ଭୁବନେଶ୍ୱର: ହୋଲି ଦିନ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଆତଙ୍କ ରଚାଇ ଥିବା ୮ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଗିରଫ ୮ ଜଣଙ୍କ ମଧ୍ୟରେ ରହିଛି ଜଣେ ନାବଳକ । ସମସ୍ତ ଗିରଫ ଯୁବତ ନୟାପଲ୍ଲୀ ଥାନା ଅଞ୍ଚଳର ବୋଲି ଜଣା ପଡିଛି । ସେମାନେ ହେଲେ କୁଶ ମୁଣ୍ଡା ଓରଫ ରୁଣ୍ଡ(୨୮), ସୁଦର୍ଶନ ବାଳାମୁଚୁ ଓରଫ ଗାଙ୍ଗ(୧୯) ରକି ନାୟକ ଓରଫ ଭାଲୁ(୧୮), ରାଜକିଶୋର ଦିଗାଲ ଓରଫ ମୁନା(୧୮), ସୁମନ ପାତ୍ର(୧୯), ସଞ୍ଜୟ କୁମାର ସାହୁ ଓରଫ ସଞ୍ଜୁ(୨୪) ଏବଂ ବିଭୁ ନାୟକ(୧୮) । ଡିସିପିଙ୍କ ସୂଚନା ମୁତାବକ କେନ୍ଦୁ ଖୁଣ୍ଟିଆ ନାମକ ବ୍ୟକ୍ତି ହୋଲି ଖେଳ ପରେ ନୟାପଲ୍ଲୀ ବ୍ରିଟ୍ କଲୋନୀର ବାବା ବାଲୁକେଶ୍ୱର ମନ୍ଦିର ପାଖରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ଗୋଟିଏ ଗୋଷ୍ଠୀ ସହିତ କଥା କଟାକଟି ହୋଇଥିଲା । ପରବର୍ତ୍ତୀ ସମୟରେ ଠେଲାପେଲା ହୋଇଥିଲା । ତା’ପରେ କେନ୍ଦୁ ଖୁଣ୍ଟିଆ ଘରକୁ ଫେରିଥିଲେ । ହେଲେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ଉକ୍ତ ସମସ୍ତ ଯୁବକ । ତେଣୁ ସନ୍ଧ୍ୟା ବେଳେ ସେମାନେ ବ୍ରିଟ୍ କଲୋନୀକୁ ଯାଇଥିଲେ । କେନ୍ଦୁ ଖୁଣ୍ଟିଆଙ୍କୁ ଘରେ ନପାଇ ତାଙ୍କ ବାପା ଓ ମାଆଙ୍କ ସହିତ ଯୁକ୍ତିତର୍କ ସେମାନଙ୍କୁ ଠେଲାପେଲା କରିଥିଲେ । ଫେରିବା ବେଳେ ବ୍ରିଟ୍ କଲୋନୀରେ ତାଣ୍ଡବ ରଚିଥିଲେ । ସ୍ଥାନୀୟ ଅଞ୍ଚଳର ଦୁର୍ଗା ପ୍ରସାଦ ବେହେରାଙ୍କୁ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୁର୍ବୃତ୍ତମାନେ କଲୋନୀବାସୀଙ୍କୁ ଧମକଚମକ ଦେଇଥିଲେ । ଯେଉଁଥିପାଇଁ ସ୍ଥାନୀୟ ଲୋକମାନେ ଭୟରେ ଜୀବନ ବିକଳରେ ଘରେ ପଶି ଯାଇଥିଲେ । ଏ ନେଇ ସ୍ଥାନୀୟ ଲୋକ ନୟାପଲ୍ଲୀ ଥାନାକୁ ଖବର ଦେଇଥିଲେ । କମିଶନରେଟ୍ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକଙ୍କ ବୟାନ୍ ଓ ଭିଡିଓ ଫୁଟେଜ ତଥ୍ୟ ଆଧାରରେ କମିଶନରେଟ ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲା । ଘଟଣା ଘଟିବାର ଦୁଇଦିନ ପରେ ଆଜି ପୁଲିସ୍ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇଦେଇଛି । ସେମାନଙ୍କ ଠାରୁ ପୁଲିସ ଗୋଟିଏ ସ୍କୁଟି, ଗୋଟିଏ କାର, ଧାରୁଆ ଅସ୍ତ୍ର ଇତ୍ୟାଦି ଜବତ କରାଯାଇଛି । ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।