ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ସିଏନ୍ଏମ୍ ଡେପୁଟି କମାଣ୍ଡରଙ୍କ ସମେତ ୪ ଜଣ ନକ୍ସଲ ସୁକମା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୁକମା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଏସ୍ପି ସଲଭ ସିହ୍ନା, ଅତିରିକ୍ତ ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ ତିଵାରୀ ପ୍ରମୁଖଙ୍କ ନିକଟରେ ଏହି ଚାରି ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ସିଏନ୍ଏମ୍ ଡେପୁଟି କମାଣ୍ଡର ବେଟ୍ଟି ହିଡ଼ମେ, ସିଏନ୍ଏମ୍ ସଦସ୍ୟ କାରମ ହିଡ଼ମେ, କାବାସି କୋସି ଏବଂ ଡାକ୍ତର କମିଟି ସଦସ୍ୟ ଗୋସେ ଜଗା।
ସୂଚନା ଅନୁଯାୟୀ, ମାଓନେତ୍ରୀ ସଂଜୁଙ୍କ ନେତୃତ୍ବରେ ଏମାନେ କାମ କରୁଥିଲେ। ଚାରି ବର୍ଷ ତଳେ ଏମାନେ ସଂଗଠନରେ ସାମିଲ ହୋଇଥିଲେ। ବହୁ ହିଂସାକାଣ୍ଡରେ ଏମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପୁଲିସ ସୂଚନା ଦେଇଛି। ଯେଭଳି ରାସ୍ତା ଖୋଳିବା, ବୋମା ଖଞ୍ଜିବା, ପୁଲିସ ଉପରେ ଆକ୍ରମଣ କରିବା, ପୋଷ୍ଟର ଲଗାଇବା, ଲୋକଙ୍କୁ ପ୍ରଜାକୋର୍ଟକୁ ଡାକିବା ଭଳି କାର୍ଯ୍ୟ କରୁଥିଲେ। ଛତିଶଗଡ଼ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପୁଲିସ ପକ୍ଷରୁ ଘୋଷଣା କରାଯାଇଛି। ସଂଗଠନରେ କ୍ୟାଡର ନକ୍ସଲ ଛତିଶଗଡ଼ ନକ୍ସଲଙ୍କୁ ନିର୍ଯ୍ୟାତନା ଦେବା ଏବଂ ଭେଦଭାବ ସୃଷ୍ଟି କରୁଛନ୍ତି। ତେଣୁ ବାଧ୍ୟ ହୋଇ ସଂଗଠନ ଛାଡ଼ିବା ସହ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି।