ନୂଆଦିଲ୍ଲୀ: ନିର୍ମାଣଧୀନ କାନ୍ଥ ଭୁଶୁଡି ପଡି ୭ ଜଣ ଶ୍ରମିକଙ୍କ ମୃତ୍ୟୁ । ସୋମବାର ସନ୍ଧ୍ୟାରେ ହରିୟାଣାର ଗୁରୁଗ୍ରାମର ସିଦ୍ଧରାୱାଲି ଅଞ୍ଚଳର ସିଗନେଚର ଗ୍ଲୋବାଲ ସୋସାଇଟିରେ ଏହି ଘଟଣା ଘଟିଥିବା ଜଣେ ଅଧିକାରୀ କହିଛନ୍ତି । ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ଶ୍ରମିକ ମାନେ ଏକ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ କାମ କରୁଥିଲେ । ହଠାତ ନିର୍ମାଣଧୀନ କାନ୍ଥଟି ଭୁଶୁଡି ପଡିବାରୁ ୧୨ରୁ ୧୫ ଜଣ ଶ୍ରମିକ ଭଗ୍ନାବଶେଷରେ ପୋତି ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକେ ପୋଲିସ, ଏବଂ ଦମକଳବାହିନୀକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ସାତ ଜଣ ଶ୍ରମିକଙ୍କ ମୃତ୍ୟ ହୋଇଥିବା ଘୋଷଣା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେଠାରେ ଥିବା ଅନ୍ୟ ଶ୍ରମିକଙ୍କୁ ଘଟଣା ବିଷୟରେ ପଚରା ଉଚରା କରି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକଙ୍କ ପରିବାର ଲୋକେ ଏନେଇ ଦୁଃଖରେ ଭାଙ୍ଗି ପଡିବା ସହ ପରିବେଶ ଶୋକାକୁଳ ଅବସ୍ଥାରେ ଖେଳିଯାଇଛି ।










