ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ପ୍ରଥମେ କୋଭିଡ-୧୯ ଓ ତା ପରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱକୁ ସଂକଟ ମୁହଁକୁ ନେଇଯାଇଛି। ଏଥିରେ ଦେଖା ଦେଇଥିବା ମାନ୍ଦାବସ୍ଥା ସାରା ବିଶ୍ୱରେ ବେକାରୀ ସମସ୍ୟାକୁ ଉତ୍କଟ କରିଛି। ଆର୍ଥିକ ସଂକଟ ଯୋଗୁ ବଡ଼ ବଡ଼ କମ୍ପାନୀମାନେ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଏହି ପରିସ୍ଥିତି ଷ୍ଟାର୍ଟଅପ କମ୍ପାନୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି। ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ସଂଖ୍ୟ ହ୍ରାସ ସହ ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡୁଛି।
ଏଥିରେ ଆଇଟି ସେକ୍ଟରରେ କାର୍ଯ୍ୟରତ କର୍ମଚାରୀ ଅଧିକ ପ୍ରଭାବିତ ହୋଇଛନ୍ତି। ଅନେକ କର୍ମଚାରୀଙ୍କୁ ଚାକିରି ହରେଇବାକୁ ପଡିଛି। ଏଣୁ ଭାରତ ସମେତ ସାରା ବିଶ୍ୱରେ ଏବେ ବେକାରୀ ବଢିଛି। ଏହାକୁ ନେଇ ‘ୱାର୍ଲଡ ଅଫ ଷ୍ଟାଟିଷ୍ଟିକ୍ସ’ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ବିଶ୍ୱରେ ସବୁଠୁ ଅଧିକ ବେକାରୀ ଏବେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଛି। ଦକ୍ଷିଣ ଆଫ୍ରିକାରେ ୩୨.୬ ପ୍ରତିଶତ ଲୋକେ ବେକାର ଅଛନ୍ତି। ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛି ଇରାକ୍। ଏଠାରେ ୧୫.୫୫ ପ୍ରତିଶତ ଲୋକେ ଏବେ ବେକାର ହୋଇଯାଇଛନ୍ତି। ତାଲିକାର ତୃତୀୟ ସ୍ଥାନରେ ବୋସନିୟା ଥିବା ବେଳେ ପଛକୁ ହର୍ଜଗୋଭିନା ଓ ଆଫଗାନିସ୍ତାନ ରହିଛି। ଏହି ସବୁ ଦେଶରେ ବେକାରୀ ୧୩.୩ ପ୍ରତିଶତ। ଗୁରୁତର ଆର୍ଥିକ ସଂକଟଗ୍ରସ୍ତ ପାକିସ୍ତାନରେ ବେକାରୀ ହାର ସବୁଠୁ କମ୍।