କ୍ୱାଲାଲାମ୍ପୁର୍: ମାଲେସିଆର ଫାଷ୍ଟ ବୋଲର୍ ସ୍ୟାଜରୁଲ୍ ଇଦରସ୍ ଇତିହାସ ରଚି ଟି-୨୦ ଇଣ୍ଟରନାସ୍ନାଲ୍ ମ୍ୟାଚ୍ରେ ୭ ୱିକେଟ୍ ହାସଲ କରିଛନ୍ତି । ଏପରି କରିବାରେ ସେ ବିଶ୍ୱର ପ୍ରଥମ ବୋଲର୍ । ଇଦରସ୍ ନିଜର ୪ ଓଭର୍ ସ୍ପେଲ୍ରେ ୮ ରନ୍ ବ୍ୟୟ କରିଛନ୍ତି । ଏହି କାରନାମା କ୍ୱାଲାଲାମ୍ପୁର୍ରେ ଚାଲିଥିବା କ୍ୱାଲିଫାୟର୍ ଷ୍ଟେଜ୍ର ଚୀନ୍ ବିପକ୍ଷ ପ୍ରଥମ ମ୍ୟାଚ୍ରେ କରିଛନ୍ତି । ତାଙ୍କ ପ୍ରଦର୍ଶନ ବଳରେ ମାଲେସିଆ ୨୩ ରନ୍ରେ ଚୀନ୍କୁ ଅଲ୍ଆଉଟ୍ କରିଥିଲା । ପରେ ୨୪ ରନ୍ର ଟାର୍ଗେଟ୍କୁ ଟିମ୍ ୪.୫ ଓଭର୍ରେ ହାସଲ କରିନେଇଥିଲା । ଖାସ୍ ବିଷୟ ହେଉଛି ସେ ସମସ୍ତ ବ୍ୟାଟର୍ଙ୍କୁ ନିଜର ଇନ୍-ସ୍ୱିଙ୍ଗର୍ ବଲ୍ରେ ବୋଲ୍ଡ ଆଉଟ୍ କରିଛନ୍ତି ।
ଏହି କୀର୍ତ୍ତିମାନ ସହିତ ସ୍ୟାଜରୁଲ୍ ନାଇଜେରିଆର ପିଟର୍ ଆହୋଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ପିଟର୍ ୨୦୨୧ରେ ସିଏରା ଲିୟୋନ୍ ବିପକ୍ଷରେ ୫ ରନ୍ ବିନିମୟରେ ୬ ୱିକେଟ୍ ହାସଲ କରିଥିଲେ । ପୂର୍ଣ୍ଣ ସଦସ୍ୟ ଦେଶ ମଧ୍ୟରେ ଭାରତର ଦୀପକ ଚହରଙ୍କ ନାମରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ରେକର୍ଡ ରହିଛି । ସେ ୨୦୧୯ରେ ବାଂଲାଦେଶ ବିପକ୍ଷରେ ମାତ୍ର ୭ ରନ୍ ଦେଇ ୬ ୱିକେଟ୍ ହାସଲ କରିଥିଲେ । ଟି-୨୦ କ୍ରିକେଟ୍ରେ ବର୍ତ୍ତମାନ ସୁଦ୍ଧା ୧୨ ଖେଳାଳି ଗୋଟିଏ ଇନିଂସ୍ରେ ୬ ୱିକେଟ୍ ନେଇଥିଲେ । ମାତ୍ର କୌଣସି ବୋଲର୍ ୭ ୱିକେଟ୍ ନେଇପାରି ନଥିଲେ । ଏହା ମଧ୍ୟରେ ଆସୋସିଏସଟ୍ ଦେଶର ୬ ଏବଂ ଟେଷ୍ଟ୍ ଖେଳୁଥିବା ଦେଶର ୬ ବୋଲର୍ ସାମିଲ ।