପାଖରେ ସାଧାରଣ ପ୍ରଶାସନ, ନଗର ବିକାଶ, ସୂଚନା ଓ ଆଇଟି ଏବଂ ଜନସମ୍ପର୍କ, ପରିବହନ, ସାମାଜିକ ନ୍ୟାୟ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଖଣି ବିଭାଗ ରଖିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ପାଖରେ ଗୃହ, ଆଇନ ଓ ନ୍ୟାୟ, ଜଳସମ୍ପଦ ଓ ଲାଭକାରୀ ଅଞ୍ଚଳ ବିକାଶ ଏବଂ ଶକ୍ତି ବିଭାଗ ରହିଛି । ଏହା ବ୍ୟତୀତ ରାଧାକୃଷ୍ଣ ବିଖେ ପାଟିଲ୍‌ଙ୍କୁ ରାଜସ୍ୱ, ପଶୁପାଳନ ଓ ଡାଏରୀ ବିକାଶ ବିଭାଗ, ସୁଧୀ ସଚ୍ଚିଦାନନ୍ଦ ମୁଙ୍ଗ୍‌ଟିୱାରଙ୍କୁ ଜଙ୍ଗଲ, ସାଂସ୍କୃତିକ ଗତିବିଧି ଏବଂ ମତ୍ସ୍ୟପାଳନ ବିଭାଗ ଏବଂ ଚନ୍ଦ୍ରକାନ୍ତଦାଦା ବଚୁ ପାଟିଲ୍‌ଙ୍କୁ ଉଚ୍ଚ ଓ ବୈଷୟିକ ଶିକ୍ଷା, କପଡ଼ା ଶିଳ୍ପ ଏବଂ ସଂସଦୀୟ ବ୍ୟାପାର ବିଭାଗ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ସରକାରରେ ସାମିଲ ଏନ୍‌ସିପି ମନ୍ତ୍ରୀମାନଙ୍କ ପୋର୍ଟଫୋଲିଓକୁ ନେଇ ବହୁଦିନ ଧରି ଗତିରୋଧ ଲାଗିରହିଥିଲା । ତେବେ ବୁଧବାର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ଓ ପ୍ରଫୁଲ୍ଲ ପଟେଲ୍ ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ସହିତ ହୋଇଥିବା ବୈଠକରେ ବିଭାଗ ବଣ୍ଟନ ନେଇ ନିଷ୍ପତ୍ତି ହୋଇଥିଲା । ଜୁଲାଇ ୨ରେ ଏନ୍‌ସିପିର ୯ ବିଧାୟକ ସିନ୍ଦେ କ୍ୟାବିନେଟ୍‌ରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଜିତ ପୱାର୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏହା ବ୍ୟତୀତ ଅନ୍ୟ ୮ ବିଧାୟକ ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ୍ ପାଟିଲ୍‌, ଦିଲୀପ ବଲ୍‌ସେ ପାଟିଲ୍‌, ଧର୍ମରାଓ ଅତ୍ରାମ୍‌, ସଞ୍ଜୟ ବନସୋଡ଼େ, ଅଦିତି ତଟକରେ ଏବଂ ହସନ୍ ମୁଶ୍ରିଫ୍ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଥିଲେ । ଏନ୍‌ସିପିର ୯ ମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା ଏବେ ୧୯ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking