ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜାନୁଆରୀ ୩ରୁ ବେଙ୍ଗାଲୁରୁର ସାଇ ସେଣ୍ଟର୍ରେ ଆରମ୍ଭ ହେଉଥିବା ସିନିୟର ପୁରୁଷ ଜାତୀୟ କ୍ୟାମ୍ପ୍ ପାଇଁ ଗୁରୁବାର ହକି ଇଣ୍ଡିଆ ଏକ ୬୦ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି । ଏହି ତାଲିକାରେ ୭ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର୍ ଅମିତ ରୋହିଦାସ, ନୀଲମ୍ ସଞ୍ଜୀବ ଖେସ୍, ଦୀପ୍ସାନ୍ ତିର୍କୀ, ଅଭିଷେକ ଲାକ୍ରା, ମିଡ୍ଫିଲ୍ଡର୍ ବିଜୁ ଏକ୍କା, ଆଶିଷ କୁମାର ଟପ୍ନୋ ଓ ଫରୱାର୍ଡ ଶିଳାନନ୍ଦ ଲାକ୍ରା । ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ଏଫ୍ଆଇଏଚ୍ ପ୍ରୋଲିଗ୍- ୨୦୨୧-୨୨ ପ୍ରସ୍ତୁତି ପୂର୍ବରୁ ଏହି ୬୦ ଜଣିଆ ଖେଳାଳି ତାଲିକାକୁ ପୁଣିଥରେ ୩୩କୁ କମାଇ ଦିଆଯିବ ।
ନିକଟରେ ଘରୋଇ ଏବଂ ଅନ୍ତର୍ଜାତୀୟ ସର୍କିଟ୍ରେ ସେମାନଙ୍କ ଉନ୍ନତ ପ୍ରଦର୍ଶନ ଆଧାରରେ ଏହି ୬୦ ଜଣଙ୍କୁ ଜାତୀୟ କ୍ୟାମ୍ପ୍ ପାଇଁ ମନୋନୀତ କରାଯାଇଛି ବୋଲି ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି । ସେ ଆହୁରି କହିଛନ୍ତି, ‘ନୂଆ ଅଲିମ୍ପିକ୍ ସାଇକ୍ଲ ସହ ଆଗକୁ ଏସିଆନ୍ ଗେମ୍ସ ଥିବାରୁ ୨୦୨୨ ସିଜନ୍ ପାଇଁ ଏକ ଶକ୍ତିଶାଳୀ ୩୩ ଜଣିଆ ପୁଲ୍ ପ୍ରସ୍ତୁତ କରିବା ଗୁରୁତ୍ୱପୂର୍ଣ୍ଣ।ଏହି ଖେଳାଳିମାନେ ନିକଟରେ ଶେଷ ହୋଇଥିବା ୧୧ଶ ହକି ଇଣ୍ଡିଆ ସିନିୟର୍ ପୁରୁଷ ଜାତୀୟ ଚାମ୍ପିଅନ୍ଶିପ୍, ଜୁନିୟର୍ ପୁରୁଷ ଜାତୀୟ ଚାମ୍ପିଅନ୍ଶିପ୍ ଏବଂ ହକି ଇଣ୍ଡିଆ ମାନ୍ୟତାପ୍ରାପ୍ତ ଅନ୍ୟ ଘରୋଇ ଇଭେଣ୍ଟ୍ରେ ସେମାନଙ୍କ ପ୍ରଦର୍ଶନ ଆଧାରରେ ମନୋନୀତ ହୋଇଛନ୍ତି । ଏହି ତାଲିକାରେ ଉଭୟ ଜୁନିୟର୍ ଓ ସିନିୟର୍ ପୁରୁଷ କୋର୍ ଗ୍ରୁପ୍ରୁ ରିଟେନ୍ ହୋଇଥିବା ଖେଳାଳି ମଧ୍ୟ ସାମିଲ ଅଛନ୍ତି । ଏଫ୍ଆଇଏଚ୍ ପ୍ରୋ ଲିଗ୍ ଫେବୃଆରୀ ୪ରେ ଇଂଲଣ୍ଡ ଓ ସ୍ପେନ୍ ମ୍ୟାଚ୍ରୁ ପୁଣିଥରେ ଆରମ୍ଭ ହେବ । ଲିଗ୍ରେ ଭାରତ ଫେବୃଆରୀ ୮ ତାରିଖରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ ।