ଦେବଗଡ: ଗତ ୨୦୨୦ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୧୫ ମଧ୍ୟରେ କାରୋନା କାଳରେ ଉଭୟ ବାପା, ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା, ଭରଣପୋଷଣ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଆଶୀର୍ବାଦ ଯୋଜନାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ୩୭୩ ଜଣ ପିଲାଙ୍କୁ ତୃତୀୟ ପର୍ଯ୍ୟାୟର ହିତାଧିକାରୀ ଭାବେ ଚୟନ କରି ମୋଟ ୫ ଲକ୍ଷ ୭୧ ହଜାର ଟଙ୍କା ସହାୟତା ରାଶି ଜାନୁୟାରୀ ମାସ ପାଇଁ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜୁଲାଇ ମାସରେ ୧୦୩ ଜଣ ହିତାଧିକାରୀଙ୍କୁ ଆଶୀର୍ବାଦ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୫୮ ଜଣ ଶିଶୁଙ୍କୁ ପ୍ରଦାନ କରା ଯାଇଥିଲା । ପ୍ରଥମ , ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ମୋଟ ୮୩୪ ଜଣ ଶିଶୁ ହିତାଧିକାରୀ ଆଶୀର୍ବାଦ ଯୋଜନାରୁ ଉପକୃତ ହୋଇପାରିଛନ୍ତି । ତୃତୀୟ ପର୍ଯ୍ୟାୟରେ ସହାୟତା ପ୍ରଦାନ କରାଯାଇଥିବା ମୋଟ ୩୭୩ ଜଣ ନୂତନ ହିତାଧିକାରୀଙ୍କ ମଧ୍ୟରୁ ୮ ଜଣ ପିତୃମାତୃହୀନ ପୁଅ ଓ ୫ ଜଣ ଝିଅକୁ ୨୫୦୦ ଟଙ୍କା ଲେଖାଏଁ ଓ ରୋଜଗାରକ୍ଷମ ପିତା କିମ୍ବା ମାତାଙ୍କୁ ହରେଇଥିବା ମୋଟ ୧୭୮ ପୁଅ ଓ ୧୮୨ ଜଣ ଝିଅଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ ଜିଲ୍ଲାର ବାରକୋଟ ବ୍ଲକର ୧୫୫ ଜଣ ଶିଶୁ , ରିଆମାଳ ବ୍ଲକର ୯୬ ଜଣ , ତିଳେଇବଣୀର ୧୦୧ ଜଣ ଓ ପୌରାଞ୍ଚଳର ମୋଟ ୨୧ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଆର୍ôଥକ ସହାୟତା ୧୮ ବର୍ଷ ହେବା ପର୍ଯ୍ୟନ୍ତ ପିଲାମାନେ ପାଇପାରିବେ । ଉଭୟ ପିତାମାତାଙ୍କୁ ହରେଇଥିବା , ଯେଉଁ ଶିଶୁମାନେ ଉଚ୍ଚ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କୁ ଗ୍ରୀନ ପ୍ୟାସେଜ ସ୍କିମ ମାଧ୍ୟମରେ ମଧ୍ୟ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ତୃତୀୟ ପର୍ଯ୍ୟାୟରେ ସହାୟତା ପାଇଥିବା ୩୭୩ ଜଣ ହିତାଧିକାରୀଙ୍କ ମଧ୍ୟରୁ ମୋଟ ୧୮୬ ପୁଅ ଓ ୧୮୭ ଝିଅ ୧୮ବର୍ଷ ହେବା ପର୍ଯ୍ୟନ୍ତ ଏହି ସହାୟତା ପାଇ ପାରିବେ । ଆଶୀର୍ବାଦ ଯୋଜନାରେ ଏହି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ଗହଣରେ ହିଁ ରହିବେ । ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ । ଅସମୟରେ ବାପା ମାଙ୍କୁ ହରାଇ ଥିବା ଜଣେ ବି ଅସହାୟ ଶିଶୁ ଯେପରି ଏହି ଯୋଜନାରୁ ବାଦ୍ ନ ପଡନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସାମଲ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଇସିଡିଏସ୍ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀମାନେ ନିୟମିତ ଭାବେ ଶିଶୁ ହିତାଧିକାରୀମାନଙ୍କ ଗୃହ ପରିଦର୍ଶନ କରି ଶିଶୁମାନଙ୍କ ସ୍ଥିତି ତଦାରଖ କରି ସିଡିପିଓ ପ୍ରବୀଣ ମିଶ୍ର , ନମିତା ରାଉତ ଓ ମାନବୀ ରାୟଙ୍କ ଜରିଆରେ ଶିଶୁ ସୁରକ୍ଷା ବିଭାଗକୁ ଜିଲ୍ଲାପାଳଙ୍କ ସୂଚନା ପାଇଁ ପ୍ରଦାନ କରୁଛନ୍ତି । ସରପଞ୍ଚଙ୍କ ଅଧ୍ୟକ୍ଷତାରେ ‘ଶିଶୁ ପାଇଁ ଦିନଟିଏ’ ଶୀର୍ଷକ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ତ୍ରୟମାସିକ ବୈଠକରେ ଶିଶୁ ହିତାଧିକାରୀମାନଙ୍କ ସ୍ଥିତିର ସମୀକ୍ଷା କରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବିବରଣୀ ପ୍ରଦାନ କରାଯାଉଛି ।