28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ : ରିପୋର୍ଟ 

ଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ : ରିପୋର୍ଟ 

ନୂଆଦିଲ୍ଲୀ: ବିବିଧତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଧର୍ମ, ଜାତି, ଭାଷାଭାଷୀ ଲୋକମାନେ ଏକାଠି ମିଶି ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ ପାଳନ କରିଥାନ୍ତି। ଏହାସତ୍ତ୍ୱେ ଅନ୍ୟ ଧର୍ମ ଏବଂ ଅନ୍ୟ ଜାତିରେ ବିବାହକୁ ଦେଶର ଅର୍ଦ୍ଧାଧିକ ଲୋକ ପସନ୍ଦ କରୁ ନ ଥିବା ନେଇ ଏକ ସର୍ଭେ ରିପୋର୍ଟ ସାମ୍‌ନାକୁ ଆସିଛି। ଭାରତୀୟ ସମାଜର ଆଚରଣ ଏବଂ ମନୋଭାବକୁ ବୁଝିବା ପାଇଁ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଗ୍ରୁପ୍‌, ହାଓ ଇଣ୍ଡିଆ ଲିଭ୍ସ ଏବଂ ମାର୍କେଟ ରିସର୍ଚ୍ଚ ଏଜେନ୍ସି କେଡେନ୍ସ ଇଣ୍ଟରନ୍ୟାଶନାଲ ପକ୍ଷରୁ ପ୍ରଥମଥର ପାଇଁ ମିଳିତ ଭାବେ ଗ୍ରସ୍ ଡୋମେଷ୍ଟିକ୍ ବିହେବିଅର (ଜିଡିବି) ସର୍ଭେ କରାଯାଇଛି। ଏହି ସର୍ଭେ ଅନୁଯାୟୀ ୬୧% ଉତ୍ତରଦାତା ଅନ୍ୟ ଧର୍ମରେ ବିବାହକୁ ବିରୋଧ କରିଥିବାବେଳେ ୩୭% ଏହାକୁ ସମର୍ଥନ କରିଛନ୍ତି। ସେହିପରି ସର୍ବେକ୍ଷଣରେ ୫୬% ଉତ୍ତରଦାତା ଅନ୍ୟ ଜାତିରେ ବିବାହକୁ ବିରୋଧ କରିଥିବାବେଳେ ୪୩% ଏହାକୁ ସମର୍ଥନ କରିଛନ୍ତି। କେରଳରେ ସର୍ବାଧିକ ୯୪% ଲୋକ ଅନ୍ୟ ଧର୍ମରେ ବିବାହକୁ ସମର୍ଥନ କରିଛନ୍ତି।

ଏହା ପଛକୁ ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ରହିଛି। ସେହିପରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଲୋକେ ଅନ୍ୟ ଧର୍ମରେ ବିବାହକୁ ସର୍ବାଧିକ ବିରୋଧ କରୁଥିବା ଏହି ସର୍ଭେରୁ ଜଣାପଡ଼ିଛି। ସର୍ଭେରେ ୨୧ ରାଜ୍ୟ ଏବଂ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ୯,୧୮୮ ଉତ୍ତରଦାତାଙ୍କ ଲିଙ୍ଗଗତ ମନୋଭାବ, ଧର୍ମୀୟ ବିବିଧତା ଏବଂ ଭେଦଭାବ ପ୍ରତି ସେମାନଙ୍କର ଧାରଣା ସମ୍ପର୍କରେ ପଚରାଯାଇଥିଲା। ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ୯୦% ଉତ୍ତରଦାତା ଅନ୍ୟ ଧର୍ମରେ ବିବାହକୁ ବିରୋଧ କରିଛନ୍ତି। ୮୬% ସାକ୍ଷରତା ଥିବା ଚଣ୍ଡିଗଡ଼ବାସୀ ଅନ୍ୟ ଧର୍ମରେ ବିବାହକୁ ଏତେମାତ୍ରାରେ ବିରୋଧ କରୁଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଧର୍ମ ଧର୍ମ ମଧ୍ୟରେ ଭେଦଭାବ ମାନସିକତା ସାକ୍ଷରତା ଏବଂ ସହରୀକରଣଠାରୁ ଊର୍ଦ୍ଧ୍ୱରେ ବୋଲି ଏହି ସର୍ଭେ ପ୍ରମାଣିତ କରୁଥିବା ନେଇ ସ୍ତମ୍ଭକାର କମଲେଶ ସିଂ କହିଛନ୍ତି। ଉତ୍ତର ପ୍ରଦେଶର ୮୪% ଉତ୍ତରଦାତା ଅନ୍ୟ ଜାତିରେ ବିବାହକୁ ବିରୋଧ କରୁଥିବା ଏହି ସର୍ଭେ କହିଛି।

ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ନାଟକ, ହରିୟାଣା ଆଦି ରାଜ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଅନ୍ୟ ଜାତିରେ ବିବାହକୁ ପ୍ରୋତ୍ସାହିତ କରୁଥିବାବେଳେ ଏବେ ମଧ୍ୟ ଜନସାଧାରଣଙ୍କ ମନରୁ ଏଭଳି ବିବାହକୁ ନେଇ ଘୃଣାଭାବ ଯାଇ ନ ଥିବା ସର୍ଭେ କହିଛି। ଧର୍ମକୁ ଆଧାର କରି ନିଯୁକ୍ତିଦାତା କୌଣସି ବ୍ୟକ୍ତିଙ୍କୁ ନିଯୁକ୍ତି ନ ଦେବା ଘଟଣାଗୁଡ଼ିକୁ ୩୯% ଉତ୍ତରଦାତା ସମର୍ଥନ କରିଥିବାବେଳେ ୬୦% ଏହାକୁ ବିରୋଧ କରିଛନ୍ତି। ୮୮% କେରଳୀ ଏପରି ଘଟଣାକୁ ବିରୋଧ କରିଥିବାବେଳେ ଉତ୍ତରପ୍ରଦେଶର ୫୧% ଉତ୍ତରଦାତା ଏହାକୁ ସମର୍ଥନ କରିଛନ୍ତି। ସେହିପରି କୌଣସି ହାଉସିଂ ସୋସାଇଟି, ଆପାର୍ଟମେଣ୍ଟ କିମ୍ବା ସାର୍ବଜନୀନ ସ୍ଥାନରେ ବିଫ୍‌, ମାଂସ ପରି କିଛି ନିର୍ଦ୍ଦିଷ୍ଟ ଭୋଜନ ଉପରେ କଟାକଣା ଲଗାଇବାକୁ ୪୧% ଉତ୍ତରଦାତା ସମର୍ଥନ କରିଥିବାବେଳେ ୫୪% ଲୋକ ବିରୋଧ କରିଛନ୍ତି। କେରଳର ୮୮% ଉତ୍ତରଦାତା ଏହାକୁ ବିରୋଧ କରିଥିବାବେଳେ ଉତ୍ତରାଖଣ୍ଡର ୭୫% ଉତ୍ତରଦାତା ଏପରି କଟକଣାର ସମର୍ଥନରେ ବାହାରିଛନ୍ତି। ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଧର୍ମ ପ୍ରତି ଭେଦଭାବ ଏବଂ ସ୍ୱୀକୃତି ପ୍ରଦାନର ସ୍ତର ଭିନ୍ନ ରହିଛି ବୋଲି ସଦ୍ୟ ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking